ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ମୁସ୍ଲିମ ବ୍ୟକ୍ତିଙ୍କ ତାଲିକାରେ ସ୍ଥାନ ପାଇଛନ୍ତି ପାକିସ୍ତାନ ସେନା ମୁଖ୍ୟ ଅସିମ ମୁନୀର, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ। ଏହି ତାଲିକାରେ ଏକାଧିକ ଭାରତୀୟଙ୍କ ନାଁ ବି ରହିଛି। ହେଲେ ଏଥର ସେ ତାଙ୍କ ସ୍ଥାନରୁ ଦୁଇଟି ରାଙ୍କ ତଳକୁ ଖସି ଆସିଛନ୍ତି। ସେହି ଭାରତୀୟ ମୁସ୍ଲିମ ବ୍ୟକ୍ତି ହେଲେ ଜାମିୟତ ଉଲେମା ଏ ହିନ୍ଦର ଅଧ୍ୟକ୍ଷ ମୌଲାନା ମେହମୁଦ ମଦନୀ। ସେ ଏଥର ଟପ୍ ମୁସ୍ଲିମ ନେତାଙ୍କ ତାଲିକାରେ ୧୮ ତମ ସ୍ଥାନକୁ ଖସି ଆସିଛନ୍ତି। ପୂର୍ବଥର ସେ ୧୬ ତମ ସ୍ଥାନରେ ଥିଲେ। ଜୋର୍ଡାନ ସ୍ଥିତ ରୟାଲ ଇସଲାମିକ୍ ଷ୍ଟ୍ରାଟେଜିକ୍ ଷ୍ଟଡିଜ୍ ସେଣ୍ଟର (RISSC) ପକ୍ଷରୁ ବାର୍ଷିକ ରିପୋର୍ଟ ‘ଦ ମୁସ୍ଲି ୫୦୦’ ୨୦୨୭ ଏଡିସନ ପ୍ରକାଶ ପାଇଛି। ଏହି ତାଲିକାରେ ମଦନୀ ଶୀର୍ଷ ୫୦ ନେତାଙ୍କ ମଧ୍ୟରେ ରହିଛନ୍ତି। ତେବେ ଅଗଷ୍ଟ ମାସରେ ପାକିସ୍ତାନ, ସାଉଦିଆରବ ଏବଂ ତୁର୍କୀ ମଧ୍ୟରେ ହୋଇଥିବା ମକ୍କା ସାମରିକ ଚୁକ୍ତି ଯୋଗୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଓ ସେନା ମୁଖ୍ୟଙ୍କୁ ଶୀର୍ଷ ସ୍ଥାନ ମିଳିଛି। ମକ୍କା ଚୁକ୍ତି ପାଇଁ ଏହି ତାଲିକାରେ ୫ ନେତାଙ୍କୁ ମିଳିତ ଭାବେ ଶୀର୍ଷ ସ୍ଥାନ ଦିଆଯାଇଛି।

Also Read- Iran : ଯୁଦ୍ଧ ଯୋଗୁଁ ଆର୍ଥିକ ମେରୁଦଣ୍ଡ ବଙ୍କା ; ଇରାନରେ ଶରୀରର ଅଙ୍ଗ ବିକୁଛନ୍ତି ଲୋକେ

ଏହି ତାଲିକାର ୧୮ ତମ ସଂସ୍କରଣରେ ପ୍ରଥମ ଥର ପାଇଁ ଏକାଧିକ ନେତାଙ୍କୁ ଶୀର୍ଷ ସ୍ଥାନରେ ରଖାଯାଇଛି। ମୁନୀର ଏବଂ ଶେହେବାଜଙ୍କୁ ପୂର୍ବରୁ ୪୫୦ ରାଙ୍କରେ ରଖାଯାଇଥିଲା। ହେଲେ ମକା ପ୍ୟାକ୍ଟ ଯୋଗୁ ତାଙ୍କ ସ୍ଥାନ ଏବେ ଶୀର୍ଷରେ। ଏହି ରିପୋର୍ଟରେ ବିଶ୍ୱର ୫୦୦ ପ୍ରଭାବଶାଳୀ ମୁସ୍ଲିମ ନେତାଙ୍କ ତାଲିକା ଜାରି କରାଯାଇଛି। ଏଥିରେ କେବଳ ୫୦ ଜଣଙ୍କୁ ବ୍ୟକ୍ତିଗତ ଭାବେ ରାଙ୍କରେ ରଖାଯାଇଥିବା ବେଳେ ବାକି ୪୫୦ ଜଣ କ୍ୟାଟେଗୋରୀ ଅନୁସାରେ ଗ୍ରୁପ କରାଯାଇଛି।

ତେବେ ଭାରତରୁ ମେହମ୍ମୁଦ ମଦନୀଙ୍କ ବ୍ୟତୀତ ଏକାଧିକ ଭାରତୀୟ ମୁସ୍ଲିମ ବ୍ୟକ୍ତି ଏହି ଶୀର୍ଷ ୫୦୦ ପ୍ରଭାବଶାଳୀ ମୁସ୍ଲିମ ବ୍ୟକ୍ତିଙ୍କ ତାଲିକାରେ ସ୍ଥାନ ପାଇଛନ୍ତି। ଏଥିରେ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସୀ, ଇସ୍ଲାମିକ ପ୍ରଚାରକ ଜାକିର ନାୟକ(ଫେରାର ହୋଇ ମାଲେସିଆରେ ଅଛନ୍ତି), ବ୍ୟବସାୟୀ ଅଜିମ ପ୍ରେମଜୀ ଏବଂ ଦାଉଦି ବୋହରା ନେତା ସୟଦନା ମୁଫଦ୍ଦଲ ସୈଫୁଦ୍ଦିନ ସ୍ଥାନ ପାଇଛନ୍ତି। କେବଳ ଏମାନେ ନୁହଁନ୍ତି, ଅଭିନେତା ଶାହରୁଖ ଖାନ, ଅମୀର ଖାନ, ସଲମାନ ଖାନ, ଶବାନା ଆଜମୀ, ସଂଗୀତ ନିର୍ଦ୍ଦେଶକ ଏଆର ରହମାନଙ୍କୁ ମଧ୍ୟ ତାଲିକାରେ ୫୦୦ ତମ ସ୍ଥାନରେ ରଖାଯାଇଛି।

ଶୀର୍ଷରେ ଏମାନେ-

ମକ୍କା ପ୍ୟାକ୍ଟ ପରେ ଅମିସ ମୁନୀର, ଶେହବାଜ ସରିଫ ଓ ସାଉଦିଆରବ ରାଜା ସଲମାନ, କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ଏବଂ ତୁର୍କୀ ଅଧ୍ୟକ୍ଷ ରିସେପ ତାଇପ ଏର୍ଦୋଗାନ ନମ୍ବର-ୱାନ ସ୍ଥାନରେ ରହିଛନ୍ତି। ଦ୍ୱିତୀୟ ସ୍ଥାନରେ ଇରାନ ସର୍ବୋଚ୍ଚ ନେତା ମୋଜତବା ଖାମେନି ଜୋର୍ଡାନ କିଂ ଅବଦୁଲ୍ଲା ଦ୍ୱିତୀୟ ଏବଂ କତାର ଏମିର ଶେଖ ତମିମ ରହିଛନ୍ତି। ପାକିସ୍ତାନ ମୁଫ୍ତି ତାକି ଉସମାନୀ ସପ୍ତମ ସ୍ଥାନରେ ରହିଛନ୍ତି। ସେହିପରି ୟେମେନର ହୁତୀ ନେତା ଅବଦୁଲ ମଲ୍ଲିକ ଏଳ ହୁତୀ ୧୭ ତମ ସ୍ଥାନରେ ଅଛନ୍ତି। ଆଫଗାନିସ୍ତାନର ତାଲିବାନର ସର୍ବୋଚ୍ଚ ନେତା ହାଇବତୁଲ୍ଲା ଅଖୁନଜାଦା, ସିରିଆର ଅହମ୍ମଦ ଅଲ-ଶାରା ଏବଂ ନ୍ୟୁୟର୍କ ମେୟର ଜୋହରାନ୍ ମାମଦାନି ମଧ୍ୟ ଶ୍ରେଷ୍ଠ ୫୦ ସ୍ଥାନରେ ଅଛନ୍ତି।