ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଲାଗି ରହିଛି ଉତ୍ତେଜନା । କ୍ରମାଗତ ଭାବେ ସାମୁଦ୍ରିକ ଜାହାଜଗୁଡ଼ିକ ଉପରେ ଆକ୍ରମଣ ଜାରି ରହଛି । ଏହାରି ମଧ୍ୟରେ ମଙ୍ଗଳବାର ଆସିଛି ଏକ ବଡ଼ ଖବର । ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ଏକ ଏଲ ଟ୍ୟାଙ୍କର ଉପରେ ମିସାଇଲ୍ ମାଡ଼ ହୋଇଛି। ବଡ଼ କଥା ହେଲା ପାନାମା ପତାକା ଲାଗିଥିବା ଏହି ଜାହାଜରେ ୨୪ ଭାରତୀୟ ନାବିକଙ୍କ ସମେତ ମୋଟ ୨୫ ଜଣ ସଦସ୍ୟ ରହିଥିଲେ । ଅବଶ୍ୟ ସମସ୍ତେ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ନଭେମ୍ବର ୧୬ ତାରିଖ ଦିନ ପାନାମା ପତାକାଧାରୀ ଏଲପିଜି ଟ୍ୟାଙ୍କର 'ଏମ୍ଭି ତାରା ଗ୍ୟାସ୍' ହର୍ମୁଜ ପ୍ରଣାଳୀ ଦେଇ ଅତିକ୍ରମ କରୁଥିବା ସମୟରେ ଏହି ଆକ୍ରମଣର ଶିକାର ହୋଇଥିଲା। ଆକ୍ରମଣ ପରେ ଜାହାଜର ଇଞ୍ଜିନ୍ ରୁମ୍‌ରେ ନିଆଁ ଲାଗିଯାଇଥିବା ନେଇ ସାମୁଦ୍ରିକ ସୁରକ୍ଷା ଏଜେନ୍ସିଗୁଡ଼ିକ ସୂଚନା ଦେଇଛନ୍ତି। ତେବେ ଏହି ଭୟାବହ ପରିସ୍ଥିତି ସତ୍ତ୍ୱେ ଜାହାଜରେ ଥିବା ସମସ୍ତ କ୍ରୁ’ ସଦସ୍ୟ ସୁରକ୍ଷିତ ରହିଥିବା ଜଣାପଡ଼ିଛି।

ସେପଟେ ଭାରତୀୟ ନାବିକମାନଙ୍କ ସୁରକ୍ଷା ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ବନ୍ଦର ଓ ପରିବହନ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ପୋଷ୍ଟ କରି ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି “ନଭେମ୍ବର ୧୬ ତାରିଖରେ ହର୍ମୁଜ ପ୍ରଣାଳୀରେ ପାନାମା ପତାକାବାହୀ ଏଲ୍ପିଜି ଟ୍ୟାଙ୍କର 'ତାରା ଗ୍ୟାସ୍'କୁ ଟାର୍ଗେଟ୍ କରାଯାଇଥିଲା। ଏହି ଜାହାଜରେ ୨୪ ଜଣ ଭାରତୀୟ ନାବିକ ରହିଥିଲେ। ସବୁଠାରୁ ଆଶ୍ୱସ୍ତିର କଥା ଯେ, ସମସ୍ତ ୨୪ ଜଣ ଭାରତୀୟ ନାଗରିକ ଏବଂ ମୋଟ ୨୫ ଜଣ କ୍ରୁ’ ସଦସ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି ଏବଂ କାହାକୁ କୌଣସି ଆଘାତ ଲାଗିନାହିଁ।”

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ସରକାର ଏବଂ ସମ୍ପୃକ୍ତ କର୍ତ୍ତୃପକ୍ଷ କ୍ରମାଗତ ଭାବେ ପରିସ୍ଥିତି ଉପରେ ନଜର ରଖିଛନ୍ତି। ନାବିକମାନଙ୍କର ନିରାପତ୍ତା ଏବଂ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଭାରତୀୟ ପ୍ରଶାସନ ଜାହାଜ ପରିଚାଳନା କମ୍ପାନୀ ସହିତ କ୍ରମାଗତ ଯୋଗାଯୋଗରେ ଅଛି।

Also Read: ଯୁଦ୍ଧ ଯୋଗୁଁ ଆର୍ଥିକ ମେରୁଦଣ୍ଡ ବଙ୍କା ; ଇରାନରେ ଶରୀରର ଅଙ୍ଗ ବିକୁଛନ୍ତି ଲୋକେ

ଉଲ୍ଲେଖଯୋଗ୍ୟ, କିଛି ଦିନ ପୂର୍ବେ ସାଉଦି ଆରବର ପତାକାବାହୀ ଏକ ତେଲ ଟ୍ୟାଙ୍କର ମଧ୍ୟ ସମାନ ପରିସ୍ଥିତିର ସମ୍ମୁଖୀନ ହୋଇଥିଲା, ଯେଉଁଥିରେ ତିନିଜଣ ଭାରତୀୟ ନାବିକ ଥିଲେ ଏବଂ ସେମାନେ ମଧ୍ୟ ସୁରକ୍ଷିତ ଥିବା ଜଣାପଡ଼ିଥିଲା। ଭାରତ ସରକାର ଏବଂ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସାମୁଦ୍ରିକ ବାଣିଜ୍ୟ ଓ ନାବିକମାନଙ୍କ ନିରାପଦ ଯାତାୟାତ ପାଇଁ ସମସ୍ତ ସମ୍ପୃକ୍ତ ପକ୍ଷଙ୍କ ସହ ଆଲୋଚନା ଜାରି ରହିଛି।