ନୂଆଦିଲ୍ଲୀ: ଭାରତ ଭ୍ରମଣ କରିବାକୁ ଚାହୁଁଥିବା ଥାଇଲାଣ୍ଡର ନାଗରିକଙ୍କ ପାଇଁ ବଡ଼ ଘୋଷଣା କରିଛି ଭାରତ। ଥାଇ ପର୍ଯ୍ୟଟକଙ୍କ ପାଇଁ ଭିସା ଫି’ ଛାଡ଼ ବ୍ୟବସ୍ଥା ଲାଗୁ କରାଯାଇଛି। ଏହି ସୁବିଧା ଅଧୀନରେ ଥାଇ ନାଗରିକମାନେ ୩୦ ଦିନିଆ ଇ-ଟୁରିଷ୍ଟ ଭିସା ପାଇଁ ବିନା ଶୁଳ୍କରେ ଆବେଦନ କରିପାରିବେ। ଏହି ଭିସାରେ ଦୁଇଥର ଭାରତ ପ୍ରବେଶ କରିବାର ସୁବିଧା ରହିବ।

ସେପ୍ଟେମ୍ବର ୧୧ରେ ବ୍ୟାଙ୍କକ୍ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଏହି ଘୋଷଣା କରାଯାଇଛି। ପର୍ଯ୍ୟଟନ ଉଦ୍ଦେଶ୍ୟରେ ଭାରତ ଆସୁଥିବା ଥାଇ ନାଗରିକମାନେ ଏଣିକି ‘ଗ୍ରାଟିସ୍’ ଅର୍ଥାତ୍ ଭିସା ଫି’ ବିନା ଇ-ଟୁରିଷ୍ଟ ଭିସା ପାଇଁ ଆବେଦନ କରିପାରିବେ।

୨୦୨୭ ଶେଷ ଯାଏ ରହିବ ସୁବିଧା

ଏହି ଭିସା-ଫି’ ଛାଡ଼ ବ୍ୟବସ୍ଥା ୩୧ ଡିସେମ୍ବର ୨୦୨୭ ପର୍ଯ୍ୟନ୍ତ ଲାଗୁ ରହିବ। ତେବେ ଏହା ପୂର୍ବରୁ ଭାରତ ସରକାର ଯଦି କୌଣସି ନୂଆ ନିର୍ଦ୍ଦେଶ ଜାରି କରନ୍ତି, ତେବେ ବ୍ୟବସ୍ଥାରେ ପରିବର୍ତ୍ତନ ହୋଇପାରେ। ୩୦ ଦିନର ଭିସା ଅବଧି ମଧ୍ୟରେ ଦୁଇଥର ଭାରତ ପ୍ରବେଶର ସୁବିଧା ଥିବାରୁ ଥାଇ ପର୍ଯ୍ୟଟକମାନଙ୍କୁ ଯାତ୍ରା ଯୋଜନାରେ ଅଧିକ ନିୟମ କୋହଳର ସୁବିଧା ମିଳିବ। ଭାରତ ଓ ଥାଇଲାଣ୍ଡ ମଧ୍ୟରେ ପର୍ଯ୍ୟଟନ ଓ ଲୋକଙ୍କ ଯାତାୟାତକୁ ଆହୁରି ସହଜ କରିବା ଦିଗରେ ଏହି ପଦକ୍ଷେପକୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।

ଭାରତୀୟଙ୍କ ପାଇଁ ଥାଇଲାଣ୍ଡରେ ମଧ୍ୟ ଭିସା ଛାଡ଼

ଖାଲି ଭାରତ କାହିଁକି ଥାଇଲାଣ୍ଡ ମଧ୍ୟ ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ଭିସା ଛାଡ଼ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି। ସେପ୍ଟେମ୍ବର ୧୫ରୁ ଥାଇଲାଣ୍ଡର ନୂଆ ନିୟମ ଅନୁସାରେ ସାଧାରଣ ଭାରତୀୟ ପାସପୋର୍ଟଧାରୀ ପର୍ଯ୍ୟଟକମାନେ ଭିସା ବିନା ଥାଇଲାଣ୍ଡ ଯାଇ ସର୍ବାଧିକ ୩୦ ଦିନ ରହିପାରିବେ।

ତେବେ ଥାଇଲାଣ୍ଡ ଯାଉଥିବା ଭାରତୀୟ ପର୍ଯ୍ୟଟକମାନେ କିଛି ଦଲିଲ ସାଙ୍ଗରେ ରଖିବାକୁ ଭାରତୀୟ ଦୂତାବାସ ପରାମର୍ଶ ଦେଇଛି। ଯାତ୍ରୀଙ୍କ ପାସପୋର୍ଟର ବୈଧତା ଅତି କମରେ ୬ ମାସ ଥିବା ଆବଶ୍ୟକ। ଏହା ସହିତ କନଫର୍ମ ରିଟର୍ଣ୍ଣ ଟିକେଟ୍, ହୋଟେଲ୍ ବୁକିଂ ଏବଂ ସ୍ପଷ୍ଟ ଯାତ୍ରା ଯୋଜନା ରଖିବାକୁ କୁହାଯାଇଛି।

Also Read- BRICS ମଞ୍ଚରେ ମୋଦୀଙ୍କ କୂଟନୈତିକ ମାରାଥନ: ୩ ଦିନରେ ୧୫ ଦ୍ୱିପାକ୍ଷିକ ବୈଠକ, ପୁଟିନଙ୍କ ଠାରୁ ଜିନପିଙ୍ଗଙ୍କ ପର୍ଯ୍ୟନ୍ତ ଆଲୋଚନା

ଥାଇଲାଣ୍ଡ ପହଞ୍ଚିବାର ୭୨ ଘଣ୍ଟା ମଧ୍ୟରେ ଥାଇଲାଣ୍ଡ ଡିଜିଟାଲ ଆରାଇଭାଲ କାର୍ଡ (TDAC) ପୂରଣ କରିବାକୁ ପଡ଼ିବ। ଏହାଛଡ଼ା ଇମିଗ୍ରେସନ୍ ଯାଞ୍ଚ ସମୟରେ ଦେଖାଇବା ପାଇଁ ପ୍ରତି ଯାତ୍ରୀଙ୍କ ପାଖରେ ଅତି କମରେ ୨୦,୦୦୦ ଥାଇ ବାତ୍ (THB) ନଗଦ ରଖିବାକୁ ପରାମର୍ଶ ଦିଆଯାଇଛି। ଉଭୟ ଦେଶ ପକ୍ଷରୁ ନିଆଯାଇଥିବା ଏହି ପଦକ୍ଷେପ ଫଳରେ ଭାରତ-ଥାଇଲାଣ୍ଡ ମଧ୍ୟରେ ପର୍ଯ୍ୟଟନ ଓ ଯାତାୟାତ ଆହୁରି ସହଜ ହେବାର ଆଶା କରାଯାଉଛି।