ନୂଆଦିଲ୍ଲୀ,୦୯|୦୭:ଭାରତୀୟ କ୍ରିକେଟର ଅବସ୍ଥା ଭଲ ନାହିଁ । ଟି୨୦ରେ ଲଗାତାର ମ୍ୟାଚ୍ ହାରୁଛି ଟିମ୍ ଇଣ୍ଡିଆ । ଶ୍ରେୟସ ଆୟର ଅଧିନାୟକ ହେଲା ପରେ ଦଳ ଆୟରଲ୍ୟାଣ୍ଡଠୁ ଟି୨୦ ସିରିଜ୍ ହାରିଛି । ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜରେ ଦୁଇଟି ମ୍ୟାଚ୍ ହାରି ଦଳ ୨-୦ରେ ପଛୁଆ ରହିଛି । ଦ୍ୱିତୀୟ ମୁକାବିଲାରେ ଦଳ ୧୨୫ ରନରେ ହାରିଛି । ତେବେ ତୃତୀୟ ମ୍ୟାଚ୍ ପୂର୍ବରୁ ଟିମରେ ପରିବର୍ତ୍ତନର ଆଭାସ ମିଳୁଛି ।

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜର ଚତୁର୍ଥ ମୁକାବିଲା ଗୁରୁବାର ଖେଳାଯିବ । ଦଳକୁ ସିରିଜରେ ଜୀବିତ ରହିବା ପାଇଁ ଆଜିର ମ୍ୟାଚ୍ ଜିତିବା ଜରୁରୀ । ଏଥିପାଇଁ ଟିମ୍ ମ୍ୟାନେଜମେଣ୍ଟ ଉପ ଅଧିନାୟକ ତିଲକ ବର୍ମାଙ୍କ ଜାଗାରେ ସଞ୍ଜୁ ସାମସନଙ୍କୁ ସୁଯୋଗ ଦେଇପାରେ । ସେହିପରି ବୋଲିଂରେ ଅକ୍ଷର ପଟେଲଙ୍କ ଜାଗାରେ ଓ୍ୱାଶିଂଟନ ସୁନ୍ଦର ଗୁରୁବାର ଖେଳିପାରନ୍ତି ।

ସେହିପରି ପ୍ରଥମ ଦୁଇଟି ମୁକାବିଲାରେ ଆତ୍ମବିଶ୍ୱାସର ସହ ବ୍ୟାଟିଂ କରୁଥିବା ବୈଭବ ସୂର୍ଯ୍ଯବଂଶୀଙ୍କ ଆଉ ଥରେ ସୁଯୋଗ ମିଳିବ । ଅନ୍ୟ ଦିଗରେ ସଞ୍ଜୁ ଖେଳିଲେ ଦଳରେ ବଡ ପରିବର୍ତ୍ତନ ହୋଇପାରେ । ସଞ୍ଜୁ ସିରିଜର ପ୍ରଥମ ମ୍ୟାଚ୍ ଖେଳିଥିଲେ । କିନ୍ତୁ ବୈଭବଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯିବା ପରେ ତାଙ୍କୁ ବେଞ୍ଚରେ ବସିବାକୁ ପଡିଥିଲା ।

ଏବେ ଦଳ ସିରିଜ୍ ହାରିବା ଦ୍ୱାରଦେଶରେ ରହିଛି । ଏହି ସମୟରେ ମ୍ୟାନେଜମେଣ୍ଟ ସଞ୍ଜୁଙ୍କ ଅଭିଜ୍ଞତା ଏବଂ ଆକ୍ରମଣାତ୍ମକ ବ୍ୟାଟିଂକୁ ମନେ ପକାଉଛି । ସେ ଆଇସିସି ଟି୨୦ ବିଶ୍ୱକପ୍ ୨୦୨୬ରେ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ହୋଇଥିଲେ । ଏହା ବାଦ୍ ତାଙ୍କୁ ଚୂଡାନ୍ତ ଏକାଦଶ ବାହାରେ ରହିବାକୁ ହେଉଛି ।

ସଞ୍ଜୁ ଫେରିଲେ ଦଳର ବ୍ୟାଟିଂ କ୍ରମରେ ପରିବର୍ତ୍ତନ ହେବ । ସଞ୍ଜୁ ଏବଂ ବୈଭବ ଓପନିଂ କରିପାରନ୍ତି । ସେହିପରି ଅଭିଷେକଙ୍କୁ ତିନି ନମ୍ବର ସ୍ଥାନରେ କ୍ରିଜକୁ ଆସିବାକୁ ପଡିପାରେ । ଅନ୍ୟ ଦିଗରେ କେହି କେହି ଅଭିଷେକ ଏବଂ ବୈଭବ ଓପନିଂ କରିବେ ଏବଂ ସଞ୍ଜୁ ତିନି ନମ୍ବରରେ ଆସିବେ ବୋଲି କହୁଛନ୍ତି ।

ଏହାଛଡା ଅକ୍ଷର ପଟେଲ ତୃତୀୟ ଟି୨୦ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ । ତାଙ୍କ ସ୍ଥାନରେ ଓ୍ୱାଶିଂଟନ ସୁନ୍ଦର ଆଜିର ମ୍ୟାଚ୍ ଖେଳିପାରନ୍ତି । ସେ ଉଭୟ ବୋଲିଂ ଏବଂ ବ୍ୟାଟିଂ କରିବା ଜାଣନ୍ତି । ଯାହା ଦଳକୁ ମଜବୁତ କରିବ ବୋଲି ଆଶା କରାଯାଉଛି ।