ଭୁବନେଶ୍ୱର: ମେସେଜିଂ ପ୍ଲାଟଫର୍ମ ହ୍ୱାଟ୍ସଆପ୍ ଏହାର ବ୍ୟବହାରକାରୀଙ୍କ ପାଇଁ ଏକ ବହୁପ୍ରତୀକ୍ଷିତ ଫିଚର୍ ଜାରି କରିଛି । ଏହି ନୂଆ ସୁବିଧା ହେଉଛି ମେସେଜ ସିଡ୍ୟୁଲିଂ (Message Scheduling)। ଏହା ମାଧ୍ୟମରେ ଆପଣ ଏବେ ଆଗୁଆ ମେସେଜ୍ ଲେଖି ରଖିପାରିବେ ଏବଂ ନିର୍ଦ୍ଧାରିତ ସମୟରେ ତାହା ଆପେଆପେ ଚାଲିଯିବ । ବ୍ୟକ୍ତିଗତ ଚାଟ୍ ସହିତ ଗ୍ରୁପ୍ ଚାଟ୍‌ରେ ମଧ୍ୟ ଏହି ସୁବିଧା ଉପଲବ୍ଧ ହେବ।

ରିପୋର୍ଟ ଅନୁସାରେ, ଏଣିକି କୌଣସି ମେସେଜକୁ ୟୁଜର ସର୍ବନିମ୍ନ ୧୦ ମିନିଟ୍ ଏବଂ ସର୍ବାଧିକ ୧୪ ଦିନ ପୂର୍ବରୁ ସିଡ୍ୟୁଲ କରିପାରିବେ । ବଡ଼ କଥା ହେଲା କେବଳ ମେସେଜ ନୁହେଁ, ଫଟୋ ଏବଂ ଭିଡିଓ ମଧ୍ୟ ଆଗୁଆ ସିଡ୍ୟୁଲ୍ କରି ପଠାଯାଇପାରିବ। ମେସେଜ୍ ସିଡ୍ୟୁଲ୍ କରିବା ପରେ ଯଦି ଆପଣଙ୍କ ଫୋନ୍ ବନ୍ଦ ରହେ, କିମ୍ବା ଇଣ୍ଟରନେଟ୍ ସଂଯୋଗ ନ ଥାଏ, ତଥାପି ନିର୍ଦ୍ଧାରିତ ସମୟରେ ମେସେଜ୍ ପହଞ୍ଚିଯିବ।

ସେହିଭଳି ଗ୍ରୁପ୍ ଚାଟ୍‌ ମେସେଜ୍ ସିଡ୍ୟୁଲ୍ କରିବା ସମୟରେ ଯେଉଁ ସଦସ୍ୟମାନେ ଗ୍ରୁପ୍ରେ ଥିବେ, କେବଳ ସେମାନଙ୍କ ପାଖକୁ ହିଁ ତାହା ଯିବ। ପରବର୍ତ୍ତୀ ସମୟରେ ଯୋଡ଼ି ହେଉଥିବା ସଦସ୍ୟମାନେ ତାହା ପାଇବେ ନାହିଁ। ଅନ୍ୟ ସାଧାରଣ ମେସେଜ୍ ଭଳି ଏହା ମଧ୍ୟ End-to-end encryption ଅଧୀନରେ ରହିବ ଏବଂ ଗ୍ରହୀତାଙ୍କୁ ଏହା ସିଡ୍ୟୁଲ୍ ମେସେଜ୍ ବୋଲି ଜଣାପଡ଼ିବ ନାହିଁ।

Also Read: ବିଦାୟ ପରେ ପୁଣି ଧମାକା ଏଣ୍ଚ୍ରି! ପୁରୁଣା ସିଇଓ ଫେରିବା ପରେ ବଦଳି ଯାଇଥିଲା ଏହି କମ୍ପାନୀଗୁଡିକର ଭାଗ୍ୟ! ଏବେ ଜାନସେନ ହୁଆଙ୍ଗଙ୍କ ପାଳି

କିପରି ବ୍ୟବହାର କରିବେ ?

1. ହ୍ୱାଟ୍ସଆପ୍ ଖୋଲି ଯେକୌଣସି ବ୍ୟକ୍ତିଗତ କିମ୍ବା ଗ୍ରୁପ୍ ଚାଟ୍କୁ ଯାଆନ୍ତୁ।

2. ମେସେଜ୍ ବକ୍ସରେ ନିଜ ମେସେଜ, ଫଟୋ କିମ୍ବା ଭିଡିଓ ବାଛନ୍ତୁ।

3. ସାଧାରଣ ଭାବେ ସେଣ୍ଡ୍ ବଟନ୍ ଦବାଇବା ପରିବର୍ତ୍ତେ ସେଣ୍ଡ୍ ବଟନ୍କୁ କିଛି ସମୟ ଚାପି ଧରନ୍ତୁ।

4. ତାରିଖ ଏବଂ ସମୟ ବାଛି ସିଡ୍ୟୁଲ୍ ନିଶ୍ଚିତ କରନ୍ତୁ।

5. ଚାଟ୍ ସୂଚନା (Chat info) ସ୍କ୍ରିନରୁ ଆପଣ ସିଡ୍ୟୁଲ୍ ହୋଇଥିବା ମେସେଜ୍ ଦେଖିପାରିବେ ଏବଂ ଆବଶ୍ୟକ ପଡ଼ିଲେ ପଠାଯିବା ପୂର୍ବରୁ ତାହାକୁ ଡିଲିଟ୍ ମଧ୍ୟ କରିପାରିବେ।

କାହିଁକି ଉପଯୋଗୀ ହେବ ?

ଅନେକ ସମୟରେ ରାତି ୧୨ଟାରେ ଜନ୍ମଦିନର ଶୁଭେଚ୍ଛା ଜଣାଇବା, ସକାଳର ଗୁରୁତ୍ୱପୂର୍ଣ୍ଣ ରିମାଇଣ୍ଡର୍ ପଠାଇବା କିମ୍ବା ଭିନ୍ନ ଟାଇମ୍ ଜୋନ୍ରେ ଥିବା ବନ୍ଧୁ ଓ ସହକର୍ମୀଙ୍କୁ ସଠିକ୍ ସମୟରେ ମେସେଜ୍ ପଠାଇବା ପାଇଁ ଏହି ଫିଚର୍ ଖୁବ୍ କାମରେ ଆସିବ। ଆଣ୍ଡ୍ରଏଡ୍ (Android) ଏବଂ ଆଇଓଏସ୍ (iOS) ବ୍ୟବହାରକାରୀଙ୍କ ପାଇଁ ଏହି ଫିଚର୍ ଧୀରେ ଧୀରେ ସାରା ବିଶ୍ୱରେ ଉପଲବ୍ଧ କରାଯାଉଛି। ତେଣୁ ନୂଆ ଫିଚର୍ ପାଇବା ପାଇଁ ଆପ୍କୁ ଅପଡେଟ୍ ରଖିବାକୁ ପରାମର୍ଶ ଦିଆଯାଇଛି।