ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ବଡ଼ ଧନୀ ଏଲନ୍ ମସ୍କ ଆମେରିକାର ପ୍ରତ୍ୟେକ ପିଲାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ପ୍ରତିଟି ପିଲାଙ୍କୁ ସ୍ପେସଏକ୍ସର ଦୁଇଟି ସେୟାର ଦେବେ ବୋଲି ଘୋଷଣା କରିଛନ୍ତି । ଏହି ଯୋଜନାର ମୋଟ ମୂଲ୍ୟ ପ୍ରାୟ ୧୮ ବିଲିୟନ ଡଲାର ଯାହା ଭାରତୀୟ ମୁଦ୍ରାରେ ପ୍ରାୟ ୧.୬୨ ଲକ୍ଷ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

ଏଲନ୍ ମସ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ କହିଛନ୍ତି ଯେ ପ୍ରତ୍ୟେକ ପିଲାଙ୍କୁ ସ୍ପେସଏକ୍ସର ଗୋଟିଏ ଏବଂ ନିଜର ବ୍ୟକ୍ତିଗତ ଅଂଶରୁ ଗୋଟିଏ ସେୟାରେ ଦେବେ । କମ୍ପାନି ପକ୍ଷରୁ ଜାରି ହେବାକୁ ଥିବା ସେୟାର ଆସନ୍ତା ମାସରେ ଜାରି କରାଯିବ । ଅନ୍ୟପଟେ ମସ୍କଙ୍କ ବ୍ୟକ୍ତିଗତ ଅଂଶଧନରୁ ମିଳିବାକୁ ଥିବା ସେୟାର ୨୦୨୭ ଜୁନରେ ଲକ୍-ଅପ୍ ପିରିୟଡ୍ ଅବଧି ଶେଷ ହେବା ପରେ ଦିଆଯିବ । ଏହା ପୂର୍ବରୁ ସ୍ପେସଏକ୍ସ ଘୋଷଣା କରିଥିଲା ଯେ ପ୍ରତିଟି ସକ୍ରିୟ ଟ୍ରମ୍ପ ଆକାଉଣ୍ଟକୁ ଏକ ନୂତନ କ୍ଲାସ୍ ଏ କମନ୍ ସେୟାର ଦେବ ।

ଉଲ୍ଲେଖଯୋଗ୍ୟ ଯେ ୧୮ ବର୍ଷରୁ କମ୍ ବୟସର ଆମେରିକୀୟ ପିଲାମାନଙ୍କ ପାଇଁ ଟ୍ରମ୍ପ ଆକାଉଣ୍ଟଗୁଡ଼ିକ ଡିଜାଇନ୍ କରାଯାଇଛି । ଏହା ଦ୍ୱାରା ସେମାନେ ଷ୍ଟକ୍ ବଜାରରେ ନିବେଶ କରି ସମ୍ପତ୍ତି କରିପାରିବେ । ପ୍ରାୟ ୭୦ ନିୟୁତ ଏପରି ଆକାଉଣ୍ଟ ଖୋଲାଯାଇଥିବା ନେଇ ଅକ୍ଟୋବରରେ ହ୍ୱାଇଟ୍ ହାଉସ୍ ରିପୋର୍ଟ କରିଥିଲା । ତଥାପି, ଏହା ସ୍ପଷ୍ଟ ନୁହେଁ ଯେ ମସ୍କଙ୍କ ବ୍ୟକ୍ତିଗତ ସେୟାର କେବଳ ସକ୍ରିୟ ଟ୍ରମ୍ପ ଆକାଉଣ୍ଟ ଥିବା ପିଲାମାନଙ୍କ ପାଇଁ ଉପଲବ୍ଧ ହେବ ନା ଦେଶର ସମସ୍ତ ପିଲାଙ୍କ ପାଇଁ ଉପଲବ୍ଧ ହେବ ।

ଏଲନ୍ ମସ୍କଙ୍କ ସମ୍ପତ୍ତି ପ୍ରାୟ ୮୨୪ ବିଲିୟନ ଡଲାର ହେବ ବୋଲି ଆକଳନ କରାଯାଇଛି । ଜୁନ୍ ସୁଦ୍ଧା, ସେ ସ୍ପେସଏକ୍ସର ପ୍ରାୟ ୬.୪୨ ବିଲିୟନ ସେୟାର ମାଲିକ ଥିଲେ । ସ୍ପେସଏକ୍ସ ହେଉଛି ମହାକାଶ ପ୍ରଯୁକ୍ତିବିଦ୍ୟାରେ ନିୟୋଜିତ ଏକ ଆମେରିକୀୟ କମ୍ପାନି । ମସ୍କ ଏହାକୁ ୨୦୦୨ ମସିହାରେ ପ୍ରତିଷ୍ଠା କରିଥିଲେ ।