ହାଇଦ୍ରାବାଦ: ଗୋଲ୍ଡ ମ୍ୟାନଙ୍କ କଥା ପଡିଲେ ଆଖି ଆଗରେ ଭାସି ଆସନ୍ତି ହାଇଦ୍ରାବାଦ ପୂରୁଣା ସହର ନିବାସୀ ସୂର୍ଯ୍ୟ ଭାଇ। ନିକଟରେ ସେ ତିରୁମାଲା ମନ୍ଦିର ଯାଇଥିଲେ। ମନ୍ଦିର ବାହାରେ ତାଙ୍କୁ ସ୍ୱର୍ଣ୍ଣାଭୂଷଣରେ ସଜେଇ ହୋଇଥିବାର ଦେଖାଯାଇଥିଲା। ସେଠାରେ ଲୋକେ ତାଙ୍କ ସହ ଫଟୋ ଉଠାଇବାକୁ ଭିଡ ଜମାଇଥିଲେ। ଏତେ ସ୍ୱର୍ଣ୍ଣାଭୂଷଣ ପିନ୍ଧି ସାର୍ବଜନିକ ସ୍ଥାନରେ ବୁଲାବୁଲି କରିବା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

ସମସ୍ତେ ଭାବନ୍ତି ସେ ବହୁତ ଧନୀ
ଯେତେବେଳେ ସୂର୍ଯ୍ୟ ଭାଇଙ୍କ ସମ୍ପର୍କରେ ଆୟକର ବିଭାଗ ଅଧିକାରୀଙ୍କୁ ସୂଚନା ମିଳିଲା ସେମାନେ ଖୋଳତାଡ ଆରମ୍ଭ କରିଥିଲେ। ହେଲେ ଅଧିକାରୀମାନେ ଚୁପ ବସି ଯାଇଥିଲେ। କାରଣ ସୂର୍ଯ୍ୟ ଭାଇ ପିନ୍ଧିଥିବା ସୁନା ନକଲୀ ବୋଲି ସେମାନେ ଜାଣି ପାରିଛନ୍ତି। ନକଲୀ ସୁନାରେ ସଜେଇ ହେଉଥିବା ଏହି ଲୋକର ଅସଲି ନାମ ପଲ୍ଲପୁ ସୁରେଶ କୁମାର(୩୪)। ହାଇଦ୍ରାବାଦ ଅଟ୍ଟାପୁରର ବାସିନ୍ଦା ସୂର୍ଯ୍ୟ ଭାଇ ଓରଫ ପଲ୍ଲପୁ ସୁରେଶ କୁମାର ଯେଉଁ ସୁନା ଅଳଙ୍କାରରେ ସଜେଇ ହୋଇଥିଲେ ତାହା କେବଳ ଝଟକୁ ଥିଲା ହେଲେ ସୁନା ନଥିଲା।

ଆୟକର ବିଭାଗ କାର୍ଯ୍ୟାନୁଷ୍ଠାନ
ହାଇଦ୍ରାବାଦର ସେରି ଲିଙ୍ଗମପଲ୍ଲୀ ବାସିନ୍ଦା କୋଣ୍ଡା ବିଜୟ କୁମାର ଓରଫ ବଙ୍ଗାରୁ ବାବୁଙ୍କୁ ନିକଟରେ ଦିଲ୍ଲୀ ବିମାନ ବନ୍ଦରରେ ୧.୪ କେଜି ସୁନା ସହିତ ଧରାପଡିଥିଲେ। ପଚରା ଉଚରା କାଳରେ ଏଣୁ ତେଣୁ ବୟାନ ଦେବାରୁ ଅଧିକାରୀମାନେ ତାଙ୍କର ୨.୩ କୋଟି ଟଙ୍କା ମୂଲ୍ୟର ୧.୪ କେଜି ଆଭୂଷଣ ଜବତ କରିଥିଲେ। କୋଣ୍ଡା ବିଜୟ କୁମାରଙ୍କ ମାମଲାରୁ ଆୟକର ବିଭାଗ ଅଧିକାରୀଙ୍କୁ ସୂର୍ଯ୍ୟ ଭାଇଙ୍କ ସମ୍ପର୍କରେ ଜଣାପଡିଥିଲା। ତାଙ୍କ ଫୋନରୁ ସୂର୍ଯ୍ୟ ଭାଇଙ୍କ ନମ୍ବର ଓ ଫଟୋ ମିଳିଥିଲା। ଏହି ସୂଚନା ହାଇଦ୍ରାବାଦ ଆୟକର ବିଭାଗ ଅଧିକାରୀଙ୍କୁ ଦିଆଯାଇଥିଲା। ଏହି ଘଟଣାରେ ସୂର୍ଯ୍ୟ ଭାଇ ପାଖାପାଖି ୧ କୋଟି ଟଙ୍କା ମୂଲ୍ୟର ୧୨ ପ୍ରକାର ସ୍ୱର୍ଣ୍ଣାଭୂଷଣ ପିନ୍ଧି ଆୟକର ବିଭାଗ ପଚରାଉଚରାକୁ ଆସିଥିଲେ।

ଭଡ଼ା ଘରେ କଟୁଛି ଜୀବନ ଚିକେନ ଦୋକାନରୁ ପରିବାର ଚଳେ
ଆୟକର ତଦନ୍ତ ବେଳେ ଜଣାପଡିଥିଲା ଯେ ବ୍ୟକ୍ତି ପିନ୍ଧି ଥିବା ହାର ମାଳ ସୁନା ନୁହେଁ ସୁନା ଝଳା ତମ୍ବାର ଗହଣା। ଏପରି ଗହଣା ପିନ୍ଧି ସେ କେବଳ ଦେଖାଇ ହୁଅନ୍ତି। ତାଙ୍କ ପାଖରେ ଏହିପରି ୩୨ ସେଟ୍ ନକଲୀ ସୁନାଗହଣା ରହିଛି। ତାଙ୍କର ରହିବାକୁ ନିଜର ଘର ନାହିଁ। ଭଡ଼ା ଘରେ ରହନ୍ତି ସୂର୍ଯ୍ୟ ଭାଇ ଜିଏ ୟୁ ଟ୍ୟୁବ୍ ଚ୍ୟାନେଲରେ ସାକ୍ଷାତକାର କାଳରେ ପିନ୍ଧିଥିବା ଗହଣାକୁ ସୁନା କହି ପ୍ରସିଦ୍ଧି ଅର୍ଜନ କରିଥିଲେ। ସେ ବାସ୍ତବରେ ଏକ ଚିକେନ ସପ୍ ଚଳାନ୍ତି ଏହା ସହିତ ସେ ଜିମ୍ ଟ୍ରେନର କାମ ମଧ୍ୟ କରନ୍ତି। ସେ ତାଙ୍କ ମାସିକ ଆୟରୁ ୨୦ ହଜାର ଟଙ୍କା ଭଡ଼ା ଦେଇ ଏକ ଭବ୍ୟ ଭବନରେ ବିଳାଶମୟ ଜୀବନ ବିତାଉଛନ୍ତି। ସେ ପ୍ରମୋସନ, ୟୁଟ୍ୟୁବ ଇଣ୍ଟରଭ୍ୟୁ, ଛୋଟମୋଟ ଫିଲ୍ମରେ ଅଭିନୟ କରି, ଜମିଜମା ବେପାରରେ ମଧ୍ୟସ୍ଥତା କରି ଯେତିକି ଉପାର୍ଜନ କରନ୍ତି ସେଥିରେ ଏକ ସଫାରି, ଏକ ଥାର ଓ ଏକ ବୁଲେଟ ମୋଟର ସାଇକେଲମଧ୍ୟ ରଖିଛନ୍ତି।