ନୂଆଦିଲ୍ଲୀ:ଭାରତ ଶକ୍ତି କ୍ଷେତ୍ରରେ ଆଉ ଦୁଇପାଦ ଆଗକୁ ବଢିଛି I ମଜବୁତ ହେବ ଦେଶର ଶକ୍ତି କ୍ଷେତ୍ର I କେନ୍ଦ୍ର ସରକାର ନେଲେ ବଡ଼ ପଦକ୍ଷେପ। ଏବେ ଖାଲି ବିଦ୍ୟୁତ ଉତ୍ପାଦନ ହେବନି , ଏହାକୁ ସଂରକ୍ଷଣ କରି ରଖିବାର ବ୍ୟବସ୍ତା ଉପରେ ଧ୍ୟାନ ଦିଆଯାଉଛି I ଆବଶ୍ୟକ ସମୟରେ ଏହି ସଂରକ୍ଷିତ ବିଦ୍ୟୁତ ଶକ୍ତି ବ୍ୟବହାର କରାଯାଇ ପାରିବ I ତେବେ ବିଦ୍ୟୁତ ଶକ୍ତି ସଂରକ୍ଷଣକୁ ସୁନିଶ୍ଚିତ କରିବା ପାଇଁ ୧୪,୫୦୦ କୋଟି ଟଙ୍କାର ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନାକୁ ମଞ୍ଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ୍। ଏହି ଯୋଜନା ମାଧ୍ୟମରେ ଦେଶରେ ୯୨ ଗିଗାୱାଟ୍ ଆୱାର୍ (GWh) ଗ୍ରିଡ୍-ସ୍ତରୀୟ ଶକ୍ତି ସଂରକ୍ଷଣ କ୍ଷମତା ବିକଶିତ କରିବାକୁ ଲକ୍ଷ୍ୟ ରଖାଯାଇଛି।

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏ ସମ୍ପର୍କରେ ସୂଚନା ଦେଇଥିବା ବେଳେ I ୨୦୨୬-୨୭ ଆର୍ଥିକ ବର୍ଷରୁ ୨୦୩୦-୩୧ ପର୍ଯ୍ୟନ୍ତ ଏହି ଯୋଜନା କାର୍ଯ୍ୟକାରୀ ହେବ। ଏହାଦ୍ୱାରା ଅକ୍ଷୟ ଶକ୍ତିର ଉପଯୋଗ ବଢ଼ିବା ସହ ଦେଶର ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ଅଧିକ ସ୍ଥିର ଓ ନିର୍ଭରଯୋଗ୍ୟ ହେବ ବୋଲି ଆଶା କରାଯାଉଛି।

 

ଏହି ଯୋଜନାର ସଫଳତା ପଛରେ ଦୁଇଟି ପ୍ରମୁଖ ପ୍ରଯୁକ୍ତିର ଗୁରୁତ୍ୱ ରହିଛି।

୧. ବ୍ୟାଟେରୀ ଏନର୍ଜି ଷ୍ଟୋରେଜ୍ ସିଷ୍ଟମ୍ : ଏହି ବ୍ୟବସ୍ଥାରେ ସୌର ଓ ପବନ ଶକ୍ତିରୁ ଉତ୍ପାଦିତ ଅତିରିକ୍ତ ବିଦ୍ୟୁତ୍କୁ ବଡ଼ ବ୍ୟାଟେରୀରେ ସଂରକ୍ଷଣ କରାଯାଏ। ଯେତେବେଳେ ବିଦ୍ୟୁତ୍ର ଚାହିଦା ବଢ଼ିଯାଏ କିମ୍ବା ଉତ୍ପାଦନ କମିଯାଏ, ସେତେବେଳେ ଏହି ସଂରକ୍ଷିତ ବିଦ୍ୟୁତ୍କୁ ବ୍ୟବହାର କରାଯାଇପାରିବ।

୨. ପମ୍ପଡ୍ ଷ୍ଟୋରେଜ୍ ପ୍ରୋଜେକ୍ଟ : ଏହା ଏକ ଜଳଭିତ୍ତିକ ଶକ୍ତି ସଂରକ୍ଷଣ ପ୍ରଣାଳୀ। ଏଥିରେ ଅତିରିକ୍ତ ବିଦ୍ୟୁତ୍ ବ୍ୟବହାର କରି ତଳ ଜଳଭଣ୍ଡାରରୁ ପାଣିକୁ ଉପର ଜଳଭଣ୍ଡାରକୁ ପମ୍ପ କରାଯାଏ। ପରେ ବିଦ୍ୟୁତ୍ର ଆବଶ୍ୟକତା ବଢ଼ିଲେ ଉପରୁ ପାଣି ଛାଡ଼ି ଟର୍ବାଇନ୍ ଚଳାଇ ବିଦ୍ୟୁତ୍ ଉତ୍ପାଦନ କରାଯାଏ।

କାହିଁକି ଏହି ଯୋଜନା ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ?ଭାରତ ସୌର ଓ ପବନ ଶକ୍ତି ଭଳି ଅକ୍ଷୟ ଶକ୍ତି ଉତ୍ପାଦନକୁ ଦ୍ରୁତ ଗତିରେ ବଢ଼ାଉଛି। କିନ୍ତୁ ଏହି ଶକ୍ତିର ଉତ୍ପାଦନ ସବୁବେଳେ ସମାନ ରହେ ନାହିଁ। ଦିନରେ ସୌର ଶକ୍ତି ଅଧିକ ଉତ୍ପାଦନ ହେଉଥିବା ବେଳେ ରାତିରେ ଏହାର ଉତ୍ପାଦନ ହ୍ରାସ ପାଏ। ସେହିପରି ପବନର ବେଗ ଅନୁସାରେ ପବନ ଶକ୍ତିର ଉତ୍ପାଦନ ମଧ୍ୟ ବଦଳିଥାଏ। ଏଭଳି ସ୍ଥିତିରେ ବିଦ୍ୟୁତ୍ ସଂରକ୍ଷଣ ବ୍ୟବସ୍ଥା ରହିଲେ ଅତିରିକ୍ତ ବିଦ୍ୟୁତ୍କୁ ଅପଚୟ ନକରି ପରବର୍ତ୍ତୀ ସମୟରେ ବ୍ୟବହାର କରିହେବ। ଏହାଦ୍ୱାରା ବିଦ୍ୟୁତ୍ ଗ୍ରିଡ୍ର ସ୍ଥିରତା ବଢ଼ିବା ସହ ଚାହିଦା ଅନୁସାରେ ବିଦ୍ୟୁତ୍ ଯୋଗାଣ ସହଜ ହେବ। ଅନ୍ୟପକ୍ଷରେ ଦେଖିବାକୁ ଗଲେ ,ଭାରତ ୨୦୩୦ ସୁଦ୍ଧା ୫୦୦ GW ଅଣ-ଜୀବାଶ୍ମ ଇନ୍ଧନଭିତ୍ତିକ ବିଦ୍ୟୁତ୍ ଉତ୍ପାଦନ କ୍ଷମତା ହାସଲ କରିବାର ଲକ୍ଷ୍ୟ ରଖିଛି। ଏହି ଲକ୍ଷ୍ୟ ପୂରଣରେ ଶକ୍ତି ସଂରକ୍ଷଣ ବ୍ୟବସ୍ଥା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଆଶା କରାଯାଉଛି ।

ଏହି ଯୋଜନାର ଆଉ ଏକ ବଡ଼ ଉଦ୍ଦେଶ୍ୟ ହେଉଛି ଦେଶରେ ବ୍ୟାଟେରୀ ଓ ଶକ୍ତି ସଂରକ୍ଷଣ ଉପକରଣ ନିର୍ମାଣକୁ ପ୍ରୋତ୍ସାହନ ଦେବା। ବ୍ୟାଟେରୀ ଷ୍ଟୋରେଜ୍ ପ୍ରକଳ୍ପରେ ଅତି କମ୍ରେ ୪୦ ପ୍ରତିଶତ ଘରୋଇ ଉପାଦାନ ବ୍ୟବହାର କରିବାର ସର୍ତ୍ତ ରଖାଯାଇଛି। ଏହାଦ୍ୱାରା ଦେଶୀୟ ଉତ୍ପାଦନକାରୀ କମ୍ପାନୀ, ଇଞ୍ଜିନିୟରିଂ କ୍ଷେତ୍ର, ବ୍ୟାଟେରୀ ନିର୍ମାଣ ଶିଳ୍ପ ଓ ଅନ୍ୟାନ୍ୟ ସହଯୋଗୀ ଶିଳ୍ପକୁ ନୂଆ ସୁଯୋଗ ମିଳିପାରେ। ଆମଦାନୀ ଉପରେ ନିର୍ଭରଶୀଳତା କମାଇବା ସହ ଦେଶରେ ନୂଆ ନିବେଶ ଓ ନିଯୁକ୍ତି ସୃଷ୍ଟିର ସମ୍ଭାବନା ମଧ୍ୟ ରହିଛି।

ALSO READ- AIର ପ୍ରଭାବ: ୫ ଦେଶରେ ଛଟେଇ କରିବ ଗୁଗଲ: ୨୨% କର୍ମଚାରୀ ବିଦା କରିବ କାନଭା

କିପରି ଦିଆଯିବ ସରକାରୀ ଅର୍ଥ ସହାୟତା?ଏହି ଯୋଜନାରେ ଭାୟାବିଲିଟି ଗ୍ୟାପ୍ ଫଣ୍ଡିଂ (VGF) ବ୍ୟବସ୍ଥା ରହିଛି। ସରଳ ଭାଷାରେ କହିଲେ, ଯେଉଁ ବଡ଼ ପ୍ରକଳ୍ପଗୁଡ଼ିକ ଆର୍ଥିକ ଦୃଷ୍ଟିରୁ ତୁରନ୍ତ ଲାଭଜନକ ହୋଇପାରୁନାହିଁ, ସେଗୁଡ଼ିକୁ ନିବେଶ ପାଇଁ ଆକର୍ଷଣୀୟ କରିବା ଉଦ୍ଦେଶ୍ୟରେ ସରକାର ଆର୍ଥିକ ସହାୟତା ଦେଇଥାନ୍ତି।

ମୋଟାମୋଟି ଭାବେ, ୧୪,୫୦୦ କୋଟି ଟଙ୍କାର ଏହି ଯୋଜନା କେବଳ ବିଦ୍ୟୁତ୍ ସଂରକ୍ଷଣ କ୍ଷମତା ବଢ଼ାଇବା ପାଇଁ ନୁହେଁ, ବରଂ ଭାରତର ଶକ୍ତି ସୁରକ୍ଷା, ଘରୋଇ ଶିଳ୍ପର ବିକାଶ ଓ ସ୍ୱଚ୍ଛ ଶକ୍ତି ଲକ୍ଷ୍ୟ ପୂରଣ ଦିଗରେ ଏକ ବଡ଼ ପଦକ୍ଷେପ। ଏହାର ସଫଳ କାର୍ଯ୍ୟାନ୍ୱୟନ ହେଲେ ଭବିଷ୍ୟତରେ ସୌର ଓ ପବନ ଶକ୍ତିର ଅଧିକ ଉପଯୋଗ ସମ୍ଭବ ହେବ। ଏବେ ନଜର ରହିବ, ଏହି ଯୋଜନା କେତେ ଶୀଘ୍ର କାର୍ଯ୍ୟକାରୀ ହେଉଛି।