ଭୁବନେଶ୍ବର ୫।୧୧: ବନ୍ୟା ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ଜୋରଦାର କରିଛନ୍ତି ରାଜ୍ୟ ସରକାର । ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍ଥିତିର ଆକଳନ କରି ବିଭିନ୍ନ ବିଭାଗକୁ କାର୍ଯ୍ୟରେ ଲଗାଯାଇଛି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି । ରାସ୍ତାଘାଟର ପ୍ରାୟ ୮୦ ପ୍ରତିଶତ କାମ ଶେଷ ହୋଇଥିବା ବେଳେ ପାନୀୟ ଜଳ ଯୋଗାଣକୁ ବିଶେଷ ଗୁରୁତ୍ୱ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ମୋବାଇଲ୍ ଟ୍ୟାଙ୍କର ଜରିଆରେ ଜଳ ଯୋଗାଣ ସହ ପାଣି ପାଉଚ୍ ଓ ବୋତଲ ମହଜୁଦ ରହିଛି । ବନ୍ୟାରେ ଅଚଳ ହୋଇଥିବା ଟ୍ୟୁବୱେଲ୍କୁ ଡିସଇନଫେକ୍ସନ୍ କରାଯାଉଛି । ବ୍ଲିଚିଂର ବ୍ୟବସ୍ଥା ସହ ଜଳ ଉତ୍ସଗୁଡ଼ିକୁ ସୁରକ୍ଷିତ କରାଯାଉଛି । ବନ୍ୟା ପରେ ରୋଗ ଓ ପାଣିଜନିତ ସମସ୍ୟା ଯେପରି ନ ବଢ଼େ, ସେଥିପାଇଁ ଆଗୁଆ ପଦକ୍ଷେପ ।

କିନ୍ତୁ ସବୁଠାରୁ ବଡ଼ ଚିନ୍ତା ହେଉଛି ଭୂସ୍ଖଳନରେ ପ୍ରଭାବିତ ପରିବାର । ମାଣିକେଶ୍ୱର ପଞ୍ଚାୟତରେ ଭୟାବହ ଭୂସ୍ଖଳନ ପରେ ତିନି ଜଣଙ୍କ ମୃତ୍ୟୁ ଘଟଣା ସୃଷ୍ଟି କରିଛି ଭୟର ପରିବେଶ । ସେହି ପରିବାର ଗୁଡ଼ିକୁ ଅନ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରି ନୂଆ ଘର ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । କେତେ ପରିବାର ପ୍ରଭାବିତ, କେତେ ଘର ଦରକାର, ତାହାର ଆକଳନ ଚାଲିଛି । ତାଲିକା ଚୂଡ଼ାନ୍ତ ହେବା ପରେ କ୍ଷତିଗ୍ରସ୍ତ କେହି ବି ସହାୟତାରୁ ବଞ୍ଚିତ ହେବେ ନାହିଁ ।

Also Read:- ଗଞ୍ଜାମ ବନ୍ୟା ପ୍ରଭାବିତଙ୍କ ସେବାରେ ସମ୍ ହସ୍ପିଟାଲ, ସ୍ବାସ୍ଥ୍ୟମନ୍ତ୍ରୀ କଲେ ପ୍ରଶଂସା

ଏପରିକି ଚଳିତ ବର୍ଷ ମଧ୍ୟରେ ନୂଆ ଘର ଦେବାର ଲକ୍ଷ୍ୟ ରହିଛି । ବନ୍ୟା ପରେ କେବଳ ତୁରନ୍ତ ସହାୟତା ନୁହେଁ, ଭବିଷ୍ୟତରେ ଏଭଳି ବିପର୍ଯ୍ୟୟର ମୁକାବିଲା ପାଇଁ ଦୀର୍ଘମିଆଦି ପ୍ରସ୍ତୁତି ଉପରେ ବି ଜୋର୍ । ଫାଇଲିନ୍, ତିତଲି ଭଳି ପୂର୍ବ ବାତ୍ୟା ସମୟର ଅଭିଜ୍ଞତାକୁ ଦୃଷ୍ଟିରେ ରଖି ଆଗୁଆ ପ୍ରତିକାର ବ୍ୟବସ୍ଥା ପାଇଁ କେନ୍ଦ୍ର ନିକଟରେ ଦାବି ରଖାଯାଇଥିବା କହିଛନ୍ତି ମନ୍ତ୍ରୀ ।