ଲକ୍ଷ୍ନୌ: ଉତ୍ତର ପ୍ରଦେଶର ସହାରନପୁର ସ୍ଥିତ ସର୍କିଟ୍ ହାଉସରେ ଶନିବାର ଅତ୍ୟନ୍ତ ରୋଚକ ଏବଂ ବିଭ୍ରାନ୍ତିକର ଘଟଣା ଘଟିଛି । ଏଆଇଏମଆଇଏମ ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓୱେସିଙ୍କୁ ପୁଲିସ ପକ୍ଷରୁ ‘ଗାର୍ଡ ଅଫ ଅନର’ ଦିଆଯାଇଛି । ଓୱେସିଙ୍କୁ ପୁଲିସ ଗାର୍ଡ ଅଫ ଅନର କାହିଁକି ଦେଲା ? ଏହି ପ୍ରଶ୍ନ ମନକୁ ଆସିବା ସ୍ବାଭାବିକ । କାରଣ ଜଣେ ସାଂସଦଙ୍କୁ ଗାର୍ଡ ଅଫ ଅନର ଦେବାର ନିୟମ ନାହିଁ । ସେପଟେ ପୁଲିସ ପାଖରୁ ଏଭଳି ସମ୍ମାନ ପାଇବା ପରେ ଓୱେସି ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ସେ ଏହାକୁ ସାଦରେ ଗ୍ରହଣ ବି କଲେ । କିନ୍ତୁ ଏବେ ପୁଲିସ ବିଭାଗର ଏତେ ବଡ଼ ଭୁଲ୍‌କୁ ନେଇ ଆରମ୍ଭ ହୋଇଯାଇଛି ତଦନ୍ତ ।

ବାସ୍ତବରେ ଏହି ସମ୍ମାନଜନକ ସମାରୋହ ସେଠାକୁ ଆସୁଥିବା ଜଣେ ସୁପ୍ରିମକୋର୍ଟ ବିଚାରପତିଙ୍କ ସ୍ୱାଗତ ପାଇଁ ଆୟୋଜନ କରାଯାଇଥିଲା। କିନ୍ତୁ ବିଚାରପତି ପହଞ୍ଚିବା ପୂର୍ବରୁ ସକାଳ ପ୍ରାୟ ୧୧ଟା ୩୦ ମିନିଟରେ ଓୱେସିଙ୍କ କାର୍କେଡ୍ ସର୍କିଟ୍ ହାଉସରେ ପହଞ୍ଚିଥିଲା। ସେଠାରେ ମୁତୟନ ଥିବା ପୁଲିସ କର୍ମଚାରୀମାନେ ଓୱେସିଙ୍କ ଗାଡ଼ିକୁ ବିଚାରପତିଙ୍କ ଗାଡ଼ି ବୋଲି ଭାବିଥିଲେ। ଓୱେସି ଗାଡ଼ିରୁ ଓହ୍ଲାଇବା ମାତ୍ରେ ପୁଲିସ ବାହିନୀ ତାଙ୍କୁ ସଲାମୀ ଦେଇଥିଲେ ଏବଂ ଓୱେସି ମଧ୍ୟ ଛିଡ଼ା ହୋଇ ଏହି ସମ୍ମାନ ଗ୍ରହଣ କରିବା ପରେ ଭିତରକୁ ଚାଲିଯାଇଥିଲେ।

ଏହି ସମ୍ପୂର୍ଣ୍ଣ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଅନ୍ୟପଟେ, ଏହି ଘଟଣା ପରେ ଜିଲ୍ଲା ପ୍ରଶାସନର କାର୍ଯ୍ୟଶୈଳୀ ଏବଂ ପ୍ରୋଟୋକଲ୍ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ଅତିଥିମାନଙ୍କ ଆଗମନ ସମ୍ପର୍କିତ ସୂଚନା ବିଭିନ୍ନ ବିଭାଗ ମଧ୍ୟରେ କିଭଳି ଆଦାନପ୍ରଦାନ ହୋଇଥିଲା । ସର୍କିଟ୍ ହାଉସରେ ସୁରକ୍ଷା ତଥା ସମ୍ମାନ ପ୍ରଦାନ ପ୍ରୋଟୋକଲ୍‌ରେ ଏତେ ବଡ଼ ତ୍ରୁଟି କିପରି ରହିଗଲା, ତାହାର ତଦନ୍ତ କରାଯାଉଛି। ସୂଚନାଯୋଗ୍ୟ ଯେ, ଓୱେସି ଆଜାଦ ସମାଜ ପାର୍ଟି (କାଂଶୀରାମ)ର ପ୍ରତିଷ୍ଠାତା ତଥା ନଗିନା ସାଂସଦ ଚନ୍ଦ୍ରଶେଖର ଆଜାଦଙ୍କ ବାସଭବନକୁ ଯିବା ବାଟରେ ସର୍କିଟ୍ ହାଉସରେ ଅଟକିଥିଲେ।

ଆଗାମୀ ୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଓୱେସି ଏବଂ ଚନ୍ଦ୍ରଶେଖର ଆଜାଦ ନିକଟରେ 'ସାମାଜିକ ପରିବର୍ତ୍ତନ ମୋର୍ଚ୍ଚା' ଗଠନ କରିବାକୁ ଘୋଷଣା କରିଛନ୍ତି । ଆଜାଦଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ଉପସ୍ଥାପନ କରାଯାଇଛି। ସହାରନପୁରରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଓୱେସି କହିଛନ୍ତି ଯେ, ସେମାନଙ୍କ ଏହି ନୂଆ ମେଣ୍ଟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ଚିନ୍ତା ବଢ଼ାଇ ଦେଇଛି। ସେ କହିଛନ୍ତି ଯେ, କେବଳ ଅଖିଳେଶଙ୍କ ମେଣ୍ଟ ବିଜେପିକୁ ହରାଇ ପାରିବ ବୋଲି ଭାବିବା ଭୁଲ। ସମାଜବାଦୀ ପାର୍ଟି  ୧୩ଟି ରାଜ୍ୟର ୬୪୦ଟି ଆସନରେ ନିର୍ବାଚନ ଲଢ଼ିଛି । ସେଥିମଧ୍ୟରୁ ଦଳ ମାତ୍ର ୧୧୪ଟି ଆସନ ଜିତିଥିବା ବେଳେ ସେଥିରୁ ୧୧୧ଟି କେବଳ ଉତ୍ତର ପ୍ରଦେଶରୁ ହିଁ ମିଳିଛି ବୋଲି କହି ଓୱେସି କଟାକ୍ଷ କରିଛନ୍ତି।