• ନିଜ ଜୈବିକ ପିତାଙ୍କୁ ଜାଣିବାର ଅଧିକାର ପିତାଙ୍କ ଗୋପନୀୟତାର ଅଧିକାରଠାରୁ ମଧ୍ୟ ଉପରେ ହୋଇପାରେ
  • ଗୋପନୀୟତାର ଅଧିକାର ମୌଳିକ ଅଧିକାର ହେଲେବି ଅସୀମିତ ନୁହେଁ
  • ପିଲାଙ୍କୁ ନିଜ ମୂଳ ଜାଣିବାର ଅଧିକାର ସହିତ ଏହାର ସନ୍ତୁଳନ ରହିବା ଜରୁରି

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ଉଚିତ ପରିସ୍ଥିତିରେ ପିଲାଙ୍କୁ ନିଜ ଜୈବିକ ପିତାଙ୍କୁ ଜାଣିବାର ଅଧିକାର ପିତାଙ୍କ ଗୋପନୀୟତାର ଅଧିକାରଠାରୁ ମଧ୍ୟ ଉପରେ ହୋଇପାରେ। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଗୋପନୀୟତାର ଅଧିକାର ମୌଳିକ ଅଧିକାର ହେଲେବି ଅସୀମିତ ନୁହେଁ ଓ ପିଲାଙ୍କୁ ନିଜ ମୂଳ ଜାଣିବାର ଅଧିକାର ସହିତ ଏହାର ସନ୍ତୁଳନ ରହିବା ଜରୁରି। ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ବିବେକ ଚୌଧୁୀର ଓ ଜଷ୍ଟିସ୍ ରେଣୁ ଭଟ୍ଟନାଗରଙ୍କ ପୀଠ ଫ୍ୟାମିଲି କୋର୍ଟର ଡିଏନଏ ପରୀକ୍ଷଣ ଆଦେଶକୁ କାୟମ ରଖି କହିଛନ୍ତି ଯେ ନ୍ୟାୟ ସେତେବେଳେ ନ୍ୟାୟ ହୁଏ ଯେତେବେଳେ ସତ୍ୟ ସାମ୍ନାକୁ ଆସେ। ସତ ଜାଣିବାରେ ବାଧା ସୃଷ୍ଟି କଲେ ନ୍ୟାୟ ହୋଇ ପାରିବନି।

ପୀଠ ଫ୍ୟାମିଲି କୋର୍ଟଙ୍କୁ ଆବେଦନକାରୀ ଓ ତାଙ୍କ ଝିଅଙ୍କ ଡିଏନଏପରୀକ୍ଷଣ ନିମନ୍ତେ ଖୁବ୍ ଶୀଘ୍ର ତାରିଖ ଧାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉଭୟ ବିଏସଏ ହସ୍ପିଟାଲର ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଅଥବା ଫରେନସିକ ମେଡିସିନ ବିଭାଗର ମୁଖ୍ୟଙ୍କ ନିକଟରେ ହାଜର ହୋଇ ସେମାନଙ୍କ ନମୁନା ଦେବେ। କୋର୍ଟ କହିଛନ୍ତି ଯେ ସାମ୍ପୁଲ ଅତ୍ୟନ୍ତ ଗୋପନୀୟତାର ସହ ନିଆଯାଉ ଓ ଡିଏନଏ ରିପୋର୍ଟକୁ ସିଲବନ୍ଦ ଲଫାପାରେ ଫ୍ୟାମିଲି କୋର୍ଟକୁ ପଠାଯାଉ। କୋର୍ଟ ଏହି ଟିପ୍ପଣୀ ସେହି ବ୍ୟକ୍ତିଙ୍କ ଆବେଦନ ଶୁଣାଣିରେ କରିଛନ୍ତି ଯେଉଁଥିରେ ଫ୍ୟାମିଲି କୋର୍ଟର ଡିଏନଏ ଟେଷ୍ଟ ସମ୍ପର୍କିତ ଆଦେଶକୁ ଚ୍ୟାଲେଞ୍ଜ କରାଯାଇଥିଲା।

ଆବେଦନକାରୀ ତର୍କ ଦେଇଥିଲେ ଯେ ପୂର୍ବ ନିଷ୍ପତ୍ତି ଚୂଡ଼ାନ୍ତ ଥିଲା ଓ ପରୀକ୍ଷଣ ପାଇଁ କୌଣସି ଦୃଢ ଆଧାର ନଥିଲା। ସେ ଏହା ମଧ୍ୟ ଯୁକ୍ତି ଦେଇଥିଲେ ଯେ ତାଙ୍କୁ ଡିଏନଏ ଟେଷ୍ଟ ପାଇଁ ବାଧ୍ୟ କରିବା ତାଙ୍କ ଗୋପନୀୟତା ଅଧିକାର ଉଲ୍ଲଂଘନ ସହ ସମାନ। ତେବେ ଝିଅର ମା ଦାବି କରିଛନ୍ତି ଯେ ଆବେଦନକାରୀ ତାଙ୍କ କନ୍ୟାର ଜୈବିକ ପିତା। ମହିଳାଙ୍କ ଅନୁସାରେ ସେ ଆବେଦନକାରୀଙ୍କୁ ୧୯୯୭ ମସିହାରେ ବିବାହ କରିଥିଲେ ଓ ଦୁଇ ଜଣ ଦିଲ୍ଲୀ ଏବଂ ଗୁଜରାଟରେ ରହିଥିଲେ। ମହିଳା ଦାବି କରିଛନ୍ତି ଯେ ବ୍ୟକ୍ତି ଜୁଲାଇ ୨୦୧୦ରେ ତାଙ୍କୁ ଛାଡି ଚାଲିଯାଇଥିଲେ ଓ ଝିଅର ଜନ୍ମ ମାର୍ଚ୍ଚ ୨୦୧୧ରେ ହୋଇଥିଲା। ତେବେ ବ୍ୟକ୍ତି ପିତୃତ୍ୱକୁ ଅସ୍ୱୀକାର କରି କହିଛନ୍ତି ଯେ ୧୯୯୯ରେ ସେ ଦ୍ୱିତୀୟ ବିବାହ କରିଛନ୍ତି ଓ ଏହି ବିବାହରୁ ତାଙ୍କର ୨ଟି ସନ୍ତାନ ଅଛନ୍ତି।

ତେବେ ୨୦୧୨ ମସିହାରେ ବିବାହ ପ୍ରମାଣ ଅଭାବରୁ ଦାମ୍ପତ୍ୟ ଅଧିକାର ଓ ଭରଣ ପୋଷଣ ପାଇଁ ଆବେଦନ ଖାରଜ କରିଦିଆଯାଇଥିଲା। ପରେ ମହିଳା ଓ ତାଙ୍କ ଝିଅ ପିତାଙ୍କ ପରିଚୟ ପାଇଁ ପୃଥକ ମୋକଦ୍ଦମା ରୁଜୁ କରିଥିଲେ। ଅଗଷ୍ଟ ୨୦୨୪ରେ ଫ୍ୟାମିଲି କୋର୍ଟ ଡିଏନଏ ଟେଷ୍ଟ ପାଇଁ ଆଦେଶ ଦେବା ସହ କହିଥିଲେ ଯେ ବିବାହ ପ୍ରମାଣ ଓ ଜୈବିକ ପିତାଙ୍କ ସନ୍ଧାନ ନେବା ଅଲଗା ଅଲଗା କଥା। ହାଇକୋର୍ଟ କହିଛନ୍ତି ଯେ ପିଛିଲା କାର୍ଯ୍ୟାନୁଷ୍ଠାନ ମହିଳାଙ୍କ ବୈବାହିକ ସ୍ଥିତି ସହ ଜଡିତ ଥିଲା, ପିତୃତ୍ୱ ସହ ନୁହେଁ। ସେହି ମାମଲାରେ ଝିଅ ପକ୍ଷ ମଧ୍ୟ ନଥିଲା। ଏଣୁ ବିବାହ ପ୍ରମାଣ ନ ମିଳିବା ନିଷ୍ପତ୍ତି ଜୈବିକ ପିତାର ପ୍ରଶ୍ନ ଉପରେ ଲାଗୁ ନୁହେଁ।