ଭୁବନେଶ୍ୱର: ମହାପ୍ରଭୁଙ୍କ ସମ୍ପତ୍ତିର ସୁରକ୍ଷା ପାଇଁ ରାଜସ୍ୱ ବିଭାଗର ବଡ଼ ପଦକ୍ଷେପ। ଦୀର୍ଘ ୨୯ ବର୍ଷ ଧରି ବିଚାରାଧୀନ ଥିବା ଏକ ଜମି ମାମଲାର ହୋଇଛି ଫଇସଲା। ବ୍ୟକ୍ତିବିଶେଷଙ୍କ ନାଁରେ ରେକର୍ଡ ହୋଇଥିବା ମହାପ୍ରଭୁଙ୍କ ୦.୧୧୫ ଏକର ଜମିକୁ ପୁଣି ଶ୍ରୀଜଗନ୍ନାଥଙ୍କ ନାଁରେ ରେକର୍ଡଭୁକ୍ତ କରାଯାଇଛି। ପୁରୀର ବଡ଼ଦେଉଳ ସାହି ମୌଜାରେ ଏହି ଜମିର ରେକର୍ଡ ସଂଶୋଧନ ହୋଇଛି। ଏହାସହ ୧୯ଟି ଖାତାର ୨୯ଟି ପ୍ଲଟ୍‌ର ରେକର୍ଡ ଅଫ୍ ରାଇଟ୍ସ (ROR)ରେ ପରିବର୍ତ୍ତନ କରାଯାଇଛି।

ସୂଚନା ଅନୁସାରେ, ପୁରୀ ତହସିଲ ଅଧୀନ ବଡ଼ଦେଉଳ ସାହି ମୌଜାରେ ଥିବା କିଛି ଜମିର ମାଲିକାନାକୁ ନେଇ ଦୀର୍ଘଦିନ ଧରି ବିବାଦ ଲାଗି ରହିଥିଲା। ୧୯୯୭ ମସିହାରୁ ଏହି ଆବେଟମେଣ୍ଟ ମାମଲା ବିଚାରାଧୀନ ଥିଲା। ଶେଷରେ ଏହାର ନିଷ୍ପତ୍ତି ହେବା ପରେ ଜମିର ମାଲିକାନା ସମ୍ପର୍କିତ ସରକାରୀ ରେକର୍ଡରେ ସଂଶୋଧନ କରାଯାଇଛି।

Also Read: ଭୁବନେଶ୍ୱରରେ ନିର୍ମାଣ ହେବ ୯ ମହଲା ରାଜସ୍ୱ ଭବନ, ଖର୍ଚ୍ଚ ହେବ ୩୪୭ କୋଟି

ପୂର୍ବରୁ ବ୍ୟକ୍ତିବିଶେଷଙ୍କ ନାଁରେ ଥିବା ମୋଟ ୦.୧୧୫ ଏକର ଜମିକୁ ଏବେ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ ଶ୍ରୀକ୍ଷେତ୍ର ମାର୍ଫତ୍ ଶ୍ରୀମନ୍ଦିର ପରିଚାଳନା କମିଟି, ପୁରୀ ନାଁରେ ରେକର୍ଡ କରାଯାଇଛି। ଅର୍ଥାତ୍ ଜମିର ମାଲିକାନା ସମ୍ପର୍କିତ ତଥ୍ୟ ଏବେ ମହାପ୍ରଭୁଙ୍କ ନାମରେ ସଂଶୋଧିତ ହୋଇଛି।

ଶ୍ରୀମନ୍ଦିର ପାଇଁ ସ୍ୱତନ୍ତ୍ର ମୌଜା 'ବଡ଼ଦେଉଳ ସାହି'

ବଡ଼ଦେଉଳ ସାହି ମୌଜାର ମଧ୍ୟ ରହିଛି ଏକ ବିଶେଷ ପରିଚୟ। ଶ୍ରୀକ୍ଷେତ୍ର ପୁରୀରେ କେବଳ ଶ୍ରୀମନ୍ଦିର ପାଇଁ ଏହି ନାମରେ ଏକ ସ୍ୱତନ୍ତ୍ର ମୌଜା ରହିଛି। ରାଜସ୍ୱ ପ୍ରଶାସନ ବ୍ୟବସ୍ଥାରେ ଏହାକୁ ଏକ ଅନନ୍ୟ ବ୍ୟବସ୍ଥା ଭାବେ ଦେଖାଯାଏ। ତେଣୁ ଏଠାରେ ମହାପ୍ରଭୁଙ୍କ ଜମିଜମାର ସଠିକ୍ ରେକର୍ଡ ରଖିବା ଓ ସୁରକ୍ଷା କରିବା ଅତ୍ୟନ୍ତ ଗୁରୁତ୍ୱ ବହନ କରେ।

ମହାପ୍ରଭୁଙ୍କ ସମ୍ପତ୍ତି ସୁରକ୍ଷା ପାଇଁ ଗଠନ ହୋଇଛି ଲ୍ୟାଣ୍ଡ ସେଲ୍

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭୂସମ୍ପତ୍ତିର ଚିହ୍ନଟ, ସୁରକ୍ଷା ଏବଂ ପୁନରୁଦ୍ଧାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ରାଜସ୍ୱ ବିଭାଗରେ ସ୍ୱତନ୍ତ୍ର ଭାବେ ଶ୍ରୀଜଗନ୍ନାଥ ମହାପ୍ରଭୁ ଲ୍ୟାଣ୍ଡ ସେଲ୍ କାର୍ଯ୍ୟ କରୁଛି। ଏହି ବ୍ୟବସ୍ଥା ଆରମ୍ଭ ହେବା ପରେ ମହାପ୍ରଭୁଙ୍କ ଜମିର ରେକର୍ଡ ଯାଞ୍ଚ, ଅବୈଧ ଜବରଦଖଲ ଚିହ୍ନଟ ଏବଂ ଜମି ଫେରାଇ ଆଣିବା ଦିଗରେ ପଦକ୍ଷେପ ଜୋରଦାର ହୋଇଛି।

Also Read: ବାଲିଯାତ୍ରା ପାଇଁ ପୋଲିସର ମେଗା ପ୍ଲାନ୍, ୧୪୦୦ CCTV ଓ ୧୦୦ AI କ୍ୟାମେରା ରଖିବ ନଜର

ବିଭିନ୍ନ ସ୍ଥାନରେ ମହାପ୍ରଭୁଙ୍କ ଜମିକୁ ଜବରଦଖଲମୁକ୍ତ କରିବା ସହ ଭୁଲ୍‌ ଭାବେ ରେକର୍ଡ ହୋଇଥିବା ଜମିର ମାଲିକାନାକୁ ସଂଶୋଧନ କରାଯାଉଛି। ବଡ଼ଦେଉଳ ସାହି ମୌଜାରେ ହୋଇଥିବା ଏହି ପଦକ୍ଷେପକୁ ମଧ୍ୟ ସେହି ଅଭିଯାନର ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଭାବେ ଦେଖାଯାଉଛି।

ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଦିଗଦର୍ଶନରେ ଚାଲିଛି ପ୍ରକ୍ରିୟା

ମହାପ୍ରଭୁଙ୍କ ଭୂସମ୍ପତ୍ତିର ସୁରକ୍ଷା ଓ ସଠିକ୍ ରେକର୍ଡ ସଂରକ୍ଷଣ ପାଇଁ ରାଜସ୍ୱ ବିଭାଗ ପକ୍ଷରୁ ଏହି ଉଦ୍ୟମ ଜାରି ରହିଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଦିଗଦର୍ଶନ ଏବଂ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ନିରନ୍ତର ଉଦ୍ୟମରେ ଏହି କାର୍ଯ୍ୟ ଆଗକୁ ବଢ଼ୁଛି। ମାମଲାର ଫଇସଲା ପରେ ଡ. ପାଢ଼ୀ ମହାପ୍ରଭୁଙ୍କ ଭୂସମ୍ପତ୍ତିର ସୁରକ୍ଷାରେ ସହଯୋଗ କରିଥିବା ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ସମସ୍ତଙ୍କ ମଙ୍ଗଳ ପାଇଁ ମହାପ୍ରଭୁଙ୍କ ଆଶୀର୍ବାଦ କାମନା କରିଛନ୍ତି।

ଦୀର୍ଘ ବର୍ଷ ଧରି ବିଚାରାଧୀନ ଥିବା ଜମି ମାମଲାର ସମାଧାନ ଓ ରେକର୍ଡ ସଂଶୋଧନ ମହାପ୍ରଭୁଙ୍କ ସମ୍ପତ୍ତି ସୁରକ୍ଷା ଅଭିଯାନକୁ ନୂଆ ଗତି ଦେବ ବୋଲି ଆଶା କରାଯାଉଛି। ତେବେ ମହାପ୍ରଭୁଙ୍କ ଅନ୍ୟାନ୍ୟ ଭୂସମ୍ପତ୍ତିର ସଠିକ୍ ଚିହ୍ନଟ ଓ ସୁରକ୍ଷା ଆଗାମୀ ଦିନରେ ମଧ୍ୟ ରାଜସ୍ୱ ବିଭାଗ ପାଇଁ ଏକ ବଡ଼ ଦାୟିତ୍ୱ ହୋଇ ରହିବ।