ନୂଆଦିଲ୍ଲୀ: ପୁରୁଣା ଡିଜେଲ ଯାନବାହାନରୁ ନିର୍ଗତ ହେଉଥିବା ବିଷାକ୍ତ ଧୂଆଁ ଏବଂ ବାୟୁ ପ୍ରଦୂଷଣକୁ ନେଇ ଚିନ୍ତାରେ ଥିବା ଗାଡ଼ି ମାଲିକଙ୍କ ପାଇଁ ଆସିଛି ଏକ ବଡ଼ ଆଶ୍ୱସ୍ତିକର ଖବର। ପୁରୁଣା ଗାଡ଼ିଗୁଡ଼ିକୁ ସ୍କ୍ରାପ୍ (ସ୍କ୍ରାପେଜ୍) ନକରି କମ୍ ଖର୍ଚ୍ଚରେ ସେଗୁଡ଼ିକରୁ ନିର୍ଗତ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଆଇଆଇଟି ଦିଲ୍ଲୀ ଦ୍ୱାରା ଏକ ନୂଆ ଡିଭାଇସ୍ ବିକଶିତ କରାଯାଇଛି। ଏହାକୁ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ ଗଡ଼କରୀ ମଞ୍ଜୁରୀ ଦେଇଛନ୍ତି।

ଏହି ବୈଷୟିକ ଯନ୍ତ୍ରକୁ 'ରେଟ୍ରୋଫିଟ୍ ଏମିସନ୍ କଣ୍ଟ୍ରୋଲ୍ ଡିଭାଇସ୍' (RECD) କୁହାଯାଉଛି। ଦାବି ଅନୁଯାୟୀ, ଏହି ଡିଭାଇସ୍ ପୁରୁଣା ଡିଜେଲ ଗାଡ଼ିଗୁଡ଼ିକରୁ ନିର୍ଗତ ହେଉଥିବା ବିଷାକ୍ତ କାର୍ବନ ମୋନୋକ୍ସାଇଡ୍ ଏବଂ ସୂକ୍ଷ୍ମ ଧୂଳିକଣାକୁ ପ୍ରାୟ ୯୦ ପ୍ରତିଶତ ପର୍ଯ୍ୟନ୍ତ ଏବଂ ନାଇଟ୍ରୋଜେନ୍ ଅକ୍ସାଇଡକୁ ୬୦ ପ୍ରତିଶତ ପର୍ଯ୍ୟନ୍ତ କମାଇବାରେ ସକ୍ଷମ ହେବ। ଏହା ସାଇଲେନ୍ସର ପାଖରେ ଫିଟ୍ ହେଉଥିବା ଏକ ଫିଲଟର ଭଳି କାର୍ଯ୍ୟ କରିବ।

Also Read: ରକେଟ୍ ତିଆରି ବନ୍ଦ କରିଦେବ ଇସ୍ରୋ ! ଘରୋଇକରଣକୁ ନେଇ ଚିଠି ଲେଖିଲେ କର୍ମଚାରୀ ସଙ୍ଗଠନ

BS-III ଓ BS-IV ଗାଡ଼ିଗୁଡ଼ିକ ହେବେ BS-VI ଭଳି ସ୍ୱଚ୍ଛ

ମାତ୍ର ୪,୦୦୦ ରୁ ୫,୦୦୦ ଟଙ୍କା ମଧ୍ୟରେ ଏହି RECD ଡିଭାଇସ୍ ଉପଲବ୍ଧ ହେବାକୁ ଯାଉଛି। ପୁରୁଣା କମର୍ସିଆଲ୍ ଗାଡ଼ି, ବସ୍, ଟ୍ରକ୍ ଏବଂ BS-III ଓ BS-IV ମାନକର ଡିଜେଲ ଗାଡ଼ିଗୁଡ଼ିକରେ ଏହାକୁ ଲଗାଯାଇପାରିବ। ପରୀକ୍ଷଣରୁ ଜଣାପଡ଼ିଛି ଯେ, ଏହି ଡିଭାଇସ୍ ଲଗାଇବା ପରେ ପୁରୁଣା ଗାଡ଼ିରୁ ନିର୍ଗତ ପ୍ରଦୂଷଣ ପ୍ରାୟ BS-VI ମାନକ ସହ ସମାନ ହୋଇଯିବ।

ଗାଡ଼ି ମାଲିକଙ୍କ ପକେଟ୍ ଉପରେ ପଡ଼ିବନି ଭାର

ନୂଆ ଗାଡ଼ି କିଣିବା କିମ୍ବା ପୁରୁଣା ଗାଡ଼ିକୁ କବାଡ଼ି (ସ୍କ୍ରାପ୍) କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କାର ଖର୍ଚ୍ଚ ସହିବାକୁ ପଡ଼ୁଥିବା ବେଳେ ଏହି ୪ ରୁ ୫ ହଜାର ଟଙ୍କାର ଡିଭାଇସ୍ ଗାଡ଼ି ମାଲିକଙ୍କୁ ବଡ଼ ପକେଟ୍ ଖର୍ଚ୍ଚରୁ ରକ୍ଷା କରିବ। ସରକାର ଏଥିପାଇଁ 'Automotive Industry Standard 228' (AIS-228) ନିୟମାବଳୀ ପ୍ରସ୍ତୁତ କରୁଛନ୍ତି, ଯାହାଦ୍ୱାରା ବଜାରରେ ଏହାର ବ୍ୟବସାୟିକ ବିକ୍ରି ଓ ବ୍ୟବହାରକୁ କଡ଼ାକଡ଼ି କରାଯାଇପାରିବ।

Also Read: ବିଟ୍ଟୁଙ୍କୁ ମିଳିଲା ବିଦେଶରେ ଚାକିରି ଅଫର: ଏକାକୀ ନଦୀ ସଫା କରି ପାଇଥିଲେ ପ୍ରଶଂସା

ସୋସାଇଟି ଅଫ ଇଣ୍ଡିଆନ ଅଟୋମୋବାଇଲ ମ୍ୟାନୁଫେକଚର୍ସର କାର୍ଯ୍ୟକ୍ରମରେ ଗଡ଼କରୀ କହିଛନ୍ତି, ଏହି ପରୀକ୍ଷା ସଂପୂର୍ଣ୍ଣ ସଫଳ ହୋଇଛି। ଏବେ ପୁରୁଣା ଗାଡ଼ିକୁ ନେଇ ଲୋକଙ୍କୁ ବଡ଼ ଆଶ୍ଵସ୍ତି ମିଳିବ। ଆଉ ଗାଡ଼ିକୁ କବାଡ଼ିକୁ ଦେବାକୁ ପଡ଼ିବ ନାହିଁ। କେବଳ ୪,୦୦୦ ରୁ ୫,୦୦୦ ଟଙ୍କା ମଧ୍ୟରେ ଏହି RECD ଡିଭାଇସକୁ ଗାଡ଼ି ଚାଳକ କିଣି ପାରିବେ।