ବେଙ୍ଗାଲୁରୁ, ୦୬/୦୯ : କେନ୍ଦ୍ର ସରକାର ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ-ଇସ୍ରୋରେ ଘରୋଇ କ୍ଷେତ୍ରର ପ୍ରବେଶକୁ ପ୍ରାୟ ୬ ବର୍ଷ ତଳୁ ଅନୁମତି ଦେଇସାରିଛନ୍ତି। ବର୍ତ୍ତମାନ ଘରୋଇ କ୍ଷେତ୍ରର ଭାଗିଦାରୀ ବଢ଼ୁଥିବାବେଳେ ତାକୁ ନେଇ ପ୍ରଥମ କରି ୯ଟି କର୍ମଚାରୀ ସଙ୍ଗଠନ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ସେମାନେ ମହାକାଶ ବିଭାଗର ସଚିବ ତଥା ଇସ୍ରୋ ଅଧ୍ଯକ୍ଷଙ୍କୁ ଗତ ୪ ତାରିଖରେ ଏକ ଚିଠି ଲେଖି ସରକାରଙ୍କ ନୀତି ଓ ଇସ୍ରୋର ଭବିଷ୍ୟତ ଭୂମିକା ଉପରେ ଲିଖିତ ଜବାବ ମାଗିଛନ୍ତି। ହଜାର ହଜାର କର୍ମଚାରୀଙ୍କ ତରଫରୁ ଏହି ସଙ୍ଗଠନଗୁଡିକ ସରକାର ଉପରେ ପ୍ରଶ୍ନ ଉଠାଇଛନ୍ତି।

ସଙ୍ଗଠନର କହିବାନୁଯାୟୀ ସେମାନେ ବ୍ୟବସାୟିକ ଗତିବିଧିରେ ଘରୋଇ କ୍ଷେତ୍ରର ଭାଗିଦାରୀକୁ ବିରୋଧ କରୁନାହାନ୍ତି । କିନ୍ତୁ ଯେଉଁସବୁ ନୀତିରେ ପରିବର୍ତ୍ତନ କରାଯାଉଛି ସେସମ୍ପର୍କରେ କର୍ମଚାରୀଙ୍କୁ ସୂଚନା ଦିଆଯିବା ଆବଶ୍ୟକ। କର୍ମଚାରୀ ସଙ୍ଗଠନ ଆଶଙ୍କା ପ୍ରକାଶ କରି କହିଛି ଯେ ଇସ୍ରୋକୁ କେବଳ ଗବେଷଣା ଓ ବିକାଶ ଭିତରେ ସୀମିତ କରିଦିଆଯିବ ନାହିଁ ତ। ସେମାନେ ଇନ୍-ସ୍ପେସର ଅଧ୍ଯକ୍ଷ ପୱନ ଗୋୟଙ୍କାଙ୍କ ବୟାନର ଉଦାହରଣ ଦେଇଛନ୍ତି।

କିଛିଦିନ ତଳେ ଗୋୟଙ୍କା କହିଥିଲେ ଯେ ଭବିଷ୍ୟତରେ ଇସ୍ରୋ ଆଉ ପ୍ରକ୍ଷେପଣ ଯାନ ନିର୍ମାଣ କରିବ ନାହିଁ। ତେଣୁ ସଙ୍ଗଠନଗୁଡିକ ପଚାରିଛନ୍ତି କି ଗୋୟଙ୍କାଙ୍କ ଏହି ବୟାନ କଣ ଭାରତ ସରକାର, ମହାକାଶ ଆୟୋଗ କିମ୍ବା ମହାକାଶ ବିଭାଗର ଔପଚାରିକ ନିଷ୍ପରି କି ? ତେଣୁ ସେମାନେ ସରକାର ନେଉଥିବା ନିଷ୍ପଭି ଓ ନୀତିର ଲିଖିତ ବିବରଣୀ ମାଗିଛନ୍ତି। ସେମାନେ ଜାଣିବାକୁ ଚାହିଁଛନ୍ତି ଯେ ପିଏସଏଲଭି, ଏଲଭିଏମ୍ -୩ ଏବଂ ଏସଏଏଲ୍ଭି ଭଳି ପ୍ରକ୍ଷେପଣ ଯାନର ଡିଜାଇନ, ବିକାଶ, ଏକୀକରଣ ଓ ପ୍ରକ୍ଷେପଣର ଦାୟିତ୍ଵ ଆଗକୁ ଇସ୍ରୋ ପାଖରେ ରହିବ ନା ନାହିଁ ।

ଉକ୍ତ ଚିଠିରେ ସର୍ବସାଧାରଣଙ୍କ ଅର୍ଥରେ ବିକଶିତ ଟେକ୍ନୋଲୋଜି, ଟ୍ରେନିଂ ସୁବିଧା, ପ୍ରକ୍ଷେପଣ କେନ୍ଦ୍ର ଓ ଟେକ୍ନୋଲୋଜି ତଥ୍ୟକୁ ଘରୋଇ କ୍ଷେତ୍ର ଲାଗି ଉନ୍ମୁକ୍ତ କରାଯିବା ପ୍ରକ୍ରିୟା ଉପରେ ଜବାବ ମାଗିଛନ୍ତି। ସେମାନେ ଏନଏଇଏଲ୍ ଏବଂ ଇନ୍-ସ୍ପେସ୍ର ଭୂମିକା ସମ୍ପର୍କରେ ମଧ୍ୟ ତଥ୍ୟ ମାଗିଛନ୍ତି। ସେମାନଙ୍କର କହିବାକଥା ପ୍ରକ୍ଷେପଣ ଯାନର ଡିଜାଇନ, ଏକୀକରଣ, ପରୀକ୍ଷଣ ଓ ପ୍ରକ୍ଷେପଣ କେବଳ ସାଧାରଣ ବିନିର୍ମାଣ ଗତିବିଧି ନୁହେଁ, ବରଂ ଇସ୍ରୋର ଟେକ୍ନିକାଲ କ୍ଷମତା, ସଂସ୍ଥାଗତ ଅନୁଭବ ଓ ରଣନୀତିକ ଶକ୍ତି ଅଟେ । ସେମାନଙ୍କ ଡର ଏଥିପାଇଁ ରହିଛି କି ଏସବୁ ଦାୟିତ୍ଵ ହ୍ରାସ ଘଟିବା ଫଳରେ ଆନ୍ତରିକତାର ସହ କାମ କରିବା, ଗବେଷଣା ପରେ ପ୍ରୟୋଗକୁ ଆଗକୁ ବଢ଼ାଇବାର କ୍ଷମତା ଏବଂ ଟେକ୍ନୋଲୋଜି ବିକାଶ ଆଦି ପ୍ରଭାବିତ ହେବ ।

Also Read :- ଯୁଦ୍ଧ ବନ୍ଦ କରିବା ମୁଡ୍ ରେ ନାହାଁନ୍ତି ପୁଟିନ ! ଆମେରିକା ପ୍ରତିନିଧିଙ୍କୁ କହିଦେଲେ ଶେଷ ନିଷ୍ପତ୍ତି

ସେମାନେ କହିଛତି ଘରୋଇ କମ୍ପାନିଙ୍କୁ କାମ ମିଳିବା ଦ୍ବାରା ଇସ୍ରୋରେ ଯେତିକ ସ୍ବୀକୃତିଗତ ପଦ ଅଛି ତାକୁ ହ୍ରାସ କରିଦିଆଯିବାର ସମ୍ଭାବନା ରହିଛି। କେବଳ ଏତିକି ନୁହେଁ, ନୂଆ ନିଯୁକ୍ତି କମିବ ଏବଂ ପଦୋନ୍ନତି ମଧ୍ଯ ମିଳିବାର ସମ୍ଭାବନା କମ୍। ବର୍ତ୍ତମାନ କାର୍ଯ୍ୟରତ କର୍ମଚାରୀଙ୍କୁ ଅତିରିକ୍ତ ଘୋଷିତ କରି ସେମାନଙ୍କୁ ଅନ୍ୟତ୍ର ଲଗାଇବାର ବିପଦ ମଧ୍ଯ ରହିଥିବା ଉକ୍ତ ୯ଟି କର୍ମଚାରୀ ସଂଘ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି।