କୋଲକାତା: ପଶ୍ଚିମବଙ୍ଗ ପଞ୍ଚାୟତ ବ୍ୟାପାର ଓ ଗ୍ରାମୀଣ ବିକାଶ ମନ୍ତ୍ରୀ ତଥା କୋଲକାତା ନଗର ନିଗମ (କେଏମସି) ମେୟର ଫିରହାଦ ହକିମ ଗୁରୁବାର ବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ୪ ମେ ଭୋଟ ଗଣନାରେ ପୁଣି ତୃଣମୂଳ କଂଗ୍ରେସ (ଟିଏମସି) ରାଜ୍ୟ କ୍ଷମତାକୁ ଫେରିବ। ଏହା ସହିତ ସେ କହିଛନ୍ତି ଯେ ଯଦି ନିର୍ବାଚନରେ ଟିଏମସି ବହୁମତରେ ବିଜୟୀ ହୁଏ ତେବେ ମେ ୬ ତାରିଖରେ ନୂଆ ମନ୍ତ୍ରୀମଣ୍ଡଳନ ଶପଥପାଠ କରିବ। ହକିମ ନିର୍ବାଚନ ଫଳାଫଳ ବାବଦେ ଏଗଜିଟ୍ ପୋଲ ରିପୋର୍ଟକୁ ଖାରଜ କରିଦେଇଛନ୍ତି। କହିଛନ୍ତି ପଶ୍ଚିମବଙ୍ଗ ବିଧାନସଭାର ୨୯୪ ଆସନରୁ ଟିଏମସି ୨୨୫ରୁ ଅଧିକ ଆସନରେ ଜିତି ପୁଣି ସରକାର କରିବ।

ସେ ଗଣମାଧ୍ୟମ ସହ ଆଲୋଚନାରେ କହିଛନ୍ତି ଯେ ଲଗାତାର ଚତୁର୍ଥବାର ରାଜ୍ୟରେ ତୃଣମୂଳ କଂଗ୍ରେସ ସରକାର ଗଢିବା ନିଶ୍ଚିତ। ଏଣୁ ସମ୍ଭାବନା ରହିଛି ମେ ୬ ତାରିଖରେ ମମତା ବାନାର୍ଜୀଙ୍କ ନେତୃତ୍ୱରେ ନୂଆ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ କରିବ। ମେୟର କହିଛନ୍ତି ଯେ ବିଜେପି ଦ୍ୱାରା ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ଙ୍କୁ ଉପଯୋଗ କରି ଯେଉଁସବୁ ପ୍ରୟାସ କରାଯାଇଛି ୪ ମେ ଭୋଟ ଗଣନା ପରେ ତାହା ସବୁ ନିଷ୍ଫଳ ହେବ। ଆମର ପାର୍ଟି କାର୍ଯ୍ୟକର୍ତ୍ତା, ନେତା, ଏପରିକି ନିର୍ଦ୍ଦୋଷ ଭୋଟରଙ୍କୁ ବି କେନ୍ଦ୍ରୀୟ ଫୋର୍ସ ଦ୍ୱାରା ଧମକା ଯାଇଛି। ତେବେ ଏହା କାମ କରିବ ନାହିଁ। ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସକୁ ଏତେ ସହଜରେ ରୋକା ଯାଇ ନପାରେ।

ଫିରହାଦ ହକିମ କହିଛନ୍ତି ଯେ ଏଥରର ଉଚ୍ଚ ଭୋଟ ପ୍ରତିଶତକୁ ଲୋକେ ଶାସନ ବିରୋଧୀ ଲହରର ସଂକେତ ଭାବୁଛନ୍ତି। ହେଲେ ଜନାଦେଶ ତୃଣମୂଳ ବିରୋଧରେ ଯିବ ନାହିଁ। ନିର୍ବାଚନ ଆୟୋଗଙ୍କ ଦ୍ୱାରା ରାଜ୍ୟରେ ନିର୍ବାଚନ ପୂର୍ବରୁ ଚଳାଯାଇଥିବା ବିଶେଷ ଗହନ ପୁନରୀକ୍ଷଣ (ଏସଆଇଆର)ରେ ଅନେକ ଭୋଟରଙ୍କ ନାମ ବାଦ ଦିଆଯାଇଛି। ଏଥିରେ ଯଦି ଲୋକେ ଭୋଟ ଦେବାକୁ ଆସି ନଥାନ୍ତେ ସେମାନଙ୍କ ନାମ ନାଗରିକତା ସୂଚୀରୁ ହଟାଇ ଦିଆଯାଇଥାନ୍ତା। ଏଣୁ ଏଥର ଭୋଟ ପ୍ରତିଶତ ବଢିଛି।

ତେବେ ବିଜେପି ପ୍ରଦେଶ ନେତୃତ୍ୱ ହକିମଙ୍କ ୨୨୫ଆସନ ସଂଖ୍ୟାକୁ ଖାରଜ କରିଦେଇଛି। ପଶ୍ଚିମବଙ୍ଗ ବିଜେପି ପ୍ରଦେଶ ସଭାପତି ଜଗନ୍ନାଥ ଚଟ୍ଟୋପଧ୍ୟାୟ କହିଛନ୍ତି ଏହା କେବଳ ଭୋଟ ଗଣନା ପର୍ଯ୍ୟନ୍ତ ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ମନବଳ ବଢାଇବାକୁ କୁହାଯାଉଛି। ତେବେ ଶାସକ ଦଳ ନେତାଙ୍କ ହାବଭାବରେ ପରାଜୟର ଭୟ ସ୍ପଷ୍ଟ ବାରି ହୋଇ ପଡୁଛି ବୋଲି ଚଟୋପଧ୍ୟାୟ କହିଛନ୍ତି।