ନୂଆଦିଲ୍ଲୀ: ଦେଶରେ ଚିପସ୍, ବର୍ଗର, କୋଲ୍ଡ ଡ୍ରିଙ୍କସ୍ ଓ ପ୍ୟାକଡ୍ ସ୍ନାକ୍ସ ଖୁବ୍ ଶୀଘ୍ର ମହଙ୍ଗା ହୋଇପାରେ। ପିଲାଙ୍କ ମୋଟାପଣ ଓ ଡାୟବେଟିଜ୍ କୁ ନିୟନ୍ତ୍ରଣ ଲାଗି ଜାତୀୟ ପୋଷଣ ସଂସ୍ଥାନ (ଆଇସିଏମଆର) ଜଙ୍କ ଫୁଡ ଉପରେ ସ୍ୱତନ୍ତ୍ର ହେଲଥ୍ ଟ୍ୟାକ୍ସ ଲଗାଇବାକୁ ପ୍ରସ୍ତାବ ଦେଇଛନ୍ତି। ନୀତି ଆୟୋଗ ସଦସ୍ୟ ଡା.ଏମ. ଶ୍ରୀନିବାସନଙ୍କ ରିପୋର୍ଟ ଅନୁସାରେ ଦେଶରେ ଏକ ୪.୧କୋଟି ପିଲା ଓଭରୱେଟ୍ ଅଛନ୍ତି। ଆଶା କରାଯାଉଛି ୨୦୨୭ ସୁଦ୍ଧା ୧୧% ଓଭର ୱେଟ୍ ପିଲା ଭାରତରେ ଥିବେ। ଏଣୁ ଏହାର ମୁକାବିଲା ନିମନ୍ତେ ଆଇସିଏମଆର ୫ ସୂତ୍ରୀ ପ୍ଲାନ ଜାରି କରିଛନ୍ତି। ଏହାର ସିଧା ପ୍ରଭାବ ଦେଶର ଏଫଏମସିଜି ଓ ଫୁଡ କମ୍ପାନୀଙ୍କ ଉପରେ ପଡିବ।

ଆଇସିଏମଆରଙ୍କ ପ୍ରସ୍ତାବ ଅନୁସାରେ ତମାଖୁ ଓ ମଦ୍ୟ ଭଳି ଅଧିକ ଫ୍ୟାଟ୍, ଲୁଣିଆ, ଚିନିଥିବା ସାମଗ୍ରୀ ଓ ମିଠା ଡ୍ରିଙ୍କସ୍ ଉପରେ ଟ୍ୟାକ୍ସ ବଢିବ। ଏହାର ଉଦ୍ଦେଶ୍ୟ ହେଉଛି ସ୍ୱାସ୍ଥ୍ୟକର ଖାଦ୍ୟକୁ ଶସ୍ତା ଓ ଜଙ୍କ ଫୁଡକୁ ମହଙ୍ଗା କରିବା। ସେହିପରି କାର୍ଟୁନ କ୍ୟାରେକ୍ଟର ଓ ଭ୍ରମାତ୍ମକ ହେଲଦି ଟ୍ୟାଗ୍ ଥିବା ବିଜ୍ଞାପନ ଉପରେ କଟକଣା ଲାଗିବ। ଏବେ ଦେଶରେ ଅସ୍ୱାସ୍ଥ୍ୟକର ସ୍ନାକ୍ସ କୁ ସ୍ୱାସ୍ଥ୍ୟକର କହି ବିକ୍ରି କରାଯାଇ ପାରିବନି। ଏବେ ଏପରି ଖାଦ୍ୟ ପ୍ୟାକେଟ୍ ଉପରେ ବଡ଼ ବଡ଼ ଅକ୍ଷରରେ ସୁଗାର, ଫ୍ୟାଟ୍ ଓ ଲବଣ ମାତ୍ରା ଲେଖିବା ଜରୁରି ହେବ। ଏହାଦ୍ୱାରା ଖାଦ୍ୟ ପ୍ୟାକେଟ ସ୍ୱାସ୍ଥ୍ୟକର କି ନୁହେଁ ତାହା ୨ ସେକେଣ୍ଡରେ ଜଣାପଡିଯିବ।

ସେହିପରି ବିଦ୍ୟାଳୟ ଓ ଏହାର ଆଖପାଖ ଅଞ୍ଚଳରେ ଜଙ୍କଫୁଡ ବିକ୍ରି ଉପରେ ରୋକ ଲାଗିବ। ସ୍କୁଲମାନେ ନିଜନିଜ କ୍ୟାଣ୍ଟିନର ହେଲଥ୍ ସ୍କୋର ପ୍ରସ୍ତୁତ କରିବେ। ଏହିସବୁ କାର୍ଯ୍ୟକ୍ରମକୁ ‘ଆୟୁଷ୍ମାନ ଭାରତ- ସ୍କୁଲ ହେଲଥ୍ ଆଣ୍ଡ ୱେଲନେସ୍ ପ୍ରୋଗ୍ରାମ’ ସହ ସଂଯୁକ୍ତ କରାଯିବ। ସେହିପରି ଜନସଚେତନତା ପାଇଁ ଖାସ କମିକ୍ ବୁକ୍ ଓ ଡିଜିଟାଲ ପ୍ଲାଟଫର୍ମ ତିଆରି କରାଯିବ। ଏଥିରେ ପିଲାଙ୍କୁ ରୋଚକ ଢଙ୍ଗରେ ଖାଦ୍ୟରେ କେତେ ପରିମାଣରେ ସୋଡିୟମ ଓ ଫ୍ୟାଟ୍ ରହିଛି ତାହା ଜଣାଯିବ। ୟୁନିସେଫ, ଡବ୍ଲୁଏଚଓ ଏବଂ ଏଫଏସଏସଏଆଇଙ୍କ ମିଳିତ ପ୍ରୟାସରେ ଆରମ୍ଭ ହେବାକୁ ଥିବା ଯୋଜନା ଲାଗୁ ହେବା ପରେ ଫୁଡ କମ୍ପାନୀଙ୍କୁ ସେମାନଙ୍କ ସାମଗ୍ରୀର ମୂଲ୍ୟ, ପ୍ୟାକେଜିଂ ଓ ମାର୍କେଟିଂରେ ବଡ଼ ପରିବର୍ତ୍ତନ କରିବାକୁ ପଡିବ।