ନୂଆଦିଲ୍ଲୀ: ଆଇସିସି ଠିକ୍ ବର୍ଷେ ପୂର୍ବରୁ ଗୁରୁବାର ୨୦୨୭ ଦିନିକିଆ ବିଶ୍ୱକପ୍ ଖେଳସୂଚୀ ଜାରି କରିଛି । ଏହି ବିଶ୍ୱକପ୍ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଏବଂ ନାମିବିଆର ୧୨ଟି ସହରରେ ଅକ୍ଟୋବର ୨ରୁ ନଭେମ୍ବର ୨୧ ମଧ୍ୟରେ ଖେଳାଯିବ । ନଭେମ୍ୱର ୨୧ରେ ଜୋହାନ୍ସବର୍ଗରେ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ଖେଳାଯିବ । ଅକ୍ଟୋବର ୭ରେ ବିଶ୍ୱକପ୍ ଲିଗ୍ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ଏହାପରେ ଅକ୍ଟୋବର ୧୦ରେ ଭାରତ ନିଜର ଚୀର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଜୋହାନ୍ସବର୍ଗ ଷ୍ଟାଡିୟମରେ ନିଜର ଦ୍ୱିତୀୟ ମ୍ୟାଚ୍ ଖେଳିବ । ଅକ୍ଟୋବର ୧୪ରେ ଆଫଗାନିସ୍ତାନ ବିପକ୍ଷରେ ତୃତୀୟ, ଅକ୍ଟୋବର ୧୭ରେ କ୍ୱିଲାଫାୟାର ଏ’ ଟିମ୍ ସହ ଚତୁର୍ଥ ମ୍ୟାଚ୍ ଖେଳିବ । ଅକ୍ଟୋବର ୨୪ରେ ଜିମ୍ୱାୱେ ବିପକ୍ଷରେ ନିଜ ଶେଷ ଲିଗ୍ ମ୍ୟାଚ୍ ଖେଳିବ ଭାରତ ।

୨୦୨୭ ବିଶ୍ୱକପରେ ଗ୍ରୁପ୍ ଏ'ରେ ଭାରତୀୟ ଦଳକୁ ରଖାଯାଇଛି । ଭାରତ ସହିତ ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ପାକିସ୍ତାନ ଓ ଜିମ୍ବାୱେ ଦଳ ଅଛନ୍ତି । ସେହିପରି ଗ୍ରୁପ୍ ବି'ରେ ବାଂଲାଦେଶ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଏବଂ ନ୍ୟୁଜିଲ୍ୟାଣ୍ଡ ଦଳ ରହିଛନ୍ତି । ଆଇସିସି ସୂଚୀ ଅନୁଯାୟୀ ଟୁର୍ଣ୍ଣାମେଣ୍ଟ ଅକ୍ଟୋବର ୪ରୁ ଆରମ୍ଭ ହେବ ।

ବିଶ୍ୱକପ୍ ୨୦୨୭ ପାଇଁ ଦଳଗୁଡ଼ିକ:

ଗ୍ରୁପ୍ ଏ': ଭାରତ, ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ପାକିସ୍ତାନ, ଜିମ୍ବାୱେ ଏବଂ କ୍ୱାଲିଫାୟର୍ ଏ'

ଗ୍ରୁପ୍ 'ବି': ବାଂଲାଦେଶ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ନ୍ୟୁଜିଲ୍ୟାଣ୍ଡ ଏବଂ କ୍ୱାଲିଫାୟର୍ ବି'

ଟୁର୍ଣ୍ଣାମେଣ୍ଟର ଆଗାମୀ ସଂସ୍କରଣ ଏକ ନୂତନ ଫର୍ମାଟରେ ଅନୁଷ୍ଠିତ ହେବ । ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଏବଂ ନାମିବିଆରେ ମିଳିତ ଭାବେ ଏହାର ଆୟୋଜନ ହେବ । ଟିମ ସଂଖ୍ୟା ୧୪କୁ ବୃଦ୍ଧି କରାଯାଇଛି । ଟୁର୍ଣ୍ଣାମେଣ୍ଟ ସେମିଫାଇନାଲରେ ପହଞ୍ଚିବା ପୂର୍ବରୁ ମୋଟ ତିନି ରାଉଣ୍ଡ ଖେଳ ଅନୁଷ୍ଠିତ ହେବ । ଶେଷ ତିନୋଟି ସ୍ଥାନରେ ଥିବା ଦଳକୁ ନେଇ ଏକ ସୁପର ସିରିଜ ସହିତ ଆରମ୍ଭ ହେବ । ସେଠାରୁ ଶୀର୍ଷ ଦଳ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିବ । ଏଠାରେ ଛଅଟି ଦଳ ଥିବା ଦୁଇଟି ଗ୍ରୁପ୍ ରହିବ । ତୃତୀୟ ରାଉଣ୍ଡରେ ଦୁଇଟି ଗ୍ରୁପର ସର୍ବଶ୍ରେଷ୍ଠ ସାତଟି ଦଳ ସୁପର ସେଭେନରେ ପ୍ରବେଶ କରିବେ । ସାତ ଟିମଙ୍କ ମଧ୍ୟରୁ ଚାରିଟୋ ଟିମ୍ ସେମିଫାଇନାଲରେ ପ୍ରବେଶ କରିବେ ।

ଭାରତ-ପାକିସ୍ତାନ ମଧ୍ୟରେ ୩ ଥର ହୋଇପାରେ ମ୍ୟାଚ୍

ବିଶ୍ୱକପ୍ ୨୦୨୭ ର ଫର୍ମାଟକୁ ଦେଖିଲେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟୁର୍ଣ୍ଣାମେଣ୍ଟରେ ତିନି ଥର ମୁହାଁମୁହିଁ ହେବାର ସମ୍ଭାବନା ରହିଛି । ପ୍ରଥମେ ରାଉଣ୍ଡ-ରୋବିନ୍ ପର୍ଯ୍ୟାୟରେ ଏବଂ ପରେ ସୁପର-୭ ପର୍ଯ୍ୟାୟରେ । ଯଦି ଦୁଇ ଦଳ ଆଗାମୀ ପର୍ଯ୍ୟାୟକୁ କ୍ୱାଲିଫାଏ କରନ୍ତି, ତେବେ ତୃତୀୟ ଥର ପାଇଁ ମଧ୍ୟ ମୁହାଁମୁହିଁ ହୋଇପାରନ୍ତି ।