ନୂଆଦିଲ୍ଲୀ: ବିବାହର ପ୍ରତିଶ୍ରୁତି ଦେଇ ୧୪ ଜଣ ଯୁବତୀଙ୍କୁ ଶାରୀରିକ, ମାନସିକ ଓ ଆର୍ଥିକ ଶୋଷଣ କରିବା ଅଭିଯୋଗରେ ଫେରାର ଥିବା ମହାରାଷ୍ଟ୍ରର ଜଣେ ଅଭିଯୁକ୍ତକୁ ଶୁକ୍ରବାର UAEରୁ ଭାରତକୁ ପ୍ରତ୍ୟର୍ପଣ କରାଯାଇଛି। ମହମ୍ମଦ ମାଜିନ୍ ନାମକ ଏହି ଅଭିଯୁକ୍ତକୁ ଭାରତ ଫେରାଇ ଅଣାଯାଇଛି। ବୈଦେଶିକ ମନ୍ତ୍ରଣାଳୟ , ଗୃହ ମନ୍ତ୍ରଣାଳୟ, ମହାରାଷ୍ଟ୍ର ପୁଲିସ ଏବଂ ୟୁଏଇ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ଏହି ସଫଳତା ମିଳିଛି।

ସିବିଆଇ ସୂଚନା ଅନୁଯାୟୀ, ଅଭିଯୁକ୍ତ ମହମ୍ମଦ ମାଜିନ୍ ଜଣେ ଯୁବତୀଙ୍କୁ ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା । ପରେ ତାଙ୍କୁ ଶାରୀରିକ, ମାନସିକ ଓ ଆର୍ଥିକ ନିର୍ଯାତନା ଦେଇଥିଲା। ପୀଡ଼ିତାଙ୍କଠାରୁ ସେ ୧୮ ଲକ୍ଷ ଟଙ୍କା ହଡ଼ପ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ସିବିଆଇ ମୁଖପାତ୍ର ବୀଣା ଯାଦବ କହିଛନ୍ତି ଯେ, ଏହି ମାମଲାରେ ସମ୍ପୃକ୍ତ ଅଦାଲତରେ ପୂର୍ବରୁ ହିଁ ଚାର୍ଜସିଟ୍ ଦାଖଲ କରାଯାଇସାରିଛି। ତଦନ୍ତରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ, ମାଜିନ୍ ଅନ୍ୟ ୧୩ ଜଣ ଯୁବତୀଙ୍କୁ ମଧ୍ୟ ବିବାହର ପ୍ରତିଶ୍ରୁତି ଦେଇ ଶୋଷଣ କରିବା ସହ ସେମାନଙ୍କଠାରୁ ଟଙ୍କା ଆଦାୟ କରିଥିଲା । ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ରେକର୍ଡିଂ କରି ରଖିଥିଲା ଏବଂ ବ୍ଲାକମେଲ୍‌ କରୁଥିଲା ।

ଏହି ଘଟଣା ପଦାକୁ ଆସିବା ପରେ ଅଭିଯୁକ୍ତ ଜଣକ ବିଦେଶକୁ ଫେରାର ହୋଇଯାଇଥିଲା। ଏହାପରେ ମହାରାଷ୍ଟ୍ର ପୁଲିସ ତାକୁ ଠାବ କରିବା ଓ ଗିରଫ କରିବା ପାଇଁ ସହାୟତା ମାଗିଥିଲା। ମହାରାଷ୍ଟ୍ର ପୁଲିସର ଅନୁରୋଧ କ୍ରମେ ନୂଆଦିଲ୍ଲୀ ସ୍ଥିତ ସିବିଆଇର ନ୍ୟାସନାଲ ସେଣ୍ଟ୍ରାଲ ବ୍ୟୁରୋ ମାଧ୍ୟମରେ ମାଜିନ୍ ବିରୋଧରେ ଇଣ୍ଟରପୋଲ୍ ରେଡ୍ ନୋଟିସ୍ ଜାରି କରାଯାଇଥିଲା। ଫଳରେ ୟୁଏଇ କର୍ତ୍ତୃପକ୍ଷ ତା’ର ଅବସ୍ଥିତି ଠାବ କରି ତାକୁ ଗିରଫ କରିଥିଲେ। ସମସ୍ତ ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ୟୁଏଇ ସରକାର ତାକୁ ଭାରତକୁ ହସ୍ତାନ୍ତର କରିବା ପାଇଁ ଅନୁମତି ଦେଇଥିଲେ। ଏହାପରେ ମହାରାଷ୍ଟ୍ର ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ୟୁଏଇ ଯାଇ ଅଭିଯୁକ୍ତକୁ ନିଜ ହେପାଜତକୁ ନେଇଥିଲେ ।  ନଭେମ୍ବର ୨୦ ତାରିଖରେ ତାକୁ ଧରି କୋଚି ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ।