ଜୟପୁର: ରାଜସ୍ଥାନ ପଞ୍ଚାୟତ ନିର୍ବାଚନ ଫଳାଫଳ ଆସିଯାଇଛି। ଏହି ନିର୍ବାଚନରେ ବିରୋଧୀ କଂଗ୍ରେସ ବାଜିମାତ କରିଛି। ନିର୍ବାଚନରେ କଂଗ୍ରେସ ବଡ଼ ପାର୍ଟି ଭାବେ ଉଭା ହୋଇଥିବା ବେଳେ ଶାସକ ବିଜେପିକୁ ବଡ଼ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ରାଜଧାନୀ ଜୟପୁରରେ କଂଗ୍ରେସଠାରୁ ବିଜେପି ପଛେଇ ଯାଇଛି। ପଞ୍ଚାୟତ ନିର୍ବାଚନର ଏହି ଫଳାଫଳକୁ ନେଇ କଂଗ୍ରେସ ପାର୍ଟି କହିଛି ଯେ ଜେନ-ଜୀ ଆନ୍ଦୋଳନ ଓ ୟୁଜିସି ନିୟମ ପରିବର୍ତ୍ତନ ସହିତ ବିଭିନ୍ନ ପ୍ରସଙ୍ଗରେ ଶାସକ ବିରୋଧୀ ଲହର ର ଲାଭ କଂଗ୍ରେସକୁ ମିଳିଛି। କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ଦାବି କରିଛନ୍ତି ଯେ ସରକାରର ସେମିଫାଇନାଲ ମନେ କରାଯାଉଥିବା ପଞ୍ଚାୟତ ନିର୍ବାଚନ ଫଳାଫଳ ଆଗାମୀ ବିଧାନସଭା ନିର୍ବାଚନର ଗଣିତକୁ ବଦଳାଇବାର ଏକ ସଂକେତ।

ପଞ୍ଚାୟତ ନିର୍ବାଚନ ଫଳାଫଳକୁ ନେଇ ବିଜେପିର ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ବିଜେପି କାର୍ଯ୍ୟକର୍ତ୍ତାମାନେ କହିଛନ୍ତି ଯେ ସେମାନେ ନିର୍ବାଚନ ପ୍ରଚାରରେ ଧ୍ୟାନ ଦେଇ ପାରିନଥିଲେ। ସରକାରଙ୍କ ଯୋଜନା ସମ୍ପର୍କରେ ସୂଚନା ଜନତାଙ୍କ ପର୍ଯ୍ୟନ୍ତ ପହଞ୍ଚି ପାରିଲା ନାହିଁ। ଫଳାଫଳକୁ ନେଇ ମନ୍ଥନ କରାଯିବ, ତେବେ ୟୁଜିସି ନିୟମରେ ପରିବର୍ତ୍ତନ ଦଳକୁ କ୍ଷତିରେ ପକାଇଥିବା କାର୍ଯ୍ୟକର୍ତ୍ତା କହିଛନ୍ତି। ଏହି ନିର୍ବାଚନନ ଅସଦୁଦ୍ଦିନ ଓବେସୀ ଓ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି ନେତା ହନୁମାନ ବେନିୱାଲ ମେଣ୍ଟ କରିଥିଲେ। ଏଣୁ ମେଣ୍ଟକୁ ମଧ୍ୟ କେତେକ ସ୍ଥାନରେ ସମର୍ଥନ ମିଳିଛି।

ଏହି ନିର୍ବାଚନ ଫଳାଫଳରୁ ଆଗାମୀ ବିଧାନସଭା ନିର୍ବାଚନରେ ଓବେସୀ ଓ ବେନିୱାଲଙ୍କ ମେଣ୍ଟ ମଜଭୁତ ତୃତୀୟ ସାମୁଖ୍ୟ ଭାବେ ଉଭା ହୋଇପାରେ ବୋଲି କାର୍ଯ୍ୟକର୍ତ୍ତା ଆଶାପୋଷଣ କରିଛନ୍ତି। ରାଜସ୍ଥାନ ପଞ୍ଚାୟତ ନିର୍ବାଚନ ଲାଗି ୩୭ ଜିଲ୍ଲାରେ ୧୨୭୫ ଜିଲ୍ଲାପରିଷଦ ଓ ୭୫୪୩ ପଞ୍ଚାୟତ ସମିତି ୱାର୍ଡରେ ଶୁକ୍ରବାର ସକାଳ ୮ଟାରୁ ଭୋଟଗଣନା ଜାରି ରହିଛି। ଏହି ନିର୍ବାଚନରେ କଂଗ୍ରେସ ରାଜ୍ୟରେ ଜୋରଦାର ପ୍ରତ୍ୟାବର୍ତ୍ତନ କରିଛି।