ଭୁବନେଶ୍ବର ୩୧।୧୨: ନୂଆବର୍ଷ ପୂର୍ବରୁ ନିଶା ବେପାରୀଙ୍କ ନଜରରେ ଭୁବନେଶ୍ବର । ବାହାର ଦେଶରୁ ନିଶା ଆଣି ଭୁବନେଶ୍ବରରେ ଚଢା ଦରରେ ବିକ୍ରି କରିବା ଓ ଯୁବ ସମାଜକୁ ପଥଭ୍ରଷ୍ଟ କରିବା ଏହି ନିଶା ବେପାରୀଙ୍କ ମୁଖ୍ୟ ଉଦ୍ଦେଶ୍ୟ । ଭୁବନେଶ୍ବର ଆନ୍ତର୍ଜାତୀୟ ବିମାନ ବନ୍ଦରରେ କଷ୍ଟମ ବିଭାଗର ତନଖି ବେଳେ ପୁଣି ଜବତ ହୋଇଛି ମାରିଜୁଆନା । ବିମାନବନ୍ଦରରୁ ୩.୯୩ କେଜି ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ ହୋଇଥିବା ଜଣାପଡିଛି । ଜବତ ହାଇଡ୍ରୋପୋନିକ୍‌ର ଆନୁମାନିକ ମୂଲ୍ୟ ପ୍ରାୟ ୪ କୋଟି ଟଙ୍କା ହେବ ବୋଲି କୁହାଯାଉଛି ।  ତେବେ ବ୍ୟାଙ୍କକ୍‌ରୁ ଆସୁଥିବା ଯାତ୍ରୀଙ୍କ ବ୍ୟାଗ୍‌ରେ ଥିଲା ୪ଟି ପ୍ୟାକେଟ୍‌ର ହାଇଡ୍ରୋପୋନିକ୍ । ଯାତ୍ରୀଙ୍କ ବ୍ୟାଗ୍‌ର ଚକୋଲେଟ୍ ପ୍ୟାକେଟ୍ କାର୍ଡବୋର୍ଡରେ ଏହି ଗଞ୍ଜେଇ ରହିଥିଲା । ବିଶେଷ ସୂଚନା ଆଧାରରେ ଏହି ଗଞ୍ଜେଇକୁ ଜବତ କରିଛି ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ।

ତେବେ ଚୋରାରେ ମାରିଜୁଆନା ଆଣୁଥିବା ବ୍ୟକ୍ତି ଜଣକ କିଏ ? ସେ ଏତେ ପରିମାଣର ମାରିଜୁଆନା କାହା ପାଇଁ ଆଣିଥିଲା ? ମାରିଜୁଆନା ଆଣି ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଧରାପଡିଥିବା ବ୍ୟକ୍ତି ଜଣକ ଆଉ କାହା ପାଇଁ ମାରିଜୁଆନାକୁ ଚୋରାରେ ଆଣୁଥିଲା କି ? ଏହି ମାରିଜୁଆନା ଓଡ଼ିଶାର କେଉଁ ଅଞ୍ଚଳକୁ ଚାଲାଣ କରାଯାଇଥାନ୍ତା ? ନୂଆବର୍ଷରେ କୌଣସି ହୋଟେଲ କିମ୍ବା ପାର୍ଟିରେ ଏହାକୁ ବ୍ୟବହାର ପାଇଁ ଅଣାଯାଇନଥିଲା ତ ? ଏମିତି ଅନେକ ପ୍ରଶ୍ନର ଉତ୍ତର ଖୋଜୁଛି ତଦନ୍ତକାରୀ ଟିମ୍ ।

ତେବେ ମଙ୍ଗଳବାର ଦିନ ମଧ୍ୟ ଭୁବନେଶ୍ବର ବିମାନବନ୍ଦରରୁ ପ୍ରାୟ ୪ କେଜିର ମାରିଜୁଆନା ଜବତ କରାଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଥିଲା । ଜଣେ ବ୍ୟକ୍ତି ନିଜ ଆଟାଚ ଓ ଟ୍ରଫି ପ୍ୟାକେଟ୍‌ରେ ଏହି ମାରିଜୁଆନାକୁ ଆଣିଥିବା କଷ୍ଟମ ବିଭାଗ ପକ୍ଷରୁ ସୂଚନା ମିଳିଥିଲା ।

ପୂର୍ବରୁ ମଧ୍ୟ ଅନେକ ଥର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର ରାସ୍ତା ଦେଇ ମାରିଜୁଆନା ଓଡ଼ିଶାକୁ ଆସିଥିଲା । କିନ୍ତୁ ସେହିସବୁ ମାରିଜୁଆନା ଅନ୍ୟ ରାଜ୍ୟକୁ ଯାଉଥିବା କହିଥିଲେ ଧରା ପଡିଥିବା ବିମାନ ଯାତ୍ରୀ । ଗୁଜୁରାଟକୁ ଗତ ମାର୍ଚ୍ଚ ମାସରେ ଏହି ରାସ୍ତା ଦେଇ ମାରିଜୁଆନା ଚାଲାଣ ବେଳେ କଷ୍ଟମ ବିଭାଗ ଦ୍ବାରା ଧରାପଡିଥିଲା । ସେହିଭଳି ଅଗଷ୍ଟ ମାସରେ ମଧ୍ୟ ଭୁବନେଶ୍ବର ବିମାନ ବନ୍ଦରରୁ ମାରିଜୁଆନା ଜବତ କରିଥିଲା କଷ୍ଟମ ବିଭାଗ । ଭୁବନେଶ୍ବର ଆନ୍ତର୍ଜାତୀୟ ବିମାନ ବନ୍ଦରକୁ କାହିଁକି ଗଳା ବାଟ ଭାବୁଛନ୍ତି ନିଶା ବେପାରୀ ? ଏଠାରେ କ’ଣ ସିକ୍ୟୁରିଟି କୋହଳ ଯୋଗୁ ନିଶା ବେପାରୀଙ୍କ ରାସ୍ତା ଏବେ ମୁମ୍ବାଇ ଓ କଲିକତା ବଦଳରେ ଭୁବନେଶ୍ବର ବିମାନ ବନ୍ଦର ପାଲଟିଛି କି ?