ନୂଆଦିଲ୍ଲୀ: ତୁମ ଘର ତଳେ ଗୁପ୍ତ ଧନ ଅଛି । ଟଙ୍କା, ସୁନା, ରୁପା ସହ ଆହୁରି ଅନେକ କିଛି । ହାଇଦ୍ରାବାଦର ଜଣେ ଭଣ୍ଡ ବାବା ଏଭଳି ଚିକଣିଆ କଥା କହି ଲୋକଙ୍କୁ ପ୍ରଲୋଭିତ କରି ୧୧ ଜଣଙ୍କୁ ଚୁନ ଲଗାଇଛି । ଭଣ୍ଡ ବାବା ସେହି ୧୧ ଜଣଙ୍କଠାରୁ ପ୍ରାୟ ୧ କୋଟି ଟଙ୍କା ଠକେଇ ମଧ୍ୟ କରିଛି । ଏହି ଘଟଣାର ଏକ ଭିଡିଓ

ଭିଡିଓରେ ଭଣ୍ଡ ବାବା ଭୂମିରେ କିଛି ତନ୍ତ୍ର-ମନ୍ତ୍ର କରୁଥିବାର ନଜର ଆସୁଛି । ସେ ମାଟି ଉପରେ ହଳଦୀ, ସିନ୍ଦୂର ଦ୍ୱାରା ଏକ ଗୋଲକାର ଚିତ୍ର ଆଙ୍କିଛି ।  ନିକଟରେ ତନ୍ତ୍ର ବିଦ୍ୟାର ସାମଗ୍ରୀ ସଜାଇ ରଖିଛି । ସେଠାରେ କିଛି କଣ୍ଡେଇ ନଜର ଆସୁଛି, ତା' ସାମ୍ନାରେ ଅନେକ ଦୀପ ଜଳାଯାଇଛି । ସେଥିରେ "ଓଁ" ଲେଖାଥିବାର ଦେଖାଯାଉଛି । ଏହା ସହିତ ତନ୍ତ୍ର-ମନ୍ତ୍ରର ଅନ୍ୟ କିଛି ସାମଗ୍ରୀ ମଧ୍ୟ ପାଖରେ ରଖାଯାଇଥିବା ଦେଖାଯାଉଛି । ପୋଲିସ ନକଲି ତାନ୍ତ୍ରିକର ଏହି ଭଣ୍ଡାମିର ପର୍ଦ୍ଦାଫାଶ କରି ତାକୁ ଗିରଫ କରିଛି ।

୪ ଜଣ ଗିରଫ; ପୂଜା ସାମଗ୍ରୀ ଜବତ

ଏହି ଠକେଇ ମାମଲାରେ ହାଇଦ୍ରାବାଦ ପୋଲିସ ଚାରି ଜଣଙ୍କୁ ଗିରଫ କରିଛି । ଅଭିଯୋଗ ହୋଇଛି ଯେ ଏହି ଲୋକମାନେ ଘର ତଳେ ଦବି ରହିଥିବା ଗୁପ୍ତ ଖଜଣାର ପ୍ରଲୋଭନ ଦେଖାଇ ଅନେକ ଲୋକଙ୍କଠାରୁ ବିପୁଳ ପରିମାଣର ଟଙ୍କା ଲୁଟି ନେଇଥିଲେ । ପୋଲିସ କହିଛି ଯେ ଏହି ଗ୍ୟାଙ୍ଗ ନିଜେ ମାଟି ତଳେ ନକଲି ସୁନା ମୁଦ୍ରା ଏବଂ କୋଇଲା ପୋତୁଥିଲା । ସେମାନେ ଲୋକଙ୍କୁ ଦାବି କରୁଥିଲେ ଯେ ପରେ ଏହି କୋଇଲା ସୁନାରେ ବଦଳିଯିବ ।

ପୋଲିସ ଗିରଫ ଅଭିଯୁକ୍ତମାନଙ୍କ ନିକଟରୁ ୨ଟି କାର୍, ୧ଟି ଅଟୋ, ୨ଟି ବାଇକ୍, ୨୫ଟି ନକଲି ସୁନା ମୁଦ୍ରା, କୋଇଲା, ମାଟି ଏବଂ ପୂଜା ସାମଗ୍ରୀ ଜବତ କରିଛି । ରାଜେନ୍ଦ୍ର ନଗର ପୋଲିସ ଷ୍ଟେସନରେ ସମସ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି ।

​​​​​​​Watch: