ନିଶ୍ଚିନ୍ତକୋଇଲି ୭।୮: କଟକ ଜିଲ୍ଲା ନେମାଳ ଥାନା ପୋଲିସକୁ ବଡ଼ ସଫଳତା । ୧୨ ଘଣ୍ଟା ନ ପୁରୁଣୁ ଧରାପଡ଼ିଲା ନବବିବାହିତା ପତ୍ନୀ ହନ୍ତା ସ୍ବାମୀ । ଗତ ୫ ତାରିଖ ବିଳମ୍ୱିତ ରାତିରେ ନେମାଳ ଥାନା ସହଦେବପୁର ଗାଁର ଶୈଳେନ୍ଦ୍ର ମଲିକ ନିଜ ପତ୍ନୀଙ୍କୁ ଟାଙ୍ଗିଆ ଚୋଟରେ ଆକ୍ରମଣ କରି ହତ୍ୟା କରିଥିଲା । ଏହି ଘଟଣାକୁ ନେଇ ରୋଜାଲିନଙ୍କ ପରିବାର ଲୋକେ ନେମାଳ ଥାନାରେ ୬ ତାରିଖରେ ଏକ ଲିଖିତ ଅଭିଯୋଗ କରିଥିଲେ ।

ଅଭିଯୋଗକୁ ଭିତ୍ତିକରି କଟକ ଏସପିଙ୍କ ନିର୍ଦ୍ଦେଶକ୍ରମେ ସାଲେପୁର SDPOଙ୍କ ଅଧ୍ୟକ୍ଷତାରେ ନେମାଳ ଥାନା ଭାରପ୍ରାପ୍ତ ଅଧିକାରୀ ଜ୍ୟୋତି ରଞ୍ଜନ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଏକ ଟିମ୍ ଦୀର୍ଘ ୫ ଘଣ୍ଟାରୁ ଉର୍ଦ୍ଧ୍ବ ବିଭିନ୍ନ ଅଞ୍ଚଳ ତନାଘନା କରିବା ପରେ କେନ୍ଦ୍ରପଡ଼ା ଅଞ୍ଚଳରୁ ଅଭିଯୁକ୍ତ ଶୈଳେନ୍ଦ୍ରକୁ ଗିରଫ କରିଥିଲେ । ଆଜି ଗିରଫ ପତ୍ନୀ ହନ୍ତା ସ୍ବାମୀ ଶୈଳେନ୍ଦ୍ରକୁ ନେମାଳ ପୋଲିସ କେଶ ରୁଜୁକରି ଧାରା ୮୫/୧୦୩(୧), BNS ୩(୫) ଆଧାରରେ କୋର୍ଟ ଚଲାଣ କରିଛି ।

ଉଲ୍ଲେଖଯୋଗ୍ୟ ଯେ, ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ କୌଣସି କାରଣରୁ ବଚସା ହେବାରୁ ସ୍ବାମୀ ଶୈଳେନ୍ଦ୍ର ଭିଆଇଥିଲା ଏହି ଜଘନ୍ୟ କାଣ୍ଡ । ତେବେ ନେମାଳ ପୋଲିସର ଏଭଳି ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ଅଞ୍ଚଳବାସୀ ମାନେ ନେମାଳ ପୋଲିସକୁ ସାଧୁବାଦ ଦେଇଛନ୍ତି । ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରିଛି ନେମାଳ ପୋଲିସ ।

Watch Video:​​​​​​​