ମୁମ୍ବାଇ,୦୬।୧୧: ଥିଏଟରକୁ ଆସିଛି ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ‘ରାମାୟଣ’ । ସିନେପ୍ରେମୀ ଫିଲ୍ମକୁ ନେଇ ଖୁବ୍ ଉତ୍ସାହିତ । ୪୦୦୦ କୋଟି ବଜେଟ୍ରେ ପ୍ରସ୍ତୁତ ଏହି ଫିଲ୍ମର ପ୍ରଥମ ଭାଗ ରିଲିଜ୍ ହୋଇଥିବା ବେଳେ ୨ ଭାଗ ୨୦୨୮ରେ ମୁକ୍ତିଲାଭ କରିବ । ଏକ ଗଣମାଧ୍ୟମ ସହ ବାର୍ତ୍ତାଳାପରେ ଆର୍ଟ ଡାଇରେକ୍ଟର ରମେଶ ଫିଲ୍ମର ବିଭିନ୍ନ ଅନାଲୋଚିତ ଦିଗ ଲୋକଲୋଚନକୁ ଆଣିଛନ୍ତି । ଦର୍ଶକ ଫିଲ୍ମର ଯେଉଁ ଭବ୍ୟତାକୁ ଥିଏଟରରେ ଦେଖି ପ୍ରଶଂସା କରୁଛନ୍ତି, ତାକୁ ବାସ୍ତବତାର ରୂପ ଦେବା କେତେ କଷ୍ଟସାଧ୍ୟ, ସେ ବିଷୟରେ କହିଛନ୍ତି । ଫିଲ୍ମ ସୁଟିଂ ଲାଗି ଶତାଧିକ ସେଟ୍ ପ୍ରସ୍ତୁତ ହୋଇଥିଲା ବୋଲି ସେ କହିଛନ୍ତି ।

ରମେଶ କହିଛନ୍ତି, ଫେବ୍ରୁଆରୀ ୨୦୨୪ରେ ‘ରାମାୟଣ: ରାଇଜ୍ ଅଫ୍ ଏ ଲିଜେଣ୍ଡ’ର ଟିମ୍ ସହ ସେ ଯୋଗ ଦେଇଥିଲେ । କିନ୍ତୁ ପ୍ରକୃତରେ ସେଟ୍ରେ ନିର୍ମାଣ ଏପ୍ରିଲରେ ମୁମ୍ବାଇ ଫିଲ୍ମ ସିଟିରେ ପ୍ରାଇମ୍ ଫୋକସ୍ ଷ୍ଟୁଡିଓଜ୍ରେ ଆରମ୍ଭ ହୋଇଥିଲା । ଫିଲ୍ମ ପାଇଁ ୧୫୦ରୁ ଅଧିକ ସେଟ୍ ନିର୍ମାଣ ହୋଇଥିଲା । ପ୍ରଥମ ପ୍ରୟାସରେ ସେଟ୍ ପ୍ରସ୍ତୁତି ଚୂଡ଼ାନ୍ତ ହୋଇନଥାଏ । ପରଦାରେ ଯେଉଁ ସେଟ୍ ଦିଶୁଛି, ତା’ର ପ୍ରସ୍ତୁତି ଲାଗି ୧୦-୧୫ ଭିନ୍ନ ଭିନ୍ନ ସଂସ୍କରଣ ଓ ପ୍ରକାର ପ୍ରସ୍ତୁତ କରିବାକୁ ପଡ଼େ । ପ୍ରସ୍ତୁତିର ପ୍ରାୟ ୩ ମାସ ପରେ ସେଟ୍ ନିର୍ମାଣ ଆରମ୍ଭ ହୋଇଥିଲା । ଫିଲ୍ମର ଅନ୍ୟତମ ସବୁଠୁ ଆକର୍ଷଣୀୟ ଦୃଶ୍ୟ ରାବଣର ସିଂହାସନ । ରାବଣର ଜୀବନ ଓ ବ୍ୟକ୍ତିତ୍ୱକୁ ପ୍ରଦର୍ଶନ କରିବା ଭଳି ସିଂହାସନ ନିର୍ମାଣ ଥିଲା ମୁଖ୍ୟ ଉଦ୍ଦେଶ୍ୟ । କିନ୍ତୁ ଭିଏଫ୍ଏକ୍ସରେ ଏହାକୁ ପ୍ରସ୍ତୁତ କରାଗଲାନି । ପ୍ରଥମେ ସିଂହାସନର ମାଟି ମଡେଲ ପ୍ରସ୍ତୁତ ହେଲା, ତା’ପରେ ମଡ୍ୟୁଲ । ଫାଇବର ଜରିଆରେ ସିଂହାସନକୁ ଆକୃତି ପ୍ରଦାନ କରାଗଲା ।

ସବୁଠୁ ଉଲ୍ଲେଖନୀୟ ଥିଲା ସୁନା କାରିଗରୀ । ୨୪ କ୍ୟାରେଟ୍ ସୁନା ପରସ୍ତ ଦ୍ୱାରା ସିଂହାସନକୁ ଚୂଡ଼ାନ୍ତ ରୂପ ଦିଆଯାଇଥିଲା । ଏହାର ନିର୍ମାଣରେ ୪ ମାସ ସମୟ ଲାଗିଥିଲା । ଖର୍ଚ୍ଚ ହୋଇଥିଲା ହାରାହାରି ୧ କୋଟି । ରାବଣର ଗହଣା ପ୍ରସ୍ତୁତିରେ ମଧ୍ୟ ସେହିଭଳି ପରିଶ୍ରମ ଓ ଅର୍ଥ ଲାଗିଥିଲା । ହାଉସ୍ ଅଫ୍ ଆମ୍ରପାଲିର କ୍ରିଏଟିଭ୍ ହେଡ୍ ତରଙ୍ଗ ଅରୋରା କହିଛନ୍ତି, ଲଙ୍କାକୁ ସୁବର୍ଣ୍ଣ ନଗରୀ ବୋଲି ବିଶ୍ୱାସ କରାଯାଏ । ସେଠାରେ ବିଳାସ-ବୈଭବ ଥିଲା । ପରଦାରେ ତା’ର ବର୍ଣ୍ଣନା ନିହାତି ଜରୁରି ଥିଲା । ଫିଲ୍ମରେ ରାବଣ ପିନ୍ଧିଥିବା ଛାତି ଢାଲର ନିର୍ମାଣ ସବୁଠୁ ଜଟିଳ କାମ ଥିଲା । କାରିଗରମାନେ ପୂରା ଢାଲକୁ ହାତରେ ତିଆରି କଲେ, ଯାହା ଶେଷ ହେବାକୁ ଦୀର୍ଘ ସମୟ ଲାଗିଥିଲା । ଭାରୀ ଅଳଙ୍କାର ଓ ପୋଷାକ ପିନ୍ଧି ରାବଣ(ୟଶ) ଯେମିତି ୬ ଘଣ୍ଟାରୁ ଅଧିକ ସମୟ ସହଜରେ ରହିପାରିବ, ତା’ଉପରେ ମଧ୍ୟ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଥିଲା । ରାବଣକୁ ଭଗବାନ ଶିବଙ୍କ ପରମ ଭକ୍ତ ରୂପେ ବର୍ଣ୍ଣନା କରିବା ପାଇଁ ଗହଣାରେ ସର୍ପ କଳାକୃତିକୁ ମଧ୍ୟ ସାମିଲ କରାଯାଇଥିଲା । ଏହା ବ୍ୟତୀତ ନିର୍ମାତାମାନେ ଶୂର୍ପଣଖାଙ୍କ ରଥ ନିର୍ମାଣରେ ମଧ୍ୟ ଦେଢ଼ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି । ଏହାକୁ ତିଆରି କରିବାକୁ ୯୦ ଦିନ ସମୟ ଲାଗିଥିଲା