ଜୟପୁର।ଭୁବନେଶ୍ବର ୬।୧୧: ରାୟଗଡ଼ାରେ ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓଙ୍କ ଅଡୁଆ ବଢ଼ିଲା । ଟ୍ରକ୍ ମାଲିକ ସଂଘର ପ୍ରାୟ ୮୦ କୋଟି ଟଙ୍କା ଆର୍ଥିକ ହେରଫେର ଅଭିଯୋଗ ମାମଲାରେ ଭାସ୍କର ଛକ ସ୍ଥିତ ତାଙ୍କ ବାସଭବନରେ EOW ଚଢ଼ାଉ କରିଛି । EOWର ୮ଟି ଟିମ୍ ଏକକାଳୀନ ୧୧ଟି ସ୍ଥାନରେ ଚଢ଼ାଉ କରୁଛନ୍ତି । ରାୟଗଡ଼ାରେ ଟ୍ରକ୍ ମାଲିକ ସଂଘ କାର୍ଯ୍ୟାଳୟ ସମେତ ଅଭିଯୁକ୍ତଙ୍କ ଘରେ ଚାଲିଛି ତନାଘନା । ସେହିପରି ଭୁବନେଶ୍ୱରର ଫରେଷ୍ଟ ପାର୍କ, ବରମୁଣ୍ଡା, ଭୀମପୁର ଓ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ବିଭିନ୍ନ କମ୍ପାନୀ ଓ କାର୍ଯ୍ୟାଳୟରେ ମଧ୍ୟ ରେଡ୍ ଚାଲିଛି ।

ସୂଚନା ଅନୁଯାୟୀ, ଟ୍ରକ୍ ମାଲିକ ସଂଘର ପ୍ରାୟ ୮୦ କୋଟି ଟଙ୍କା ହଡ଼ପ ହୋଇଥିବା ନେଇ ସଂଘର ପୂର୍ବତନ ସଭାପତି ୱାଇ. ଭେଙ୍କଟେଶ୍ୱର ରାଓ ଓରଫ କୋଣ୍ଡା ବାବୁ ଅଭିଯୋଗ ଆଣିଥିଲେ । ଏହି ମାମଲାରେ ପୂର୍ବତନ ସାଂସଦ ଏନ୍. ଭାସ୍କର ରାଓଙ୍କ ସମେତ ଅନ୍ୟମାନଙ୍କ ନାଁ ଉଠିଥିଲା । ରାୟଗଡ଼ା ପୋଲିସ ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲା । ଏବେ ଆର୍ଥିକ ଅନିୟମିତତା ଅଭିଯୋଗର ଖୋଳତାଡ଼ କରୁଛି EOW ଟିମ୍ । ଭାସ୍କର ରାଓଙ୍କ ଘରେ ଥିବା କିଛି ସହାୟକଙ୍କୁ ମଧ୍ୟ ପଚରାଉଚରା କରାଯାଉଥିବା ସୂଚନା ମିଳିଛି ।

Also Read:- ଆସିକାରେ ବାତ୍ୟା କ୍ଷୟକ୍ଷତିର ସମୀକ୍ଷା, ବିପନ୍ନଙ୍କ ସମସ୍ୟା ବୁଝିଲେ ଭକ୍ତ ଚରଣ ଦାସ

ତେବେ ଚଢ଼ାଉ ନେଇ EOW ପକ୍ଷରୁ ଏଯାଏଁ କୌଣସି ଆଧିକାରିକ ସୂଚନା ମିଳିନାହିଁ । ଅନ୍ୟପକ୍ଷରେ ଭାସ୍କର ରାଓଙ୍କ ପ୍ରତିକ୍ରିୟା ମଧ୍ୟ ମିଳିପାରିନାହିଁ ।