ନୂଆଦିଲ୍ଲୀ, ୩୦/୦୪ : ଚାଲିଛି ଆଇପିଏଲ ୨୦୨୬ । ପ୍ଲେ-ଅଫ୍ ରାସ୍ତା ଧିରେ ଧିରେ ସଫା ହେବାକୁ ଲାଗିଲାଣି । ତେବେ ବୁଧବାର ଖେଳାଯାଇଥିବା ଏକ ମୁକାବିଲାରେ ୬ ଓ୍ୱିକେଟରେ ପରାସ୍ତ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ । ୨୪୩ ରନ୍ କରିଥିଲେ ମଧ୍ୟ ସନ୍ ରାଇଜର୍ସ ହାଇଦ୍ରାବାଦ ବାଜି ମାରିନେଇଛି ।

ମୁକାବିଲାରେ ପ୍ରଥମେ ବ୍ୟାଟିଂ କରିଥିଲା ମୁମ୍ବାଇ । ଦଳ ପକ୍ଷରୁ ରିୟାନ୍ ରିକେଲଟନ୍ ବିସ୍ଫୋରକ ବ୍ୟାଟିଂ କରି ଶତକ ଅର୍ଜନ କରିଥିଲେ । ସେ ୧୨୩ ରନ୍ ର ପାଳି ଖେଳିଥିଲେ । ଫଳରେ ସ୍କୋର୍ ୨୦ ଓଭରରେ ୨୪୩ ରନ୍ ଛୁଇଁଥିଲା । କିନ୍ତୁ ଟ୍ରାଭିସ୍ ହେଡ୍ ଏବଂ ହେନରିକ୍ କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଏସଆରଏଚ୍ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା ।

Also Read :-MI vs SRH: ୨୪୩ ରନ କରି ବି ହାରିଲା ମୁମ୍ବାଇ, SRHର ଷଷ୍ଠ ବିଜୟ

ପରାଜୟ ପରେ ମୁମ୍ବାଇ ପ୍ଲେ-ଅଫ୍ ରୁ ଏକପ୍ରକାର ବିଦା ହୋଇଯାଇଛି । ଦଳ ପାଇଁ ଏବେ ପ୍ଲେ-ଅଫ୍ ରେ ସ୍ଥାନ ପକ୍କା କରିବା ଅତି କଷ୍ଟକର । ଦଳ ଏବେସୁଦ୍ଧା ୮ଟି ମ୍ୟାଚ୍ ଖେଳି ୪ ପଏଣ୍ଟ୍ ପାଇଛି । କିନ୍ତୁ ଏବେବି ଦଳ ପାଖରେ ସାମାନ୍ୟ ଆଶା ରହିଛି । ଯଦି ଦଳ ବଳକା ୬ଟି ମୁକାବିଲାରେ ବିଜୟୀ ହୁଏ ତେବେ ପ୍ଲେ-ଅଫରେ ପ୍ରବେଶ କରିପାରେ ।

ଆଉ ୬ଟି ମ୍ୟାଚ୍

ମୁମ୍ବାଇ ପାଖରେ ଆଉ ୬ଟି ମ୍ୟାଚ୍ ଅଛି । ଯଦି ସମସ୍ତ ମୁକାବିଲା ଦଳ ଜିତେ ତାହାଲେ ୧୨ ପଏଣ୍ଟ୍ ପାଇବ । ପୂର୍ବ ପଏଣ୍ଟକୁ ମିଶାଇଲେ ଏହା ୧୬ ହୋଇଯିବ । ଫଳରେ ଟିମ୍ ପ୍ଲେ-ଅଫ୍ ଖେଳିପାରିବ । ଯଦି ଏହି ୬ଟି ମଧ୍ୟରୁ ଗୋଟିଏ ମ୍ୟାଚ୍ ଟିମ୍ ହାରୁଛି ତାହାଲେ ମୋଟ୍ ୧୪ ପଏଣ୍ଟ୍ ପାଇବ । ଏହି ମାମଲାରେ ଦଳର ଭାଗ୍ୟ ନେଟ୍ ରନ୍ ରେଟ୍ ଏବଂ ଅନ୍ୟ ଦଳର ପ୍ରଦର୍ଶନ ଉପରେ ନିର୍ଭର କରିବ । କିନ୍ତୁ ଏମଆଇ ଅତି କମରେ ଦୁଇଟି ମୁକାବିଲା ହାରିଲେ ପ୍ଲେ-ଅଫରୁ ବିଦା ହୋଇଯିବ ।