ମୁମ୍ବାଇ: ରିୟାନ ରିକଲଟନଙ୍କ ଶତକ ଉପରେ ଭାରି ପଡ଼ିଲା ଟ୍ରେଭିସ ହେଡ ଓ ହେନରିକ୍ କ୍ଲାସେନଙ୍କ ମ୍ୟାଚ୍ ବିଜୟୀ ଅର୍ଦ୍ଧଶତକୀୟ ଇନିଂସ। ବିଶାଳ ୨୪୩ ରନ କରି ବି ମୁମ୍ବାଇ ଏହି ମ୍ୟାଚ୍ ହାରି ପ୍ଲେ ଅଫ ଦୌଡ଼ ପାଇଁ ନିଜର ଦ୍ଵାର ମୁସ୍କିଲ କରି ଦେଇଛି। ମୁମ୍ବାଇ ଦ୍ଵାରା ଧାର୍ଯ୍ୟ ୨୪୪ ରନର ବିଜୟ ଲକ୍ଷ୍ୟକୁ ସନରାଇଜର୍ସ ହାଇଦ୍ରାବାଦ ୪ ଓ୍ଵିକେଟ୍ ହରାଇ ୮ ବଲ୍ ପୂର୍ବରୁ ସହଜରେ ମ୍ୟାଚକୁ ଜିତି ନେଇଛି। ହାଇଦ୍ରାବାଦ ନିଜର ୯ମ ମ୍ୟାଚରୁ ଷଷ୍ଠ ଜିତି ପଏଣ୍ଟ ତାଲିକାର ତୃତୀୟକୁ ଉଠିଛି। ହାଇଦ୍ରାବାଦ ପକ୍ଷରୁ ଟ୍ରେଭିସ ହେଡ ସର୍ବାଧିକ ୭୬ ରନ କରିଥିବା ବେଳେ କ୍ଲାସେନ ଅପରାଜିତ ୬୫ ରନ କରିଥିଲେ।

୨୪୪ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ହାଇଦ୍ରାବାଦକୁ ଦୁଇ ଓପନର ଅଭିଷେକ ଶର୍ମା ଓ ଟ୍ରେଭିସ ହେଡ୍ ଦମଦାର ଆରମ୍ଭ ଦେଇଥିଲେ। ଉଭୟ ଧୂଆଁଧାର ବ୍ୟାଟିଂ କରି ପ୍ରଥମ ଓ୍ଵିକେଟରେ ୧୨୯ ରନ ଯୋଡ଼ି ଦଳର ବିଜୟ ନିଶ୍ଚିତ କରିଥିଲେ। ଅଭିଷେକ ଶର୍ମା ୨୪ ବଲରୁ ୪୫ ରନ କରି ଆଉଟ୍ ହୋଇଥିଲେ। ଇଶାନ କିଶନ ଖାତା ଖୋଲି ପାରି ନ ଥିଲେ। ଶୀଘ୍ର ୨ଟି ଓ୍ଵିକେଟ୍ ଖସିବାରୁ ମୁମ୍ବାଇ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରିଥିଲା।

ହେଲେ ହେନରିକ କ୍ଲାସେନ ଆଉ ଏକ ମ୍ୟାଚ୍ ବିଜୟୀ ଇନିଂସ ଖେଳିଛନ୍ତି। ଏହା ମଧ୍ୟରେ ନୀତିଶ କୁମାର ରେଡ୍ଡୀ ୨୧ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ସଲିଲ ଆରୋରା ମାତ୍ର ୧୦ ବଲରୁ ୩୦ ରନର ଧୂଆଁଧାର ଇନିଂସ ଖେଳିଛନ୍ତି। କ୍ଲାସେନ ଅପରାଜିତ ରହି ୩୦ ବଲରୁ ୭ ଚୌକା ଓ ୪ ଛକା ସହ ୬୫ ରନ କରି ଦଳକୁ ଜିତାଇଛନ୍ତି। ବୋଲିଂରେ ସମସ୍ତ ବୋଲର ବେଶ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି।