ନୂଆଦିଲ୍ଲୀ: ଭାରତୀୟ ନାଗରିକ ଥିବା ଜାହାଜ ଉପରେ ସାଉଦି ଆରବ ଆକ୍ରମଣ କରିଛି। ୟେମେନର ହୁତି ବିଦ୍ରୋହୀ ସଂଗଠନ ଏଭଳି ଅଭିଯୋଗ ଆଣିଛି। ଏହି ଜାହାଜରେ ୧୪ ଭାରତୀୟ ନାଗରିକ ଥିଲେ। ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ହୁତିମାନେ ଉଦ୍ଧାର କରିଛନ୍ତି ବୋଲି ହୁତି ବିଦ୍ରୋହୀ ସଂଗଠନର ପ୍ରବକ୍ତା ବ୍ରିଗେଡିୟର ୟାହ୍ୟା ସାରୀ କହିଛନ୍ତି।

ସାରୀଙ୍କ କହିବା ଅନୁସାରେ, ଲୋହିତ ସାଗରରେ ଜୁକାର ଆଇସଲ୍ୟାଣ୍ଡ ନିକଟରେ ଭାରତୀୟ ନାଗରିକ ଥିବା ଏହି ବୋଟ୍ ଉପରେ ସାଉଦି ସେନା ଆକ୍ରମଣ କରିଥିଲା। ୟେମେନ ସେନା ଘଟଣା ସ୍ଥଳରେ ପହଞ୍ଚି ଭାରତୀୟଙ୍କୁ ଉଦ୍ଧାର କରିଛି ବୋଲି ହୁତି ପ୍ରବକ୍ତା କହିଛନ୍ତି।

Also Read- ଭାରତ ସହ ସମ୍ପର୍କର ମୂଲ୍ୟ ଦେଇ ପାକିସ୍ତାନ ସହ ଘନିଷ୍ଠତା ବଢ଼ାଇ ହେବନି: ଆମେରିକା ବୈଦେଶିକ ସଚିବ

ଏହା ପୂର୍ବରୁ ବୁଧବାର ସାଉଦି ଆରବର ଦମାମରେ ଥିବା କିଙ୍ଗ୍ସ ଫହାଦ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ହୁତିମାନେ ଆକ୍ରମଣ କରିଥିଲେ। ଏଥିରେ ୨ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଥଲା। ଏନେଇ ସାଉଦି ସରକାର ସୂଚନା ଦେଇଥିଲେ। ତେଣୁ ଏବେ ହୁତିମାନେ ମଧ୍ୟ ସାଉଦି ଆରବ ଉପରେ ଭାରତୀୟ ନାଗରିକଙ୍କ ହତ୍ୟା ନେଇ ଅଭିଯୋଗ ଆଣିଛନ୍ତି।

ଅନ୍ତର୍ଜାତୀୟ ବାଣିଜ୍ୟ ପଥ ରୋକୁଛି ସାଉଦି !

ଖାଲି ଭାରତୀୟଙ୍କ ହତ୍ୟା ନୁହେଁ ଲୋହିତ ସାଗରରେ ଷ୍ଟ୍ରେଟ୍ ଅଫ୍ ହରମୁଜ ଦଳପଥକୁ ସାଉଦି ଅବରୋଧ କରୁଛି ବୋଲି ହୁତି ଅଭିଯୋଗ କରିଛି। ପ୍ରବକ୍ତା ସାରୀ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି “ ସାଉଦି ଶତ୍ରୁ ଦ୍ୱାରା ଏହାକୁ ଆକ୍ରମଣ କରିବା ଭଳି ବେପରୁଆ କାରନାମା ଲୋହିତ ସାଗରରେ ଅନ୍ତର୍ଜାତୀୟ ନୌବାଣିଜ୍ୟକୁ ପ୍ରଭାବିତ କରୁଛି। ତେଣୁ ଅନ୍ତର୍ଜାତୀୟ ସ୍ତରରେ ସାଉଦି ଶତ୍ରୁର ଏଭଳି ବେପରୁଆ କାର୍ଯ୍ୟକୁ ରୋକାଯିବ ଦରକାର।”

ରେଡ୍‌ ସିରେ ଏଭଳି ଆକ୍ରମଣ ଅନ୍ତର୍ଜାତୀୟ ନୌବାଣିଜ୍ୟକୁ ପ୍ରଭାବିତ କରୁଛି। ତେଣୁ ଅନ୍ତର୍ଜାତୀୟ ସମୁଦାୟ ଏହାକୁ ବିରୋଧ କରିବା ସହ ସାଉଦିକୁ ରୋକିବା ଦରକାର ବୋଲି ହୁତି ଆହ୍ୱାନ ଦେଇଛି। ତେବେ ୧୪ ଭାରତୀୟ ନାଗରିକ ଥିବା ନୌକା ଉପରେ ସାଉଦି ଆକ୍ରମଣ ଅଭିଯୋଗ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ତେଣୁ ଏହି ଅଭିଯୋଗ ଉପରେ ଭାରତ ସରକାରଙ୍କ ପକ୍ଷରୁ ମଧ୍ୟ କୌଣସି ପ୍ରତିକ୍ରିୟା ଆସି ନାହିଁ।