ନୂଆଦିଲ୍ଲୀ: ଦକ୍ଷିଣ ଭାରତୀୟ ସିନେମା ଜଗତର ଜଣାଶୁଣା ଅଭିନେତା ବିଜୟ ଆଣ୍ଟୋନିଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବଡ଼ ଖୁଲାସା ହୋଇଛି । ବାପ-ଝିଅର ସଂପର୍କ ଉପରେ ଆଧାରିତ ଏକ ଫିଲ୍ମର ପ୍ରି-ରିଲିଜ୍‌ ଇଭେଣ୍ଟ ବେଳେ ଅଭିନେତାଙ୍କ ପତ୍ନୀ ସବୁକିଛି କହିଦେଇଛନ୍ତି । ୨୦୨୩ ସେପ୍ଟେମ୍ବର ମାସରେ ବିଜୟଙ୍କ ବଡ଼ ଝିଅ ମୀରାଙ୍କ ମୃତ୍ୟୁ ହୋଇଥିଲା । ମୀରାଙ୍କ ଅକାଳ ବିୟୋଗ ଉଭୟ ବିଜୟ ଏବଂ ତାଙ୍କ ପତ୍ନୀ ଫାତିମା ଆଣ୍ଟୋନିଙ୍କୁ ସ୍ତବ୍ଧ କରିଦେଇଥିଲା । ହେଲେ ଝିଅର ମୃତ୍ୟୁ ପରେ ଅଭିନେତା ବିଜୟ ବଡ଼ ନିଷ୍ପତ୍ତି ନେଇଥିଲେ । ୩ ବର୍ଷ ପରେ ବି ସେ ନିଜ ନିଷ୍ପତ୍ତିରେ ଅଟଳ ରହିଛନ୍ତି ବୋଲି ଫାତିମା କହିଛନ୍ତି ।

କ’ଣ ନିଷ୍ପତ୍ତି ନେଇଥିଲେ ବିଜୟ ?
ଝିଅ ମୀରାଙ୍କ ସ୍ମୃତିକୁ ଆଜି ବି ନିଜ ହୃଦୟରେ ଅତି ନିବିଡ଼ ଭାବେ ସାଇତି ରଖିଛନ୍ତି ବିଜୟ । ଝିଅର ମୃତ୍ୟୁ ପରଠାରୁ ବିଜୟ ଆଣ୍ଟୋନି ପାଦରେ ଚପଲ କିମ୍ବା ଜୋତା ପିନ୍ଧିବା ଛାଡ଼ି ଦେଇଛନ୍ତି । ମୀରାଙ୍କୁ ଶେଷ ଥର ପାଇଁ ଦେଖିବା ସମୟରେ ତାଙ୍କ ହାତରେ ଥିବା ଘଣ୍ଟାଟିକୁ ହିଁ ସେ ସବୁବେଳେ ପିନ୍ଧୁଛନ୍ତି ବୋଲି ଫାତିମା କହିଛନ୍ତି । ଶୁକ୍ରବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଥିବା ବାପା-ଝିଅଙ୍କ ସମ୍ପର୍କ ଉପରେ ଆଧାରିତ ଚଳଚ୍ଚିତ୍ର 'ଆପ୍ପା କୁଟ୍ଟି' ର ପ୍ରି-ରିଲିଜ୍ ଇଭେଣ୍ଟରେ ଯୋଗଦେଇ ଫାତିମା ଏହି ହୃଦୟସ୍ପର୍ଶୀ କଥା କହିଛନ୍ତି। ମୀରାଙ୍କ ଦେହାନ୍ତ ପରେ ଫାତିମା ମଧ୍ୟ ଦୀର୍ଘ ସମୟ ଧରି ଫିଲ୍ମ ସମ୍ବନ୍ଧୀୟ କୌଣସି କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିଥିଲେ । ପ୍ରାୟ ପାଞ୍ଚ ବର୍ଷ ପରେ ସେ ପୁଣିଥରେ ସିନେମା ଉତ୍ସବରେ ଯୋଗ ଦେଇଛନ୍ତି। 

ଏହି ସମୟରେ ଫାତିମା କହିଛନ୍ତି, ସେମାନେ ମୀରାଙ୍କ ପାଇଁ ଏତେ ସଂଖ୍ୟାରେ ଜୋତା ଓ ଚପଲ କିଣିଥିଲେ ଯେ, ଘରର ଗୋଟିଏ କୋଠରୀ ସେଥିରେ ଭର୍ତ୍ତି ହୋଇଯାଇଥିଲା। ଝିଅର ମୃତ୍ୟୁ ପରେ ସେହି ଜୋତା ଓ ଚପଲଗୁଡ଼ିକୁ ଦେଖି ବିଜୟ ମର୍ମାହତ ହୋଇପଡ଼ିଥିଲେ । ସେ ସବୁଦିନ ପାଇଁ ଚପଲ ପିନ୍ଧିବା ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। କେବଳ କିଛି ବିଶେଷ ଔପଚାରିକ କାର୍ଯ୍ୟକ୍ରମକୁ ଛାଡ଼ିଦେଲେ ସେ ଆଉ କେବେ ବି ପାଦରେ ଚପଲ ପିନ୍ଧନ୍ତି ନାହିଁ। ଏହା ସହିତ ଫାତିମା ଆହୁରି ମଧ୍ୟ କହିଛନ୍ତି ଯେ, ବିଜୟ ଆଣ୍ଟୋନିଙ୍କ ପାଖରେ ଅନେକ ଦାମୀ ଘଣ୍ଟା ଥିଲେ ସୁଦ୍ଧା ସେ ପ୍ରତିଦିନ କେବଳ ଗୋଟିଏ ନିର୍ଦ୍ଦିଷ୍ଟ ଘଣ୍ଟା ହିଁ ପିନ୍ଧିଥାନ୍ତି। କାରଣ ସେହି ଘଣ୍ଟାଟି ମୀରାଙ୍କର ଥିଲା ଏବଂ ବିଜୟ ତାଙ୍କୁ ଶେଷ ଥର ପାଇଁ ଦେଖିବା ସମୟରେ ତାହା ମୀରାଙ୍କ ହାତରେ ଥିଲା। ସେବେଠାରୁ ବିଜୟ ସେହି ଘଣ୍ଟାଟିକୁ ନିଜ ହାତରୁ କେବେ ବି କାଢ଼ି ନାହାନ୍ତି। 

ସୂଚନାଯୋଗ୍ୟ ଯେ, ୨୦୨୩ ମସିହା ସେପ୍ଟେମ୍ବର ମାସରେ ଚେନ୍ନାଇର ଆଲୱାରପେଟ ସ୍ଥିତ ବାସଭବନରେ ମାତ୍ର ୧୬ ବର୍ଷ ବୟସରେ ମୀରା ଆଣ୍ଟୋନିଙ୍କ ମୃତ୍ୟୁ ଘଟିଥିଲା। ସେତେବେଳେ ସେ ମାନସିକ ଅବସାଦରେ ପୀଡ଼ିତ ଥିବା ବେଳେ ଚିକିତ୍ସାଧୀନ ଥିଲେ। ଝିଅର ମୃତ୍ୟୁ ପରେ ବିଜୟ ଏକ ଭାବପ୍ରବଣ ପୋଷ୍ଟ ଲେଖି କହିଥିଲେ ଯେ, ସେ ମଧ୍ୟ ଝିଅ ସହ ମରିଯାଇଛନ୍ତି । ମୀରାଙ୍କ ସ୍ମୃତିକୁ ଅମର ରଖିବା ପାଇଁ 'ବିଜୟ ଆଣ୍ଟୋନି ଫିଲ୍ମ କର୍ପୋରେସନ' ଅଧୀନରେ ନିର୍ମିତ ହେଉଥିବା ପ୍ରତ୍ୟେକ ଚଳଚ୍ଚିତ୍ରରେ ପ୍ରଯୋଜକ କିମ୍ବା ଉପସ୍ଥାପକ ଭାବରେ ଫାତିମାଙ୍କ ସହ ମୀରାଙ୍କ ନାମ ମଧ୍ୟ ସ୍ଥାନ ପାଉଛି। ବାପା-ଝିଅର ସଂପର୍କ ଅନନ୍ୟ ଏବଂ ଅତୁଟ୍‌ । ଏହାକୁ ବେଶ ହୃଦୟଙ୍ଗମ କରିଥିବା ବିଜୟ ଆଣ୍ଟୋନି ଏଭଳି କାହାଣୀ ଉପରେ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି । ଏହା ସହ ପରିବାର ସହ ଫିଲ୍ମ ଦେଖିବାକୁ ​‌ସେ ନିଜର ପ୍ରଶଂସକଙ୍କୁ ଅପିଲ୍‌ କରିଛନ୍ତି ।