କଟକ ୯।୯: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ବୁଧବାର ପୁଣି ଏକ ନୂଆ ମୋଡ଼ ଆସିଛି । ବ୍ୟକ୍ତିଗତ ହାଜିରାରୁ ବର୍ତ୍ତିବା ଲାଗି ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ଯେଉଁ ଆବେଦନ କରିଥିଲେ, ତାକୁ ଖାରଜ କରିଛନ୍ତି ହାଇକୋର୍ଟ । ବରଂ ଅକ୍ଟୋବର ୧ ତାରିଖ ସୁଦ୍ଧା ଟ୍ରାଏଲ୍ କୋର୍ଟରେ ହାଜର ହେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସୌମ୍ୟ ରଞ୍ଜନଙ୍କ ମୃତ୍ୟୁକୁ ନେଇ ପାରଳାଖେମୁଣ୍ଡି ଥାନାରେ IPCର ଧାରା ୩୦୨ (ହତ୍ୟା) ଏବଂ ୧୨୦-B (ଅପରାଧିକ ଷଡଯନ୍ତ୍ର) ଅନୁଯାୟୀ ବିଦ୍ୟାଭାରତୀ ଓ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ତଦନ୍ତ ପରେ ପୋଲିସ କେବଳ ବିଦ୍ୟାଭାରତୀଙ୍କ ବିରୋଧରେ IPC ୩୦୪-A ଅନୁଯାୟୀ ଚାର୍ଜସିଟ୍ ଦାଖଲ କରିଛି । ଏହାପରେ ଅଭିଯୋଗକାରୀ ପ୍ରୋଟେଷ୍ଟ ପିଟିସନ୍ ଦାଖଲ କରିଥିଲେ । ପ୍ରୋଟେଷ୍ଟ ପିଟିସନ୍ରେ ମାଜିଷ୍ଟ୍ରେଟ୍ Section 202 Cr.P.C. ଅନୁଯାୟୀ ତଦନ୍ତ କରିବା ପରେ IPC ୩୦୨/୧୨୦-B ଅନୁଯାୟୀ ବିଦ୍ୟାଭାରତୀଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ମୋକଦ୍ଦମା ଚାଲିବ ବୋଲି ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ଚ୍ୟାଲେଞ୍ଜ କରି ବିଦ୍ୟାଭାରତୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ୨୦୨୫ ଜୁଲାଇ ୩ ତାରିଖରେ ହାଇକୋର୍ଟ ନିମ୍ନ ଅଦାଲତଙ୍କ ରାୟକୁ କାଏମ ରଖିଲେ ।

ପୁନର୍ବାର ବିଦ୍ୟାଭାରତୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ, ସେ ବର୍ତ୍ତମାନ ମୟୂରଭଞ୍ଜ ଜିଲ୍ଲାର ନୂଆଗାଁରେ ଚୁକ୍ତିଭିତ୍ତିକ ସରକାରୀ ଚାକିରି କରୁଛନ୍ତି । ପାରଳାଖେମୁଣ୍ଡି ତାଙ୍କ କର୍ମସ୍ଥଳୀ ଠାରୁ ୫୨୪ କି.ମି.ରୁ ଅଧିକ ଦୂର ହୋଇଥିବାରୁ ବାରମ୍ବାର କୋର୍ଟରେ ହାଜର ହେବା କଷ୍ଟକର ବୋଲି ଯୁକ୍ତି ଦିଆଯାଇଥିଲା । ତେବେ ବିଦ୍ୟାଭାରତୀ ଜାଣିଶୁଣି କୋର୍ଟ ପ୍ରକ୍ରିୟାକୁ ଏଡ଼ାଇ ଚାଲିଥିବା ଯୁକ୍ତି ଦର୍ଶାଇଥିଲେ ପ୍ରତିପକ୍ଷ । ବିଦ୍ୟାଭାରତୀଙ୍କ ଅନୁପସ୍ଥିତି ଯୋଗୁଁ ଟ୍ରାଏଲ୍ ଆରମ୍ଭ ହୋଇପାରିନାହିଁ ବୋଲି ପ୍ରତିପକ୍ଷଙ୍କ ତରଫରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା । ଯାହାକୁ ଗ୍ରହଣ କରି ହାଇକୋର୍ଟ କହିଛନ୍ତି ଯେ, ମାମଲାର ପ୍ରକୃତି ଏବଂ ଅଭିଯୋଗର ଗମ୍ଭୀରତାକୁ ଦୃଷ୍ଟିରେ ରଖି ବିଦ୍ୟାଭାରତୀଙ୍କ ବ୍ୟକ୍ତିଗତ ହାଜର ହେବା ଏବେ ଏଡ଼ାଇ ହେବ ନାହିଁ । ତେବେ ଆବଶ୍ୟକତା ଅନୁଯାୟୀ ପରବର୍ତ୍ତୀ ସମୟରେ ଆବେଦନ କରିପାରିବେ ।

Also Read:- ଚାକିରି ଦେବା ନାଁରେ କୋଟିଏରୁ ଅଧିକ ଠକେଇ, ନକଲି ଜଏନିଂ ଲେଟର ଦେଉଥିଲା ଅଭିଯୁକ୍ତ

ବିଦ୍ୟାଭାରତୀଙ୍କ ଗିରଫ ହେବା ନେଇ ଥିବା ଆଶଙ୍କାକୁ ଦୃଷ୍ଟିରେ ରଖି ହାଇକୋର୍ଟ ତାଙ୍କୁ କୋର୍ଟରେ ହାଜର ହେବା ସମୟରେ ଜାମିନ ପାଇଁ ଆବେଦନ କରିବାକୁ କହିଛନ୍ତି । ଟ୍ରାଏଲ୍ କୋର୍ଟ ଯଦି ଜାମିନ ଆବେଦନ ଖାରଜ କରନ୍ତି, ତେବେ ସେହି ଦିନ ସେସନ୍ସ କୋର୍ଟରେ ଜାମିନ ଆବେଦନ କରିପାରିବେ ଏବଂ ସେସନ୍ସ କୋର୍ଟ ଯଥାସମ୍ଭବ ସେହି ଦିନ ଆବେଦନର ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ ଆଶା ପ୍ରକାଶ କରିଛନ୍ତି ।

Watch Video: