ଭୁବନେଶ୍ବର ୧୬।୯: ଆସୁଛି ବଡ଼ ବର୍ଷା । ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ଢାଳିବ ଓଡ଼ିଶାରେ । ଉପକୂଳ ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଜୋରଦାର ବର୍ଷା ହୋଇପାରେ । ସମ୍ଭାବ୍ୟ ଲଘୁଚାପକୁ ନେଇ ଏମିତି ଆକଳନ କରାଯାଇଛି । ଆସନ୍ତା ୨୦ ତାରିଖ ବେଳକୁ ଥାଇଲାଣ୍ଡ ପାଖ ଉତ୍ତର ଆଣ୍ଡାମାନ ସାଗର ନିକଟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହା ୨୨ ତାରିଖ ବେଳକୁ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳ ନିକଟବର୍ତ୍ତୀ ଅଞ୍ଚଳରେ ଲଘୁଚାପ ରୂପ ନେଇପାରେ ।

ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ଆକଳନ ଅନୁଯାୟୀ, ୧୮ ତାରିଖ ବେଳକୁ ଆଣ୍ଡାମାନ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହା ୨୦ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପର ରୂପ ନେବ । ୨୪ ତାରିଖ ବେଳକୁ ଗଭୀର ଅବପାତ ଅବସ୍ଥାରେ ଓଡ଼ିଶା ଉପକୂଳ ଛୁଇଁପାରେ । ବାତ୍ୟା ସମ୍ଭାବନାକୁ ବି ସମ୍ପୂର୍ଣ୍ଣ ଏଡ଼ାଇ ହେବନି । ତେବେ ଯଦି ବାତ୍ୟା ହୁଏ, ଏହା ଅଧିକ ଘନୀଭୂତ ହେବନି । ଅଳ୍ପ ସମୟ ପାଇଁ ସମୁଦ୍ର ଭିତରେ ବାତ୍ୟାର ରୂପ ନେଇପାରେ ।

Also Read:- ଶଙ୍ଖ ନଦୀରେ ବଡ଼ ଅଘଟଣ ; ଆଗ ପଛ ହୋଇ ବୁଡ଼ିଗଲେ ୬ ନାବାଳିକା, ଚାଲିଗଲା ୩ ଜୀବନ

ତେବେ ସମ୍ଭାବ୍ୟ ଲଘୁଚାପ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା କରାଇପାରେ । ୨୨ ତାରିଖରୁ ରାଜ୍ୟରେ ପାଗ ବଦଳିପାରେ । ୨୩ ଅପରାହ୍ନରୁ ୨୬ ଯାଏଁ ବର୍ଷା ସମ୍ଭାବନା ରହିଛି । ଆଜି ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିବାବେଳେ ବାଲେଶ୍ଵର, କେନ୍ଦୁଝର, ଯାଜପୁର, ମୟୂରଭଞ୍ଜର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ ।

Watch Video: