ନୂଆଦିଲ୍ଲୀ: ୟୁରୋପୀୟ ଦେଶଗୁଡ଼ିକରେ ଅନେକ ବିମାନକୁ ବୋମା ଧମକ ପରେ ଆତଙ୍କ ସୃଷ୍ଟି ହୋଇଛି। ଗୁରୁବାର ଏକାସାଙ୍ଗେ ପ୍ରାୟ ୧୨ଟି ଯାତ୍ରୀବାହୀ ବିମାନକୁ ବୋମା ଧମକ ମିଳିବା ପରେ ସୁରକ୍ଷା ଏଜେନ୍ସିଗୁଡ଼ିକର ଚିନ୍ତା ବଢ଼ିଥିଲା । ପରିସ୍ଥିତି ଏଭଳି ହୋଇଥିଲା ଯେ, ଅନେକ ବିମାନକୁ ଅଧାବାଟରୁ ରୁଟ୍ ବଦଳାଇବାକୁ ପଡ଼ିଥିଲା ଏବଂ କିଛି ସ୍ଥାନରେ ଜରୁରୀ ଅବତରଣ ମଧ୍ୟ କରାଯାଇଛି। ବଡ଼ କଥା ହେଲା ସପ୍ତାହକ ମଧ୍ୟରେ ୟୁରୋପରେ ଏଭଳି ଘଟଣା ଦ୍ୱିତୀୟ ଥର ପାଇଁ ଘଟିଛି । ଯାହା ବିମାନ ଚଳାଚଳ ସୁରକ୍ଷା ପ୍ରତି ଏକ ବଡ଼ ଆହ୍ୱାନ ସୃଷ୍ଟି କରିଛି।

ମିଳିଥିବା ସୂଚନା ଅନୁସାରେ, ଫ୍ରାନ୍ସରେ ଆଇରିସ୍ ବିମାନର ଜରୁରୀ ଅବତରଣ କରାଯାଇଛି । ଆୟରଲ୍ୟାଣ୍ଡର ପ୍ରସିଦ୍ଧ ଏୟାରଲାଇନ୍ସ 'ଏର ଲିଙ୍ଗସ୍' (Aer Lingus)ର ଏକ ବିମାନ ଡବଲିନ୍ରୁ ରୋମ୍ ଅଭିମୁଖେ ଯାଉଥିଲା। ହେଲେ ମଝି ଆକାଶରେ ସୁରକ୍ଷା ଆଲର୍ଟ ଜାରି ହେବା ପରେ ପ୍ୟାରିସରୁ ପ୍ରାୟ ୧୦୦ କିଲୋମିଟର ପଶ୍ଚିମରେ ଅବସ୍ଥିତ ଫ୍ରାନ୍ସର ଏଭ୍ରେକ୍ସ (Evreux) ଏୟାରପୋର୍ଟରେ ଏହାକୁ ସୁରକ୍ଷିତ ଭାବେ ଅବତରଣ କରାଯାଇଥିଲା।

ସେହିଭଳି ହେଲସିଙ୍କିରୁ ରୋମ୍ ଆସୁଥିବା 'ଫିନଏୟାର' (Finnair)ର ଏକ ବିମାନକୁ ଇଟାଲୀୟ ବାୟୁସେନାର ଯୁଦ୍ଧବିମାନଗୁଡ଼ିକ (Fighter Jets) ନିଜର କଡ଼ା ପହରା ମଧ୍ୟରେ ରୋମ୍ର ଫିମିଚିନୋ ବିମାନବନ୍ଦରରେ ଅବତରଣ କରାଇଥିଲେ। ତେବେ ପରେ କର୍ତ୍ତୃପକ୍ଷ ତନାଘନା କରିବା ପରେ ଏହା ଏକ ମିଥ୍ୟା ଧମକ ବୋଲି ଜାଣିବାକୁ ପାଇଥିଲେ ଏବଂ ଭିତରୁ କୌଣସି ବିସ୍ଫୋରକ ମିଳିନଥିଲା।

ମିଲାନରୁ ବୁଖାରେଷ୍ଟ ଯାଉଥିବା 'ୱିଜ୍ ଏୟାର' (Wizz Air)ର ଏକ ବିମାନକୁ ବୋମା ଧମକ ମିଳିବା ପରେ ରୋମାନିଆର ହେନେରି କୋଆଣ୍ଡା ଆନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷିତ ଅବତରଣ କରାଯାଇଥିଲା। ଏହାପରେ ତୁରନ୍ତ ପଦକ୍ଷେପ ନେଇ ବିମାନରେ ଥିବା ପ୍ରାୟ ୨୦୦ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଥିଲା ଏବଂ ବମ୍ ସ୍କ୍ବାଡ୍ ଟିମ୍ ପକ୍ଷରୁ ତାଲାସୀ ଅଭିଯାନ ଚାଲିଥିଲା।

ବେଲଜିୟମର ବ୍ରୁସେଲ୍ସ ବିମାନବନ୍ଦରରେ ପୋଲାଣ୍ଡର 'LOT' ଏୟାରଲାଇନ୍ସର ଏକ ବିମାନକୁ ଜରୁରୀ ଅବତରଣ କରାଯାଇଥିଲା। ସେହିପରି ବୁଲଗେରିଆରେ ମଧ୍ୟ ତିନୋଟି ବିମାନକୁ ସୁରକ୍ଷା ଦୃଷ୍ଟିରୁ ଡାଇଭର୍ଟ କରାଯାଇଥିଲା, ଯେଉଁଥିରୁ ଦୁଇଟି ସୋଫିଆ ଏବଂ ଗୋଟିଏ ପ୍ଲୋଭଦିଭରେ ଅବତରଣ କରିଥିଲା।

Also Read: ନିଜ ଇଚ୍ଛାରେ ଚାକିରି ଛାଡ଼ିଲେ ମିଳିବ ୮୦% ଦରମା ! କର୍ମଚାରୀଙ୍କ ପାଇଁ ବଡ଼ ଅଫର ଆଣିଲା ମେଟା

ଏସବୁ ପଛରେ କାହାର ହାତ ରହିଛି ?

ତେବେ ଏତେ ସଂଖ୍ୟକ ବିମାନକୁ ଏକକାଳୀନ ଏଭଳି ଧମକ ମିଳିବା ପଛରେ କୌଣସି ନିର୍ଦ୍ଦିଷ୍ଟ ସଂଗଠନ ବା ଦେଶ ବର୍ତ୍ତମାନ ସୁଦ୍ଧା ଦାୟିତ୍ୱ ଗ୍ରହଣ କରିନାହିଁ। କିନ୍ତୁ ସୁରକ୍ଷା ବିଶେଷଜ୍ଞ ଓ ଅଧିକାରୀମାନଙ୍କ ମତରେ, ବର୍ତ୍ତମାନର ବର୍ଦ୍ଧିତ ଭୂ-ରାଜନୈତିକ ଉତ୍ତେଜନା ମଧ୍ୟରେ ଏହା 'ହାଇବ୍ରିଡ୍ ଆଟାକ୍' କିମ୍ବା ୟୁରୋପୀୟ ବ୍ୟବସ୍ଥାରେ ଅସ୍ଥିରତା ସୃଷ୍ଟି କରିବାର ଏକ ବଡ଼ ଷଡ଼ଯନ୍ତ୍ର ହୋଇପାରେ।

ଉଲ୍ଲେଖଯୋଗ୍ୟ ଯେ, ଗତ କିଛି ଦିନ ହେବ ୟୁରୋପର ବିଭିନ୍ନ ସୁପରମାର୍କେଟର ରେଫ୍ରିଜେରେସନ୍ ସିଷ୍ଟମକୁ ହ୍ୟାକ୍ କରିବା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଏଭଳି ସାଇବର କାର୍ଯ୍ୟକଳାପ ଦେଖିବାକୁ ମିଳିଛି। ବର୍ତ୍ତମାନ ସମଗ୍ର ୟୁରୋପରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି ଏବଂ ପ୍ରତ୍ୟେକ ବିମାନବନ୍ଦରରେ କଡ଼ା ଯାଞ୍ଚ୍ ଜାରି ରହିଛି।