ଇସ୍ଲାମାବାଦ: ପାକିସ୍ତାନ ଅଧିକୃତ ଜମ୍ମୁ ଓ କାଶ୍ମୀରର ରାୱଲକୋଟରେ ପାକିସ୍ତାନୀ ସେନା ନାଗରିକଙ୍କ ଉପରେ ବଡ଼ ଧରଣର ଆକ୍ରମଣ କରିଛି। ଉମର ଫାରୁକ ଚୌକରେ ଡ୍ରୋନ ଆକ୍ରମଣ ଓ ଗୁଳି ଚାଳନା ଯୋଗୁ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନୁନ୍ୟ ୧୮ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ସୂତ୍ର ଅନୁସାରେ ପୂର୍ବାହ୍ନ ୫ଟାରେ ଗୁଳିବର୍ଷା ଆରମ୍ଭ ହୋଇଥିଲା ଓ କିଛି ଘଣ୍ଟା ଧରି ଜାରି ରହିଥିଲା। ସହରର ଅନେକ ଅଞ୍ଚଳର ଘର ଛାତରେ ସେଲ ମାଡ଼ ହେବା ଯୋଗୁ ନିଆଁ ଲାଗିଯାଇଥିବା ବେଳେ ଜାଣିଶୁଣି ନିରସ୍ତ୍ର ବିକ୍ଷୋଭକାରୀଙ୍କ ଉପରେ ସେନା ଆକ୍ରମଣ କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

କିଛି ପରିବାର କହିଛନ୍ତି ସେମାନଙ୍କ ଉପରେ ଏହି ଆକ୍ରମଣ ମୃତ୍ୟୁର ୱାରେଣ୍ଟ ଭଳି ଥିଲା। ଏଥିରେ ପିଲାଙ୍କ ସହିତ ସାଧାରଣ ଲୋକେ ହତାହତ ହୋଇଥିବାର ଅଭିଯୋଗ ହୋଇଛି। ତେବେ ପିଓକେରେ ପାକିସ୍ତାନର ଏଭଳି ଆକ୍ରମଣ କିଛି ନୂଆ କଥା ନୁହେଁ ଜୁନ ୨୦୨୬ରେ ବିରୋଧ ପ୍ରଦର୍ଶନ ଆରମ୍ଭ ହେବା ପରଠାରୁ ସେନା କାର୍ଯ୍ୟାନୁଷ୍ଠାନ ଯୋଗୁ ଏ ପର୍ଯ୍ୟନ୍ତ ୧୫୩ ଜଣଙ୍କ ମୃତ୍ୟୁ ହେଲାଣି। ଏହି ଘଟଣା ପରେ ରାୱଲକୋଟରେ ମୋବାଇଲ ସେବା ଓ ଇଣ୍ଟରନେଟ୍ ବନ୍ଦ କରିଦିଆଯାଇଛି। ଫଳରେ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ସ୍ଥାନୀୟ ଲୋକେ ଏହାର ପ୍ରତିବାଦରେ ସଡକକୁ ଓହ୍ଲାଇଛନ୍ତି।

ଆନ୍ଦୋଳନକାରୀମାନେ କେବଳ ଶସ୍ତା ବିଦ୍ୟୁତ ଅଥବା ଗହମ ଅଟା ଦାବି କରୁ ନାହାନ୍ତି ସେମାନେ ଏବେ ବିଧାନସଭାରେ ପ୍ରତିନିଧିତ୍ୱ, ସ୍ଥାନୀୟ ସମ୍ବଳ ଉପରେ ନିୟନ୍ତ୍ରଣ ଓ ପ୍ରଶାସନିକ ସ୍ୱାୟତ୍ତତା ଦାବି କରୁଛନ୍ତି। ଆନ୍ଦୋଳନକାରୀମାନେ କହିଛନ୍ତି ଯେ ଅସୀମ ମୁନିରଙ୍କ ନେତୃତ୍ୱାଧୀନ ସେନାର ଦମନ ସତ୍ତ୍ୱେ ସେମାନେ ଆଉ ପଛକୁ ହଟିବେ ନାହିଁ। ଏହି ଆନ୍ଦୋଳନ ଏବେ ପାକିସ୍ତାନ ସହ ଅଞ୍ଚଳର ସମ୍ପର୍କ ଉପରେ ଗମ୍ଭିର ପ୍ରଶ୍ନ ଉଠାଉଛି।