ଝାରସୁଗୁଡ଼ା : କୁନି ପିଲାଟି । ଦୁନିଆ କ’ଣ ଭଲରେ ବୁଝିନି ହେଲେ ଆଖିରେ ଥିଲା ତାର ମେଞ୍ଚାଏ ସ୍ବପ୍ନ । ଥର ଥର କୁନି ଓଠରେ ଭଲରେ କଥା ସିନା କହିପାରୁନଥିଲା କିନ୍ତୁ କହୁଥିଲା ଡାକ୍ତର ହେବି, ଆଉ ରୋଗୀ ସେବା କରିବି । ମାଆ-ବାପା ବି ତାକୁ ନେଇ ଦେଖିଥିଲେ ଅନେକ ସ୍ବପ୍ନ । ହେଲେ ସେସବୁ ଯେମିତି ହୋଇଗଲା ଧୂଳିସାତ୍ । ସବୁ ସ୍ବପ୍ନ ଭାଙ୍ଗି ଚୁରମାର୍ ହୋଇଗଲା । ଯେଉଁ ଆଖିରେ ସେ ସ୍ବପ୍ନ ଦେଖୁଥିଲା ସେହି ଆଖି ସବୁଦିନ ପାଇଁ ବୁଜିଦେଲା । ମାଆ-ବାପାଙ୍କ ନୟନ ପିତ୍ତୁଳା ଚାଲିଗଲା ଆରପାରିକୁ । କୁନି ପୁଅକୁ ହରାଇ ଭାଙ୍ଗିପଡିଛନ୍ତି ପୂରା ପରିବାର । ଏସବୁ ଭିତରେ ପରିବାରର ଗୋଟିଏ ପଦକ୍ଷେପ ଶ୍ରେୟାଂସଙ୍କ ଉପସ୍ଥିତିକୁ ସବୁବେଳେ ବଞ୍ଚାଇ ରଖିବ ।

କ'ଣ ଥିଲା ପୂରା ଘଟଣା ?

ଝାରସୁଗୁଡ଼ାର ୪ ବର୍ଷୀୟ ଶ୍ରେୟାଂସ ଚଇନି । ରାମନବମୀରେ ଖୁସିରେ ବୁଲିବାକୁ ଆସିଥିଲା ମାମୁଘର । ହେଲେ ତାର ସେହି ଖୁସି ରହିଲାନି ବେଶୀ ସମୟ । ସମ୍ପର୍କୀୟଙ୍କ ସହ ବାଇକ୍ରେ ଯାଉଥିଲେ । ଏକ ସଡ଼କ ଦୁର୍ଘଟଣାରେ ସବୁଦିନ ପାଇଁ ଆଖି ବୁଜିଦେଲେ ଶ୍ରେୟାଂସ । କୋଳଶୂନ୍ୟ ହୋଇଗଲେ ବାପା-ମାଆ । ହଠାତ୍ ପୁଅକୁ ହରାଇ ଯେମିତି ହୋଇପଡିଥିଲେ ହତବାକ୍ । କିନ୍ତୁ ଧର୍ଯ୍ୟହରା ହୋଇନଥିଲେ ପରିବାର । ନେଇଥିଲେ ଏକ ସାହସିକ ପଦକ୍ଷେପ । ମାଆ-ବାପା ଛାତିକୁ ପଥର କରି ପୁଅର ଚକ୍ଷୁ ଦାନ ପାଇଁ ନିଷ୍ପତ୍ତି ନେଇଥିଲେ । ଯାହା ତାଙ୍କ ପାଇଁ ଥିଲା ବେଶ୍ କଷ୍ଟକର । ପୁଅ ସିନା ଚାଲିଗଲା ହେଲେ ତା ପାଇଁ କିଏ ତ ଦୁନିଆ ଦେଖିବ । ଏମିତି କିଛି ଚିନ୍ତା କରି ନିଷ୍ପତ୍ତି ନେଇଥିଲେ । ଏଭଳି ପଦକ୍ଷେପ ଆଉ ଦୁଇ ଜଣଙ୍କୁ ବାଟ ଚାଲିବାର ରାହା ଦେଖାଇଛି । ଯାହାକୁ ବିଭିନ୍ନ ମହଲରେ ବେଶ୍ ପ୍ରଶଂସା କରାଯାଉଛି ।

ମୃତ୍ୟୁ ପରେ ବି ଅମର ଶ୍ରେୟାଂସ । ନିଜେ ସିନା ଆଖି ବୁଜିଲେ ହେଲେ ଅନ୍ୟକୁ ଦେଇଗଲେ ସ୍ବପ୍ନ ଦେଖିବାକୁ ସାହାରା । ତାଙ୍କ ଆଖିରେ ଏବେ ଆଉ କିଏ ଦେଖୁଛି ଦୁନିଆ । ସିଏ ଯାହା ବି ହେଉ ପରିବାରର ଏଭଳି ନିଷ୍ପତ୍ତି ନିଶ୍ଚିତ ଭାବେ ଅନ୍ୟମାନଙ୍କ ପାଇଁ ପ୍ରେରଣା । ଏବେ ଖାଲି ଏତିକି କହିପାରିବା ଭଗବାନ ଶ୍ରେୟାଂସକୁ ଭଲରେ ରଖନ୍ତୁ ଆଉ ତାଙ୍କ ପରିବାରକୁ ଶକ୍ତି ଦିଅନ୍ତୁ ।

 Also Read- ଗୋଟିଏ ପ୍ଲଟ୍ରେ ଅନେକଙ୍କ ଘର ଆଉ ଦୋକାନ, କେବଳ ଆମକୁ କାହିଁକି ନୋଟିସ୍