ନୂଆଦିଲ୍ଲୀ: ମହିଳା ଏସିଆ କପ୍ ୨୦୨୬ର ଫାଇନାଲ୍ ମ୍ୟାଚ୍ ଜିତିବା ପରେ ଭାରତୀୟ ଦଳର ମଜାଦାର ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ହରମନପ୍ରୀତ କୌରଙ୍କ ନେତୃତ୍ଵରେ ଭାରତୀୟ ଦଳ ଶ୍ରୀଲଙ୍କାକୁ ହରାଇ ୮ମ ଥର ଏସିଆ କପ୍ ଟାଇଟଲ୍ ନିଜ ନାଁରେ କରିଛି। ହେଲେ ଫାଇନାଲ୍ ଜିତିବା ସତ୍ତ୍ଵେ ବି ମହିଳା ଟିମ୍ ଟ୍ରଫି ନେବାକୁ ମନା କରି ଦେଇଥିଲେ।

ଭାରତୀୟ ମହିଳା କ୍ରିକେଟ୍ ଟିମ୍ର ଅଧିନାୟକ ହରମନପ୍ରୀତ କୌର ନିଜର ଦମଦାର ବ୍ୟାଟିଂ ଓ ମୈଦାନ ଭିତରେ ମଜାଳିଆ ଅନ୍ଦାଜ ପାଇଁ ବେଶ୍ ଜଣାଶୁଣା। ହେଲେ ଏଥର ସେ ନିଜର ମଜାଦାର ତଥା କୌତୁକିଆ ସେଲିବ୍ରେସନ୍ ପାଇଁ ସୋସିଆଲ୍ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଏସିଆ କପ୍ ଟ୍ରଫି ଜିତିବା ପରେ ପୁରସ୍କାର ବିତରଣ ଉତ୍ସବରେ ସେ ଏପରି କିଛି କଲେ, ଯାହା ଦେଖି ପ୍ରଶଂସକଙ୍କ ସହ ଟିମର ସଦସ୍ୟମାନେ ମଧ୍ୟ ହସି ହସି ବେହାଲ ହୋଇପଡ଼ିଥିଲେ।

 

ସାଧାରଣତଃ ଟ୍ରଫି ଜିତିବା ପରେ ଦଳର ଅଧିନାୟକ ତାହାକୁ ଟେକି ଧରି ପୂରା ଟିମ୍ ସହ ବିଜୟ ଉତ୍ସବ ପାଳନ କରନ୍ତି। ହେଲେ ପୁରସ୍କାର ଗ୍ରହଣ କରିବା ପୂର୍ବରୁ ଓ ମଞ୍ଚକୁ ଯିବା ବାଟରେ ହରମନପ୍ରୀତଙ୍କ ନଜର ପାଖରେ ରଖାଯାଇଥିବା ଏକ ବଡ଼ ପାଣି ବୋତଲ ଉପରେ ପଡ଼ିଥିଲା।

ସେହି ସମୟରେ ହରମନପ୍ରୀତ ବିଳମ୍ବ ନକରି, ଚାମ୍ପିଅନ ଭଳି ସେହି ପାଣି ବୋତଲକୁ ହିଁ ଦୁଇ ହାତରେ ଉପରକୁ ଟେକି ବିଜୟ ଉତ୍ସବର ପୋଜ୍ ଦେବାକୁ ଲାଗିଥିଲେ। ଅଧିନାୟିକାଙ୍କ ଏହି କୌତୁକିଆ ଆଚରଣ ଦେଖି ପାଖରେ ଛିଡ଼ା ହୋଇଥିବା ଅନ୍ୟ ଖେଳାଳିମାନେ ନିଜ ହସ ରୋକି ପାରିନଥିଲେ।

 

ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍

ଏହି ମଜାଦାର ମୁହୂର୍ତ୍ତର ଭିଡିଓ ବର୍ତ୍ତମାନ ସୋସିଆଲ୍ ମିଡିଆରେ ନିଆଁ ଭଳି ବ୍ୟାପିବାରେ ଲାଗିଛି। କ୍ରିକେଟ୍ ପ୍ରଶଂସକମାନେ ହରମନପ୍ରୀତଙ୍କ ଏହି ବିନ୍ଦାସ୍ ଅନ୍ଦାଜକୁ ବେଶ୍ ପସନ୍ଦ କରୁଛନ୍ତି। ଅନେକ ୟୁଜର୍ସ କମେଣ୍ଟ କରି ଲେଖିଛନ୍ତି, "ହରମନପ୍ରୀତଙ୍କର ଏହି ଅଲଗା ସ୍ୱାଗ୍ ହିଁ ତାଙ୍କୁ ସମସ୍ତଙ୍କଠାରୁ ନିଆରା କରିଥାଏ।" ଅନ୍ୟ କେତେକ ଲେଖିଛନ୍ତି, "ବିଜୟ ପରେ ମୈଦାନରେ ଏପରି ହାଲୁକା ଓ ଖୁସିର ମାହୋଲ ସମସ୍ତଙ୍କ ମନ ଜିତିନେଇଛି।