ମୁମ୍ବାଇ:  ଇଣ୍ଡିଆନ ପ୍ରିମିୟର ଲିଗ୍‌-୨୦୨୬ରେ ମୁମ୍ବାଇ ଇଣ୍ଡିଆନ୍ସର ଶୋଚନୀୟ ପ୍ରଦର୍ଶନ ପରେ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଚର୍ଚ୍ଚାରେ । ତାଙ୍କୁ ଏମଆଇ ଛାଡ଼ିବାକୁ ପ୍ରସ୍ତୁତ ଥିବା ବେଳେ ତାଙ୍କୁ ନେବାକୁ ସିଏସକେ ଆଶାବାଦୀ । କିନ୍ତୁ ଦୁଇ ଟିମ୍‌ ମଧ୍ୟରେ ଅଫରକୁ ନେଇ ସହମତି ହୋଇପାରୁନି । ମୁମ୍ବାଇ ଯାହା ଚାହୁଁଛି, ତାଠୁ ଅଧିକ ଦେବାକୁ ସିଏସକେ ପ୍ରସ୍ତୁତ । କିନ୍ତୁ କିଛି ଟଙ୍କା ଏବଂ ଆୟୁଷ ମହାତ୍ରେ ଓ ଦୁବେଙ୍କୁ ନେବାକୁ ଅଫର ଦେଇଛି ମୁମ୍ବାଇ । ସେପଟେ ସିଏସକେ ମହାତ୍ରେଙ୍କୁ ଦେବାକୁ ରାଜି ନାହିଁ। ଏହା ବଦଳରେ ସିଏସକେ ୧୦ କୋଟି ଟଙ୍କା ଏବଂ ଶିବମ ଦୁବେ ଓ ଡେଓ୍ବାଲ୍ଡ ବ୍ରେଭିସ୍‌ଙ୍କୁ ଦେବାକୁ ଅଫର ଦେଇଛି । ଫଳରେ ଦୁଇ ଟିମ୍‌ ମଧ୍ୟରେ ଟ୍ରେଡ୍‌ ଡିଲ୍‌ ଅଟକି ରହିଛି । 

ଆଇପିଏଲ (IPL) ୨୦୨୭ ସିଜନ୍ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନିଜ ଦଳରେ ସାମିଲ କରିବା ପାଇଁ ଚେନ୍ନାଇ ସୁପର କିଙ୍ଗସ ଏକ ବଡ଼ 'ଟ୍ରେଡ୍ ଡିଲ୍' ପ୍ରସ୍ତାବ ଦେଇଥିବା ରିପୋର୍ଟ ପ୍ରକାଶ ପାଇଛି। ହିନ୍ଦୁସ୍ଥାନ ଟାଇମ୍ସର ରିପୋର୍ଟ ଅନୁସାରେ, ମୁମ୍ବାଇ ଇଣ୍ଡିଆନ୍ସ ନିଜର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଦଳରେ CSK ନିକଟରୁ ବିସ୍ଫୋରକ ବ୍ୟାଟର ଶିବମ ଦୁବେ, ୧୯ ବର୍ଷୀୟ ଯୁବ ପ୍ରତିଭା ଆୟୁଷ ମହାତ୍ରେ ଏବଂ ଏବଂ କିଛି ଟଙ୍କା ଦାବି କରିଥିଲା। ୨୦୨୬ ସିଜନରେ ଆୟୁଷ ପ୍ରାୟ ୧୮୦ ଷ୍ଟ୍ରାଇକ୍ ରେଟରେ ରନ୍ ସଂଗ୍ରହ କରି ମୁମ୍ବାଇର ନଜରକୁ ଆସିଥିଲେ। 

ଚେନ୍ନାଇ ସୁପର କିଙ୍ଗସର କାଉଣ୍ଟର ଅଫର ଅନୁସାରେ, ଦଳ ନିଜର ଯୁବ ଖେଳାଳି ଆୟୁଷ ମହାତ୍ରେଙ୍କୁ ଛାଡ଼ିବାକୁ ଆଦୌ ପ୍ରସ୍ତୁତ ନୁହେଁ। ତେଣୁ ସେମାନେ ମୁମ୍ବାଇ ଆଗରେ ଏକ ବିକଳ୍ପ ପ୍ରସ୍ତାବ ରଖିଛନ୍ତି । ଶିବମ ଦୁବେ, ଦକ୍ଷିଣ ଆଫ୍ରିକାର ଯୁବ ବ୍ୟାଟର ଡେୱାଲ୍ଡ ବ୍ରେଭିସ୍ ଏବଂ ୧୦ କୋଟି ଟଙ୍କା ନଗଦ ଦେବାକୁ ପ୍ରସ୍ତାବ ଦେଇଛି ସିଏସକେ । ଏହି ନୂଆ ପ୍ରସ୍ତାବର ମୋଟ ଆକଳନ ମୂଲ୍ୟ ୨୦ କୋଟି ଟଙ୍କାରୁ ଅଧିକ ହେବ, ଯାହା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏକ ବଡ଼ ଆର୍ଥିକ ଓ ଦଳଗତ ଫାଇଦା ହୋଇପାରେ।

ହାର୍ଦ୍ଦିକଙ୍କ ପ୍ରଦର୍ଶନ 
ଭାରତୀୟ କ୍ରିକେଟରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଦ୍ରୁତ ବୋଲିଂ କରୁଥିବା ମଧ୍ୟକ୍ରମ ଅଲରାଉଣ୍ଡର ଓ ଅଧିନାୟକ ମିଳିବା କଷ୍ଟକର। ତେବେ ୨୦୨୬ ସିଜନରେ ତାଙ୍କ ପ୍ରଦର୍ଶନ ନିରାଶାଜନକ ଥିଲା—ସେ ମାତ୍ର ୨୦୬ ରନ୍ କରିଥିଲେ ଏବଂ ୪ଟି ୱିକେଟ୍ ନେଇଥିଲେ। ତେଣୁ CSK ଏତେ ବଡ଼ ଅଫର ଦେବାକୁ ନେଇ କ୍ରିକେଟ୍ ବିଶ୍ଲେଷକମାନଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଛି। ଯଦି CSK ଏବଂ MI ମଧ୍ୟରେ ଏହି ଆଲୋଚନା ସଫଳ ନହୁଏ, ତେବେ କୋଲକାତା ନାଇଟ୍ ରାଇଡର୍ସ (KKR) ଭଳି ଅନ୍ୟ ପ୍ରାଞ୍ଚାଇଜି ମଧ୍ୟ ହାର୍ଦ୍ଦିକଙ୍କୁ ନିଜ ଦଳରେ ସାମିଲ କରିବା ପାଇଁ ଧ୍ୟାନ ରଖିଛନ୍ତି।