ନୂଆଦିଲ୍ଲୀ,୪|୦୨ :ଆଉ ମାତ୍ର ତିନି ଚାରି ଦିନ ପରେ ଆରମ୍ଭ ହେବ ଟି୨୦ ବିଶ୍ୱକପ୍ । ବିଶ୍ୱକପରେ ଭାରତ ହେଉଛି ସବୁଠୁ ବେଶି ଫେଭରେଟ୍ । ଦଳର ସବୁ ବ୍ୟାଟର ଫର୍ମରେ ଅଛନ୍ତି । ଅଭିଷେକ ଶର୍ମାଙ୍କଠୁ ଆରମ୍ଭ କରି ଇଶାନ କିଷାନ, ସୂର୍ଯ୍ୟ କୁମାର, ତିଲକ ବର୍ମା, ଶିବମ ଦୁବେ ବଡ ବଡ ସଟ୍ ଖେଳୁଛନ୍ତି । ହେଲେ ସବୁଠୁ ବିଶ୍ୱାସଯୋଗ୍ୟ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା । ବ୍ୟାଟିଂ ସହ ବୋଲିଂ ରେ ବି ସେ ଦେଖାଉଛନ୍ତି ଜଲଓ୍ୱା । ଦଳକୁ ସନ୍ତୁଳିତ ରଖୁଛନ୍ତି । 

ଭାରତୀୟ କିକେଟର ହାର୍ଡ ହିଟର ହାର୍ଦ୍ଦିକ ପାଣ୍ଡ୍ୟା । ନିଜ ବ୍ୟକ୍ତିଗତ ଜୀବନ ସହ କ୍ୟାରିଅରକୁ ନେଇ ସେ ଚର୍ଚ୍ଚାରେ ରହିଥାନ୍ତି । ସଦାବେଳେ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଦିଅନ୍ତି ଅପଡେଟ୍ । ତାଙ୍କ ଇନଷ୍ଟାଗ୍ରାମରେ ପ୍ରାୟ ୪୫ ମିଲିୟନ ଫଲୋଅର୍ସ । ଯାହା ରୋହିତ ଶର୍ମାଙ୍କ ସହ ପ୍ରାୟ ସମାନ । ନିକଟରେ ସରିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ରେ ସେ ଜବରଦସ୍ତ ପ୍ରଦର୍ଶନ କରିଥିଲେ । ଏହାପୂର୍ବରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ମଧ୍ୟ ତାଙ୍କ ବ୍ୟାଟରୁ ରନ୍ ବର୍ଷା ହୋଇଥିଲା ।

ନିକଟରେ ହାର୍ଦ୍ଦିକ ଅନ୍ତର୍ଜାତୀୟ କ୍ରିକେଟରେ ଦଶ ବର୍ଷ ପୂରା କରିଥିଲେ । ଏହାକୁ ନଇ ସେ ସୋସିଆଲ ମିଡିଆରେ ପୋଷ୍ଟ ମଧ୍ୟ କରିଥିଲେ । ଯେଉଁଥିରେ ସେ ଲେଖିଥିଲେ ଯେ ଏହା ତାଙ୍କ ପାଇଁ ଏକ ସ୍ୱପ୍ନ ଥିଲା । ସତ ହେବ ବୋଲି କେବେ ଭାବିନଥିଲେ । ଏହାସହ ସେ ନିଜର ଅଗଣିତ ଫ୍ୟାନ୍ସଙ୍କୁ ଧନ୍ୟବାଦ ଦେଇଥିଲେ । ଅନେକ ସମସ୍ୟାର ସେ ସାମ୍ନା କରିଛନ୍ତି । ଅନେକ ସମାଲୋଚନା ଶୁଣିବାକୁ ପଡିଛି । ତଥାପି ସେ ହାର୍ ମାନି ନାହାଁନ୍ତି । କମ୍ ବ୍ୟାକ୍ କରିଛନ୍ତି । ଭାରତକୁ ଟ୍ରଫି ମଧ୍ୟ ଜିତାଇଛନ୍ତି । ୨୦୧୫ରେ ମାତ୍ର ୧୦ ଲକ୍ଷ ଟଙ୍କାରୁ ଆଇପିଏଲ କ୍ୟାରିଅର ଆରମ୍ଭ କରିଥିବା ହାର୍ଦ୍ଦିକ ଏବେ ଅନ୍ୟତମ ଦାମୀ ଖେଳାଳି ।

ହାର୍ଦ୍ଦିକଙ୍କୁ ଏବେ ୩୨ ବର୍ଷ । ଏବେ ସେ ଉଭୟ ବ୍ୟାଟିଂ ଏବେ ବୋଲିଂରେ ନିଜକୁ ପ୍ରମାଣିତ କରିଛନ୍ତି । ଭଲ ଫିଲ୍ଡର ଭାବେ ଭାରତୀୟ ଦଳରେ ତାଙ୍କର ସୁନାମ ରହିଛି । ୨୦୨୪ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପ୍ଟେନ୍ ହୋଇଥିଲେ । କିନ୍ତୁ ପସନ୍ଦ କରିନଥିଲେ ଫ୍ୟାନ୍ସ । ତାଙ୍କୁ ଷ୍ଟାଡିୟମରେ କଟାକ୍ଷ କରାଯାଉଥିଲା । ସବୁଠି ଟ୍ରୋଲ୍ ହେଉଥିଲେ । ଏହାପରେ କିନ୍ତୁ ତାଙ୍କ କମବ୍ୟାକ୍ ସମସ୍ତଙ୍କ ମୁହଁ ବନ୍ଦ କରିଦେଇଥିଲା । ତାଙ୍କୁ କେହି କେହି ଆଗାମୀ କପିଲ୍ ଦେବ ବୋଲି କହୁଛନ୍ତି । କପିଲ ଯେପରି ଉଭୟ ବ୍ୟାଟିଂ ଏବଂ ବୋଲିଂରେ ବିପକ୍ଷ ଟିମର ଭୟ ବଢାଇଥିଲେ ଏବେ ପାଣ୍ଡ୍ୟା ସମାନ କାମ କରୁଛନ୍ତି ।

ରୋହିତ ଶର୍ମାଙ୍କ କହିବାନୁସାରେ, ପାଣ୍ଡ୍ୟା ଟିମ୍ ଇଣ୍ଡିଆର ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି । ସେ ଦଳରେ ସାମିଲ ଥିଲେ ବଡ ଭୂମିକା ନେଇତାନ୍ତି । ଦଳର ଆବଶ୍ୟକତା ବେଳେ ସେ ଦମଦାର ବ୍ୟାଟିଂ କରନ୍ତି । ଅନେକ ମ୍ୟାଚ୍ ଓ୍ୱିନିଂ ପାଳି ଖେଳିଛନ୍ତି । ଓ୍ୱିକେଟ୍ ଦରକାର ସମୟରେ ବୋଲିଂ କରି ଦଳକୁ ଉପହାର ଦେଇଛନ୍ତି । ସେ ପ୍ଲେଇଂ ଏକାଦଶରେ ଥିଲେ ଦଳ ପାଖରେ ୬ ଜଣ ବୋଲରଙ୍କ ବିକଳ୍ପ ରହିଥାଏ । ଏହାସହ ବ୍ୟାଟିଂରେ ମଧ୍ୟ ଗଭୀରତା ଆସୁଥିବା ରୋହିତ ପ୍ରକାଶ କରିଛନ୍ତି । ଫ୍ୟାନ୍ କିମ୍ବା ଆଉ କେହି ରୋହିତଙ୍କୁ ଅଧିନାୟକ କରିବାକୁ ଚାହାଁନ୍ତି । ହେଲେ ରୋହିତ ନିଜେ ପାଣ୍ଡ୍ୟାଙ୍କୁ ଭଲ ଖେଳାଳି କହିବା ସହ ନେତୃତ୍ୱ ନେଇପାରିବେ ବୋଲି କହିଛନ୍ତି ।