ଅହମଦାବାଦ: ଭାରତର ମୁଖ୍ୟ ନିର୍ବାଚନ କମିଶନ (ଇସିଆଇ) ଜ୍ଞାନେଶ କୁମାର ଶୁକ୍ରବାର କହିଛନ୍ତି ଯେ ‘ଭୋଟର ସୂଚୀରେ କୌଣସି ପ୍ରକାରର ତ୍ରୁଟି ପାଇଁ ନିର୍ବାଚନ ଆୟୋଗ ମୁଖ୍ୟ ହୋଇଥିବାରୁ ମୁଁ ଦାୟି, ତେବେ ଭୋଟର ଲିଷ୍ଟକୁ ସଠିକ ଓ ଅପଡେଟ୍ ରଖିବାର ଶ୍ରେୟ ବୁଥ ଲେବୁଲ ଅଫିସର (ବିଏଲଓ)ଙ୍କର’। ଗୁଜରାଟ ବିଶ୍ୱବିଦ୍ୟାଳୟର ଅଟଳ କଲାମ ହଲରେ ଆୟୋଜିତ ‘ବୁଥ ଲେବୁଲ ଅଧିକାରୀଙ୍କ ସହ ସଂବାଦ’ କାର୍ଯ୍ୟକ୍ରମରେ ବିଏଲଓମାନଙ୍କୁ ସମ୍ବୋଧିତ କରି ଜ୍ଞାନେଶ କୁମାର ଏହା କହିଛନ୍ତି।

ଜ୍ଞାନେଶ କୁମାର ବିଏଲଓଙ୍କୁ ନିର୍ବାଚନ ଆୟୋଗ ପରିବାରର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ବୋଲି କହିଛନ୍ତି । ସେ କହିଛନ୍ତି ଯେ ଭୋଟର ଲିଷ୍ଟରେ ଯଦି କୌଣସି ତ୍ରୁଟି ରହେ ତେବେ ପରିବାର ମୁଖିଆ ହୋଇଥିବା ଦୃଷ୍ଟିରୁ ଏହାର ଦାୟିତ୍ୱ ମୋର। ହେଲେ ତାଲିକାକୁ ସଠିକ କରିବାର ଶ୍ରେୟ ଆମର ବିଏଲଓ ଭାଇ ଓ ଭୁଣୀଙ୍କୁ ଦିଆଯିବା ଉଚିତ। କୌଣସି ଭୋଟରଙ୍କ ଲାଗି ତାଙ୍କ ଘରକୁ ଆସୁଥିବା ଓ ଫୋନରେ ସମ୍ପର୍କ କରୁଥିବା ଅଧିକାରୀ ହିଁ ନିର୍ବାଚନ ଆୟୋଗଙ୍କ ବାସ୍ତବିକ ପରିଚୟ।

ଜ୍ଞାନେଶ କୁମାର କହିଛନ୍ତି ଯେ ବିଏଲଓ ସାରା ଦେଶରେ କୋଟିକୋଟି ମତଦାତାଙ୍କ ନିକଟକୁ ପହଞ୍ଚିବା, ସେମାନଙ୍କ ପଞ୍ଜିକରଣ, ଭୋଟର ଲିଷ୍ଟରେ ସଂଶୋଧନ ଓ ମତଦାନରେ ଭାଗିଦାରୀ ସୁନିଶ୍ଚିତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି। ସାରା ଦେଶରେ ୧୧ ଲକ୍ଷରୁ ଅଧିକ ବିଏଲଓ ପାଖାପାଖି ୯୦ କୋଟି ଭୋଟରଙ୍କ ଅଧିକାର ଓ ଅପେକ୍ଷା ସମ୍ପର୍କିତ ନିର୍ବାଚନ କାର୍ଯ୍ୟରେ ଲାଗି ପଡିଛନ୍ତି। ନିର୍ବାଚନ ଆୟୋଗ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ବୈଠକ ଓ ଇସିଆଇ-ନେଟ୍ ଭଳି ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ନିଜର ତୃଣ ମୂଳ ସ୍ତରର କର୍ମଚାରୀଙ୍କ ସହ ଲଗାତାର ସମ୍ପର୍କରେ ରହିଛନ୍ତି।

ଜ୍ଞାନେଶ କୁମାର ଭୋଟର ଲିଷ୍ଟକୁ ସଠିକ ରଖିବାର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି ଯେ ରାଜନୈତିକ ଦଳ ଓ ସେମାନଙ୍କ ବୁଥ ସ୍ତରୀୟ ଏଜେଣ୍ଟଙ୍କ ସତ୍ୟାପନ ପ୍ରକ୍ରିୟାରେ ଅଂଶଗ୍ରହଣ କରୁଛନ୍ତି। ତେବେ ବିଏଲଓ ଅନୁପସ୍ଥିତ, ସ୍ଥାନାନ୍ତରିତ, ମୃତ, ନକଲୀ ଓ ବିଦେଶୀ ଭୋଟରଙ୍କୁ ଚିହ୍ନଟ କରୁଛନ୍ତି। ସେ କହିଛନ୍ତି ଯେ ପ୍ରତ୍ୟେକ ଭାରତୀୟ ନାଗରିକ ଯେଉଁମାନେ ୧୮ ବର୍ଷ ବୟସରେ ପହଞ୍ଚିଛନ୍ତି ତାଙ୍କ ନାମ ଭୋଟର ଲିଷ୍ଟରେ ସାମିଲ ହେବା ଆବଶ୍ୟକ। ସେ ବିଶେଷ ଗହନ ପୁନରୀକ୍ଷଣ (ଏସଆଇଆର) ପ୍ରକ୍ରିୟାର ଉଲ୍ଲେଖ କରି କହିଛନ୍ତି ଯେ ଆୟୋଗ ସମୟ ସମୟରେ ଭୋଟର ଲିଷ୍ଟର ଶୁଦ୍ଧତା ଓ ସଠିକତା ନିଶ୍ଚିତ କରିବା ପାଇଁ ପୁନରୀକ୍ଷଣ କରନ୍ତି। ଡକ୍ୟୁମେଣ୍ଟ ଯାଞ୍ଚ, ମ୍ୟାପିଙ୍ଗ ଓ ଶୁଣାଣି ଭଳି ପ୍ରକ୍ରିୟା ମାଧ୍ୟମରେ ସୂଚୀକୁ ଅଧିକ ସଠିକ କରାଯାଏ।

ସେହିପରି ଭୋଟ ଓ ଭୋଟ ଗଣନା ପ୍ରକ୍ରିୟାରେ ସୁରକ୍ଷା ଉପାୟର ସୂଚନା ଦେଇ ଜ୍ଞାନେଶ କୁମାର କହିଛନ୍ତି ଯେ ଭୋଟଦାନ ଆରମ୍ଭ ହେବା ପୂର୍ବରୁ ପ୍ରାର୍ଥୀଙ୍କୁ ମତଦାନ ଏଜେଣ୍ଟଙ୍କ ଉପସ୍ଥିତିରେ ଇଭିଏମ ଓ ଭିଭିପିଏଟି ମକ୍ ପୋଲ ମାଧ୍ୟମରେ ପରୀକ୍ଷା କରାଯାଏ। ଭୋଟଗ୍ରହଣ ପରେ ଇଭିଏମ ସମ୍ପର୍କିତ ପରିଣାମ ପ୍ରକ୍ରିୟା ପ୍ରାର୍ଥୀଙ୍କ ଏଜେଣ୍ଟଙ୍କ ଉପସ୍ଥିତିରେ ପୁରା କରାଯାଏ ଓ ଆବଶ୍ୟକ କାଗଜପତ୍ରରେ ତାଙ୍କର ସ୍ୱାକ୍ଷର ନିଆଯାଏ। ସେ କହିଛନ୍ତି ଯେ ଭୋଟ ଗଣନା କାଳରେ ଇଭିଏମରେ ରେକର୍ଡ ମତକୁ ପ୍ରାର୍ଥୀଙ୍କ କାଉଣ୍ଟିଂ ଏଜେଣ୍ଟଙ୍କ ଉପସ୍ଥିତିରେ ଫର୍ମ ୧୭-ସି ରେ ରେକର୍ଡ ଭୋଟ ସହ କରାଯାଏ। ନିର୍ବାଚନ ପ୍ରକ୍ରିୟାର ପ୍ରତ୍ୟେକ ପର୍ଯ୍ୟାୟରେ ରାଜନୈତିକ ଦଳ, ପ୍ରାର୍ଥୀ ଓ ସେମାନଙ୍କ ଏଜେଣ୍ଟଙ୍କୁ ସତ୍ୟାପନର ଅବସର ମିଳେ। ଏଣୁ ସମ୍ପୂର୍ଣ୍ଣ ପ୍ରକ୍ରିୟା ଅତ୍ୟନ୍ତ ପାରଦର୍ଶି ହୋଇଥାଏ।।,