ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟରରୁ ନେତା ବନିଥିବା ନାଭା ଜେଲବ୍ରେକ୍ ମାମଲାର ମୁଖ୍ୟ ଅଭିଯୁକ୍ତ ଗୁରପ୍ରୀତ ସିଂହ ସେଖୋଁ ଆମ୍ ଆଦମୀ ପାର୍ଟି (ଆପ୍)ରେ ଯୋଗ ଦେଇଛନ୍ତି। ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଫିରୋଜପୁର ଜିଲ୍ଲାର ଜିରାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ତାଙ୍କୁ ଦଳକୁ ସ୍ୱାଗତ କରିଛନ୍ତି।

ରାଜନୈତିକ ସମୀକରଣ
ଆପ୍ ଗୁରପ୍ରୀତ ସେଖୋଁଙ୍କୁ ଜିରା ବିଧାନସଭା ଆସନରୁ ପ୍ରାର୍ଥୀ କରିପାରେ। ସେଖୋଁ ୧୦ ଦିନ ପୂର୍ବରୁ ସେଠାରେ ନିଜର କାର୍ଯ୍ୟାଳୟ ଖୋଲିସାରିଛନ୍ତି। ଏହି ନିଷ୍ପତ୍ତି ଯୋଗୁଁ ଜିରାର ବର୍ତ୍ତମାନର ଆପ୍ ବିଧାୟକ ନରେଶ କାତରିୟାଙ୍କ ଶିବିରରେ ନିରାଶା ଦେଖାଦେଇଛି।

ଜିରା ଆସନ
 ପୂର୍ବରୁ ଏହି ଆସନ ଅକାଳୀ ଦଳର ଗଡ଼ ଥିଲା। ୨୦୧୭ରେ କଂଗ୍ରେସର କୁଲବୀର ସିଂହ ଜିରା ଏବଂ ୨୦୨୨ରେ ଆପର ନରେଶ କାତରିୟା ଏଠାରୁ ବିଜୟୀ ହୋଇଥିଲେ।

ଗୁରପ୍ରୀତ ସେଖୋଁଙ୍କ କିଏ ?
 ୨୦୧୬ ନଭେମ୍ବରରେ ନାଭା ଜେଲରୁ ଫେରାର ହୋଇ ସେ ଚର୍ଚ୍ଚାକୁ ଆସିଥିଲେ। ୨୦୧୭ରେ ମୋଗାରୁ ଗିରଫ ହୋଇଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ମୁକ୍ତ ହୋଇଥିଲେ। ଅକାଳୀ ଦଳର ସମର୍ଥନରେ ନିଜ ସମ୍ପର୍କୀୟଙ୍କୁ ସ୍ଥାନୀୟ ନିର୍ବାଚନରେ ଜିତାଇ ସେ ନିଜର ପ୍ରଭାବ ବିସ୍ତାର କରିଥିଲେ।