ନୂଆଦିଲ୍ଲୀ: ଅମେରିକାର ଓହାୟୋ ରାଜ୍ୟରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏକ ମୋଟେଲ୍‌ରେ ଭୟାବହ ଅଗ୍ନିକାଣ୍ଡ ଯୋଗୁଁ ଗୁଜରାଟୀ ପରିବାରର ୩ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ନିଆଁ ଏବଂ ଧୂଆଁରୁ ବଞ୍ଚିବା ପାଇଁ ପରିବାର ନିଜକୁ ବାଥ୍‌ରୁମ୍ ଭିତରେ ବନ୍ଦ କରିଦେଇଥିଲା । ହେଲେ ଶ୍ବାସରୁଦ୍ଧ ହୋଇ ବାପା-ମା ଏବଂ ଝିଅଙ୍କ ମୃତ୍ୟୁ ଘଟିଛି । ଓହାୟୋର ୱୁଷ୍ଟର ସହରରେ ଅବସ୍ଥିତ 'ଇକୋନୋ ଲଜ୍' ମୋଟେଲରେ ବିଳମ୍ବିତ ରାତି ପ୍ରାୟ ୧:୩୦ ସମୟରେ ହଠାତ୍ ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ, ଏହାକୁ ଆୟତ୍ତ କରିବା ପାଇଁ ୧୫ଟି ଅଗ୍ନିଶମ ବିଭାଗର ପ୍ରାୟ ୭୦ ଜଣ କର୍ମଚାରୀଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିଥିଲା।

ଏହି ଦୁର୍ଘଟଣାରେ ହିତେଶଭାଇ ସୁଥାର , ପତ୍ନୀ ହିନାବେନ ସୁଥାର ଏବଂ ସେମାନଙ୍କ ଝିଅ ଈଶାନୀ ସୁଥାରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହି ପରିବାର  ଉଜ୍ଜ୍ୱଳ ଭବିଷ୍ୟତ ଆଶାରେ ପ୍ରାୟ ଦୁଇ ବର୍ଷ ପୂର୍ବରୁ ଭାରତ ଛାଡ଼ି ଆମେରିକାରେ ରହିବା ସହ ସେହି ମୋଟେଲରେ କାମ କରୁଥିଲେ। ଘଟଣା ଦିନ ରାତିରେ ଯେତେବେଳେ ମୋଟେଲ୍ ବେଡ୍‌ରୁମ୍ ବାହାରେ ନିଆଁ ଏବଂ ଧୂଆଁ ବ୍ୟାପିବାକୁ ଲାଗିଲା, ପରିବାରj ସବୁ ସଦସ୍ୟ ନିଜ ରୁମ୍ ଭିତରେ ଫସିଯାଇଥିଲେ। ସେମାନେ ତୁରନ୍ତ ସାହାଯ୍ୟ ପାଇଁ ମୋଟେଲ୍‌ର ଫ୍ରଣ୍ଟ ଡେସ୍କକୁ ଫୋନ୍ କରିଥିଲେ।

ଫ୍ରଣ୍ଟ ଡେସ୍କରୁ ସେମାନଙ୍କୁ ସୁରକ୍ଷା ଦୃଷ୍ଟିରୁ ବାଥରୁମ୍ ଭିତରକୁ ଯାଇ ପାଣି ଟ୍ୟାପ୍‌ଗୁଡ଼ିକୁ ଖୋଲା ରଖିବାକୁ ପରମର୍ଶ ଦିଆଯାଇଥିଲା । ଏହା ସହ ଉଦ୍ଧାରକାରୀ ଦଳ ଆସିବା ପର୍ଯ୍ୟନ୍ତ ସେଠାରେ ଅପେକ୍ଷା କରିବାକୁ କୁହାଯାଇଥିଲା। ଫ୍ରଣ୍ଟ ଡେସ୍କର ଏହି ପରାମର୍ଶକୁ ମାନି ପରିବାର ବାଥରୁମ୍ ଭିତରକୁ ଯାଇ କବାଟ ଲକ୍ କରିଦେଇଥିଲେ। କିନ୍ତୁ ନିଆଁ ଏତେ ଭୟାବହ ରୂପ ନେଇଥିଲା ଯେ, ଅଗ୍ନିଶମ ବାହିନୀ ପହଞ୍ଚି ସେମାନଙ୍କ ରୁମ୍ ଯାଏଁ ଉଦ୍ଧାର ପାଇଁ ଯିବାକୁ ବହୁତ ସମୟ ଲାଗିଗଲା। ଏହି ସମୟ ମଧ୍ୟରେ ବାଥରୁମ୍ ଭିତରେ ପ୍ରବଳ କଳା ଧୂଆଁ ଜମିଯାଇଥିଲା, ଫଳରେ ଅମ୍ଳଜାନ ଅଭାବରୁ ଶ୍ୱାସରୁଦ୍ଧ ହୋଇ ତିନିଜଣଯାକ ଆଖି ବୁଜିଥିଲେ। ଅଗ୍ନିଶମ କର୍ମଚାରୀମାନେ ଯେତେବେଳେ କବାଟ ଭାଙ୍ଗି ଭିତରକୁ ପଶିଲେ, ସେତେବେଳକୁ ସବୁ ଶେଷ ହୋଇଯାଇଥିଲା।

ସ୍ଥାନୀୟ ପ୍ରଶାସନ ଓ ଅଗ୍ନିଶମ ଅଧିକାରୀଙ୍କ ସୂଚନା ଅନୁଯାୟୀ, ମୋଟେଲରେ କେଉଁ କାରଣରୁ ଏହି ଭୟଙ୍କର ନିଆଁ ଲାଗିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏଥିରେ କୌଣସି ସନ୍ଦେହଜନକ କାର୍ଯ୍ୟକଳାପ କିମ୍ବା ସୁରକ୍ଷା ବ୍ୟବସ୍ଥାରେ ଅବହେଳା ଥିଲା କି ନାହିଁ, ସେ ନେଇ ଓହାୟୋ ପୋଲିସ ଏବଂ ଫାୟାର ମାର୍ଶଲ ଅଫିସ୍ ପକ୍ଷରୁ ମିଳିତ ତଦନ୍ତ କରାଯାଉଛି। ଏହି ଦୁଃଖଦ ଖବର ପହଞ୍ଚିବା ପରେ ଗୁଜରାଟରେ ଥିବା ତାଙ୍କ ସମ୍ପର୍କୀୟ ଏବଂ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତଦେହଗୁଡ଼ିକୁ ଭାରତ ଆଣିବା ପାଇଁ ପ୍ରୟାସ କରାଯାଉଛି।