ନୂଆଦିଲ୍ଲୀ: ଆମେରିକା ଓ ଇରାନ ମଧ୍ୟରେ ବିବାଦର କେନ୍ଦ୍ର ପାଲଟିଥିବା ହର୍ମୁଜ ନିକଟରେ ବୁଧବାର ଏକ ଟ୍ୟାଙ୍କର ଜାହାଜ ଉପରେ ଆକ୍ରମଣ ହୋଇଛି। କୁହାଯାଇଛି ଯେ ତୈଳ ଟ୍ୟାଙ୍କରକୁ ପ୍ରୋଜେକ୍ଟାଇଲ ଦ୍ୱାରା ଟାର୍ଗେଟ କରାଯାଇଥିଲା। ଏହି ଜାହାଜରେ ୩ ଜଣ ଭାରତୀୟ ଚାଳକଦଳ ସଦସ୍ୟ ଥିଲେ। କେନ୍ଦ୍ରୀୟ ବନ୍ଦର, ଜାହାଜରାଣୀ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ କହିଛନ୍ତି ଯେ ହର୍ମୁଜ ନିକଟରେ ଲାଇବେରିଆ ପତାକା ଥିବା ଅଶୋଧିତ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ ହୋଇଛି। ତେବେ ଜାହାଜରେ ଥିବା ୩ ଭାରତୀୟଙ୍କ ସମେତ ସମସ୍ତ ଚାଲକଦଳ ସଦସ୍ୟ ସୁରକ୍ଷିତ ଅଛନ୍ତି।

କେନ୍ଦ୍ରମନ୍ତ୍ରୀ ସୋନୱାଲ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କରିଥିବା ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ ନଭେମ୍ବର ୧୮ ତାରିଖ ଦିନ ଜାହାଜକୁ ପ୍ରୋଜେକ୍ଟାଇଲରେ ଟାର୍ଗେଟ କରାଯାଇଥିଲା। ଏହି ଘଟଣାରେ କେହି ହତାହତ ହୋଇଥିବା ନେଇ ସୂଚନା ନାହିଁ। ତେବେ ଜାହାଜରେ ଥିବା ଜଣେ ଭାରତୀୟ ଅଧିକାରୀଙ୍କୁ ପ୍ରାଥମିକ ଉପଚାର ଓ ଚିକିତ୍ସକୀୟ ଯାଞ୍ଚ ନିମନ୍ତେ ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଛି। ସୋନୋୱାଲ କହିଛନ୍ତି ଯେ ଏହି ଘଟଣାକୁ ନେଇ ସମ୍ବଦ୍ଧିତ ଅଧିକାରୀ ସ୍ଥିତି ଉପରେ ନଜର ରଖି ରହିଛନ୍ତି। ଏହା ଛଡା ନାବିକଙ୍କ ସୁରକ୍ଷା, ଚିକିତ୍ସା ଦେଖରେଖ ଓ ସେମାନଙ୍କ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ଜାହାଜ ପ୍ରବନ୍ଧନ କମ୍ପାନୀ ସହ ସମ୍ପର୍କରେ ଅଛନ୍ତି।