ନୂଆଦିଲ୍ଲୀ: ସଂପର୍କୀୟଙ୍କୁ ବିଦାୟ ଦେବାକୁ ଯାଇ ଫସିଲେ ୧୨ ଜଣ । ବନ୍ଦେ ଭାରତ ଏକ୍ସପ୍ରେସ ଭିତରକୁ ପଶିଯିବା ପରେ ବନ୍ଦ ହୋଇଗଲା ଗେଟ୍‌ । ଆଉ ବାହାରକୁ ଆସିନପାରି ବାଧ୍ୟ ହୋଇ ୧୪୦ କିଲୋମିଟର ଯାତ୍ରା କଲେ ଏବଂ ୩୬ ହଜାର ଟଙ୍କା ତଣ୍ଡ ଗଣିଲେ ।ଉତ୍ତର ପ୍ରଦେଶର କାନପୁର ସେଣ୍ଟ୍ରାଲ ରେଳ ଷ୍ଟେସନରେ ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ନିଜ ସମ୍ପର୍କୀୟମାନଙ୍କୁ ଟ୍ରେନରେ ବସାଇ ବିଦାୟ ଦେବା ପାଇଁ ବନ୍ଦେ ଭାରତ ଏକ୍ସପ୍ରେସ ଭିତରକୁ ଯାଇଥିବା ୧୨ ଜଣ ବ୍ୟକ୍ତି ଅଟୋମେଟିକ୍ ଗେଟ୍‌ ବନ୍ଦ ହୋଇଯିବାରୁ ଭିତରେ ଫସି ଯାଇଥିଲେ। ଶେଷରେ ସେମାନଙ୍କୁ ପ୍ରାୟ ୧୪୦ କିଲୋମିଟର ଦୂର ଇଟାୱା ଜଙ୍କସନ ପର୍ଯ୍ୟନ୍ତ ଯାତ୍ରା କରିବାକୁ ପଡ଼ିଥିଲା ।  ସେମାନଙ୍କ ପାଖରୁ ରେଳବାଇ ପକ୍ଷରୁ ମୋଟ ୩୬,୦୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି।

ସୂଚନା ଅନୁଯାୟୀ, ଟ୍ରେନ୍ ନମ୍ବର ୨୨୪୧୫ ବାରାଣସୀ-ନୂଆଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ କାନପୁର ସେଣ୍ଟ୍ରାଲ ଷ୍ଟେସନରେ ଅଟକିଥିବା ବେଳେ ଏହି ଘଟଣା ଘଟିଥିଲା। କାନପୁରର ବିଭିନ୍ନ ଅଞ୍ଚଳରୁ ଆସିଥିବା ୧୨ ଜଣ ଲୋକ ନିଜ ପରିବାର ସଦସ୍ୟଙ୍କ ଜିନିଷପତ୍ର ରଖିବା ସହ ସେମାନଙ୍କୁ ସିଟରେ ବସାଇବା ପାଇଁ ଟ୍ରେନ୍ ଭିତରକୁ ଯାଇଥିଲେ। ତେବେ ସେମାନେ ବାହାରକୁ ଆସିବା ପୂର୍ବରୁ ହିଁ ଟ୍ରେନର ସ୍ୱୟଂଚାଳିତ ଗେଟ୍‌ଗୁଡ଼ିକ ବନ୍ଦ ହୋଇଯାଇଥିଲା। ବନ୍ଦେ ଭାରତ ଟ୍ରେନର ଗେଟ୍‌ କେବଳ ନିର୍ଦ୍ଧାରିତ ଷ୍ଟେସନରେ ହିଁ ଖୋଲୁଥିବାରୁ ସେମାନେ ଆଉ କାନପୁର ଷ୍ଟେସନରେ ଓହ୍ଲାଇ ପାରିନଥିଲେ।

ମହିଳା ଓ ଶିଶୁଙ୍କ ସମେତ ମୋଟ ୧୨ ଜଣ ବ୍ୟକ୍ତି ଟ୍ରେନ୍ ଭିତରେ ଫସି ରହିଯାଇଥିଲେ। ଅନ୍ୟପଟେ ପ୍ଲାଟଫର୍ମରେ ଅପେକ୍ଷା କରିଥିବା ସେମାନଙ୍କର ଅନ୍ୟ ସମ୍ପର୍କୀୟମାନେ ଏହା ଦେଖି ଚିନ୍ତିତ ହୋଇପଡ଼ିଥିଲେ। ଟ୍ରେନ୍ ଭିତରେ ଫସି ରହିଥିବା ଲୋକମାନେ ତୁରନ୍ତ ଗେଟ୍‌ ଖୋଲିବା ପାଇଁ ଟ୍ରେନ୍ କର୍ମଚାରୀଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ଚଳନ୍ତା ଟ୍ରେନରେ ସୁରକ୍ଷା ନିୟମ ଏବଂ ବୈଷୟିକ କାରଣରୁ କବାଟ ଖୋଲିବା ସମ୍ଭବ ନଥିଲା। ଏହି ଘଟଣାକୁ ନେଇ କିଛି ଲୋକ ଟ୍ରେନ୍ ଭିତରେ ପ୍ରତିବାଦ ମଧ୍ୟ କରିଥିଲେ।

ସ୍ଥିତିକୁ ଦେଖି ଟ୍ରେନ୍ କର୍ମଚାରୀମାନେ ତୁରନ୍ତ ଟୁଣ୍ଡଲା ରେଳବାଇ କଣ୍ଟ୍ରୋଲ ରୁମକୁ ଖବର ଦେଇଥିଲେ। କଣ୍ଟ୍ରୋଲ ରୁମର ନିର୍ଦ୍ଦେଶକ୍ରମେ ରବିବାର ସକାଳ ପ୍ରାୟ ୧୦ଟା ୪୯ ମିନିଟରେ ବନ୍ଦେ ଭାରତ ଏକ୍ସପ୍ରେସକୁ ଇଟାୱା ଜଙ୍କସନରେ ଅଟକାଯାଇଥିଲା। ଖବର ପାଇ ଇଟାୱା ଷ୍ଟେସନ ଅଧୀକ୍ଷକ ପି.ଏମ୍. ମୀନା, ଆରପିଏଫ୍ ଇନ୍ସପେକ୍ଟର ଏବଂ ଜିଆରପି ଇନ୍ସପେକ୍ଟର ଘଟଣାସ୍ଥଳରେ ପହଞ୍ଚିଥିଲେ। ଆରପିଏଫ୍ ଏବଂ ଜିଆରପିର ମିଳିତ ଟିମ୍ ସମସ୍ତ ୧୨ ଜଣଙ୍କୁ ସୁରକ୍ଷିତ ଭାବରେ ଟ୍ରେନରୁ ତଳକୁ ଓହ୍ଲାଇଥିଲେ।

ଟ୍ରେନରୁ ଓହ୍ଲାଇବା ପରେ ସେମାନଙ୍କୁ ଆରପିଏଫ୍ ପୋଷ୍ଟକୁ ନିଆଯାଇ ପଚରାଉଚରା କରାଯାଇଥିଲା। ବିନା ଟିକେଟ୍ ଏବଂ ବିନା ଅନୁମତିରେ ଟ୍ରେନ୍ ଭିତରକୁ ପ୍ରବେଶ କରି ରେଳବାଇ ନିୟମ ଉଲ୍ଲଂଘନ କରିଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ରେଳବାଇ ପକ୍ଷରୁ ପ୍ରତ୍ୟେକ ବ୍ୟକ୍ତିଙ୍କଠାରୁ ୩,୦୦୦ ଟଙ୍କା ଲେଖାଏଁ ମୋଟ ୩୬,୦୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ଭବିଷ୍ୟତରେ ଏଭଳି ଭୁଲ ନକରିବାକୁ ପରାମର୍ଶ ଦେଇ ସେମାନଙ୍କୁ ଛାଡ଼ିଦିଆଯାଇଛି ।