• ସେନାର ପୃଥକ ପୃଥକ ରେଜିମେଣ୍ଟ ଓ କୋରର ନିଜର ସ୍ୱତନ୍ତ୍ର ପରମ୍ପରା ଓ ପରିଚୟ ରହିଛି
  • ସେନା ନିଷ୍ପତ୍ତି ପରିବର୍ତ୍ତନ କରି ପୁରୁଣା ରେଜିମେଣ୍ଟାଲ ପରିଚୟକୁ ପୁଣି ଥରେ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି
  • ୨୦୨୩ ମସିହାରେ ଭାରତୀୟ ସେନା ବରିଷ୍ଠ ଅଧିକାରୀମାନଙ୍କ ଲାଗି ଏକାଭଳି ଡ୍ରେସକୋଡ ଲାଗୁ କରିଥିଲା
  • ପରିବର୍ତ୍ତନ ଅନୁସାରେ ଅଧିକାରୀଙ୍କ ପୋଷାକରୁ ମୂଳ ରେଜିମେଣ୍ଟ ଓ କୋର ପରିଚୟ ଦର୍ଶାଉଥିବା ପାରମ୍ପରିକ ଚିହ୍ନଟ ହଟାଇ ଦିଆଯାଇଥିଲା

ନୂଆଦିଲ୍ଲୀ: ଭାରତୀୟ ସେନାରେ ବରିଷ୍ଠ ଅଧିକାରୀଙ୍କ ପୋଷାକରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୨୦୨୩ରେ ଲାଗୁ କରାଯାଇଥିବା ଡ୍ରେସ କୋଡର କିଛି ନିୟମକୁ ପ୍ରତ୍ୟାହାର କରିବାକୁ ସେନା ନିଷ୍ପତ୍ତି ନେଇଛି। ଏବେ ସେନାର ବରିଷ୍ଠ ଅଧିକାରୀ ପୁଣି ଥରେ ନିଜ ରେଜିମେଣ୍ଟ ଓ କୋରର ପାରମ୍ପରିକ ପରିଚୟ ରଖୁଥିବା ହେଡଗିୟର ଓ ବ୍ୟାଜ୍ ପିନ୍ଧିପାରିବେ। ଏହି ପରିବର୍ତ୍ତନ ୧ ଡିସେମ୍ବର ୨୦୨୬ରୁ ଲାଗୁ ହେବ। ନୂଆ ଆଦେଶ ଅନୁସାରେ ବ୍ରିଗେଡିୟର ଓ ଏହାଠୁ ଉଚ୍ଚ ଅଧିକାରୀ ନିଜ ଅଧିକୃତ ପୋଷାକ ସହିତ ନିଜ ରେଜିମେଣ୍ଟ ଓ କୋରର ପାରମ୍ପରିକ ଚିହ୍ନ ଧାରଣ କରିପାରିବେ।

ନିଷ୍ପତ୍ତି ଅନୁସାରେ ଗୋର୍ଖା ରାଇଫଲସର ବରିଷ୍ଠ ଅଧିକାରୀ ନିଜ ଅଧିକୃତ ପୋଷାକ ସହିତ ତାଙ୍କର ପାରମ୍ପରିକ ଗୋର୍ଖା ହ୍ୟାଟ୍ ପିନ୍ଧି ପାରିବେ। ସେହିପରି ସ୍ପେଶାଲ ଫୋର୍ସେସ ଅଧିକାରୀ ମେରୁନ ବେରେଟ ଓ ଆର୍ମଡ ରେଜିମେଣ୍ଟ ଅଧିକାରୀ ବ୍ଲାକ୍ ବେରେଟ୍ ପିନ୍ଧି ପାରିବେ। ଉଲ୍ଲେଖଯୋଗ୍ୟ ଯେ ୨୦୨୩ ମସିହାରେ ଭାରତୀୟ ସେନା ବରିଷ୍ଠ ଅଧିକାରୀମାନଙ୍କ ଲାଗି ଏକାଭଳି ଡ୍ରେସକୋଡ ଲାଗୁ କରିଥିଲା। ଏହାର ଉଦ୍ଦେଶ୍ୟ ଥିଲା ସେନାର ବରିଷ୍ଠ ନେତୃତ୍ୱଙ୍କ ମଧ୍ୟରେ ସମାନ ପରିଚୟ ସୃଷ୍ଟି କରିବା। ଏହି ପରିବର୍ତ୍ତନ ଅନୁସାରେ ଅଧିକାରୀଙ୍କ ପୋଷାକରୁ ସେମାନଙ୍କ ମୂଳ ରେଜିମେଣ୍ଟ ଓ କୋର ପରିଚୟ ଦର୍ଶାଉଥିବା ଅନେକ ପାରମ୍ପରିକ ଚିହ୍ନଟ ହଟାଇ ଦିଆଯାଇଥିଲା।

ଏବେ ସେନା ଏହି ନିଷ୍ପତ୍ତି ପରିବର୍ତ୍ତନ କରି ପୁରୁଣା ରେଜିମେଣ୍ଟାଲ ପରିଚୟକୁ ପୁଣି ଥରେ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି। ସେନାର ପୃଥକ ପୃଥକ ରେଜିମେଣ୍ଟ ଓ କୋରର ନିଜର ସ୍ୱତନ୍ତ୍ର ପରମ୍ପରା ଓ ପରିଚୟ ରହିଛି। ଗୋର୍ଖା ହ୍ୟାଟ୍, ମେରୁନ ବେରେଟ ଓ ବ୍ଲାକ୍ ବେରେଟ କେବଳ ପରିଧାନର ଅଂଶବିଶେଷ ନୁହେଁ ବରଂ ଏହା ସୈନିକଙ୍କ ରେଜିମେଣ୍ଟାଲ ପରିଚୟ, ଗୌରବ ଓ ସୈନ୍ୟ ପରମ୍ପରାର ପ୍ରତୀକ ମଧ୍ୟ। ଏହି ନିଷ୍ପତ୍ତି ଯୋଗୁ ବରିଷ୍ଠ ଅଧିକାରୀଙ୍କୁ ନିଜ ପାରମ୍ପରିକ ସୈନ୍ୟ ପରିଚୟ ସହ ପୋଷାକ ପିନ୍ଧିବାର ସୁଯୋଗ ମିଳିବ।

ଗତ କିଛି ବର୍ଷରେ ଭାରତୀୟ ସେନା, ନୌସେନା ଓ ବାୟୁସେନା ସମେତ କେନ୍ଦ୍ରୀୟ ସୁରକ୍ଷା ବଳ ପୋଷାକରେ ଅନେକ ପରିବର୍ତ୍ତନ କରାଯାଇଛି। ସେନା ଜାନୁୟାରୀ ୨୦୨୨ରେ ନୂଆ ଡିଜିଟାଲ କମ୍ବାଟ ୟୁନିଫର୍ମ ଲଞ୍ଚ କରିଥିଲା। ଭାରତୀୟ ବାୟୁସେନା ଅକ୍ଟୋବର ୨୦୨୨ରେ ନୂଆ ଡିଜିଟାଲ କେମୋଫ୍ଲାଜ ୟୁନିଫର୍ମ ଗ୍ରହଣ କରିଥିଲା। ଏହା ଛଡା ସିଆରପିଏଫ କୋବ୍ରା ୟୁନିଟ, ବିଏସଏଫ ଓ ସିଆଇଏସଏଫ ୟୁନିଫର୍ମରେ ମଧ୍ୟ ପରିବର୍ତ୍ତନ କରାଯାଇଥିଲା। ଏନଏସଜି ମଧ୍ୟ ଭିଆଇପି ସୁରକ୍ଷାରେ ମୁତୟନ ନିଜ କମାଣ୍ଡୋଙ୍କ ଲାଗି ଗରମରୁ ଆଶ୍ୱସ୍ତି ଦେବା ଭଳି ନୂଆ ୟୁନିଫର୍ମ ଉପରେ କାମ କରୁଛି। ତେବେ ୧ ଡିସେମ୍ବରରୁ ଲାଗୁ ହେଉଥିବା ଏହି ନିଷ୍ପତ୍ତି ସେନାର ପୁରୁଣା ରେଜିମେଣ୍ଟାଲ ପରମ୍ପରା ଓ ପରିଚୟକୁ ପୁଣିଥରେ ଗୁରୁତ୍ୱ ଦେବା ଦିଗରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖା ଯାଉଛି।