ପୋର୍ଟବ୍ଲେୟର: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଜେଲ ପ୍ରଶାସନ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ଏହି ଦ୍ୱୀପ ସମୂହରେ ଔପନିବେଶକ ଯୁଗ ଓ ୧୦୦ ବର୍ଷରୁ ଅଧିକ କାଳ ଧରି କାର୍ଯ୍ୟକାରୀ ହୋଇ ଆସୁଥିବା ୨ଟି ପୁରୁଣା ଜେଲ ଆଇନ ବଦଳେ ଏକ ନୂଆ ନିୟାମକ ଢାଞ୍ଚା ଲାଗୁ କରାଯାଉଛି। ଏଥିରେ ଜେଲ ପ୍ରଶାସନକୁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡି କରିବା ପାଇଁ ପ୍ରାବଧାନ ରଖା ଯାଇଛି। ନୂଆ ପରିବର୍ତ୍ତନ ସହିତ ଏବେ ଜେଲମାନଙ୍କରେ ସୁରକ୍ଷା ସହିତ ସୁଧାର ଓ ଥଇଥାନ ଓ ସାମାଜିକ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଖାସ ଗୁରୁତ୍ୱ ଦିଆଯିବ।

ଜେଲ ପ୍ରଶାସନରେ ସମ୍ବିଧାନର ଅନୁଚ୍ଛେଦ ୨୪୦ ଅନୁସାରେ ଅଣାଯାଇଥିବା ଆଣ୍ଡାମାନ ଓ ନିକୋବର ଦ୍ୱୀପ ସମୂହ କାରାଗାର ଏବଂ ସଂଶୋଧନାତ୍ମକ ସେବା ନିୟମ ୨୦୨୬ ବ୍ରିଟିଶ ଶାସନ କାଳ ୧୮୯୪ର ଜେଲ ଅଧିନିୟମ ସହିତ ୩ ପୁରୁଣା ଆଇନର ସ୍ଥାନ ନେବ। ନୂଆ ନିୟମର ଉଦ୍ଦେଶ୍ୟ ଜେଲମାନଙ୍କୁ କେବଳ ବନ୍ଦୀମାନଙ୍କୁ ରଖିବା ଓ ଦଣ୍ଡାତ୍ମକ ସଂସ୍ଥା ବଦଳେ ସୁଧାର, ଥଇଥାନ ଓ ସାମାଜିକ ପୁନରସ୍ଥାପନା କେନ୍ଦ୍ର ଭାବେ ବିକଶିତ କରିବା। ଏହି ନିୟମ ଜେଲ ପ୍ରଶାସନକୁ ଔପନିବେଶିକ ଚିନ୍ତାଧାରାରୁ ଆଗକୁ ନେଇ ମାନବୀୟ ମର୍ଯ୍ୟଦା, ସମାନତା, ଭେଦଭାବ ମୁକ୍ତ ଓ ବନ୍ଦୀଙ୍କୁ ସାମାଜିକ ମୁଖ୍ୟ ଧାରାରେ ପୁଣି ମିଶାଇବା ଭଳି ସାମ୍ବିଧାନିକ ମୂଲ୍ୟବୋଧକୁ ପ୍ରାଥମିକତା ଦେଉଛି।

ଏହି ନୂଆ ଆଇନ ବ୍ରିଟିଶ ଯୁଗର ୩ ପୁରୁଣା ଆଇନ କାରାଗାର ଆଇନ ୧୮୯୪, ବନ୍ଦୀ ଆଇନ ୧୯୦୦ ଓ ଟ୍ରାନ୍ସଫର ଅଫ ପ୍ରିଜିନର୍ସ ଆକ୍ଟ ୧୯୫୦କୁ ବଦଳାଇଛି। ନୂତନ ଆଇନରେ ୧୪ଟି ଅଧ୍ୟାୟ ଓ ୭୦ଟି ଧାରା ରହିଛି ଏବଂ ଏଥିରେ ୬ ପ୍ରକାରର ଜେଲ ଯଥା ଜିଲ୍ଲା ଜେଲ, ଉପକାରାଗାର, ମୁକ୍ତ ଜେଲ, ଉଚ୍ଚ ସୁରକ୍ଷା ଜେଲ, ମହିଳା ଜେଲ ଓ ନାବାଳକ ଅପରାଧୀଙ୍କ ଲାଗି ସୁଧାର ଗୃହ ପାଇଁ ବ୍ୟବସ୍ଥା ରହିଛି। ନୂଆ ଆଇନ ପ୍ରଶାସକଙ୍କ ଦ୍ୱାରା ସୂଚିତ ତାରିଖରେ ଲାଗୁ ହେବ ଏବଂ ବିଭିନ୍ନ ତାରିଖରେ ବିଭିନ୍ନ ବ୍ୟବସ୍ଥା ଲାଗୁ ହେବ। ନୂତନ ଆଇନରେ ବାୟୋମେଟ୍ରିକ୍ ଚିହ୍ନଟ, ସିସିଟିଭି ନିରୀକ୍ଷଣ, କମ୍ପ୍ୟୁଟରୀକୃତ ଜେଲ ରେକର୍ଡ ଓ ମୋବାଇଲ ଜାମରକୁ ବାଧ୍ୟତାମୂଳକ କରାଯାଇଛି। ଏହା ଛଡା ପ୍ରତ୍ୟେକ ଜେଲରେ ଜଣେ ଡାକ୍ତରଙ୍କ ନିଯୁକ୍ତି ବାଧ୍ୟତାମୂଳକ କରାଯାଇଛି।

୧୮୯୪ ପ୍ରିଜିନସ୍ ଆକ୍ଟ ଔପନିବେଶିକ ଶାସନ କାଳରେ ପ୍ରଣୟନ କରାଯାଇଥିଲା। ଏଥିରେ ଜେଲ ପ୍ରଶାସନର ପ୍ରାଥମିକ ଉଦ୍ଦେଶ୍ୟ ଥିଲା କେବଳ କୈଦୀମାନଙ୍କୁ ନିୟନ୍ତ୍ରଣ ଓ ଅଟକ କରିବା। ଏଥିରେ ମାନସିକ ସ୍ୱାସ୍ଥ୍ୟ, ପୁନର୍ବାସ, ପ୍ରଯୁକ୍ତିବିଦ୍ୟା ଏବଂ ଅକ୍ଷମ କୈଦୀଙ୍କ ଲାଗି ସୁବିଧା ଭଳି ଆଧୁନିକ ଆବଶ୍ୟକତା ଗୁଡିକର ପର୍ଯ୍ୟାପ୍ତ କଭରେଜ ନଥିଲା।