ନୂଆଦିଲ୍ଲୀ-; ନଭେମ୍ବର ୨୦ ତାରିଖରେ ମୁକ୍ତିଲାଭ କରିବ ତାମିଲ ସୁପରଷ୍ଟାର ଧନୁଷଙ୍କ ଆଗାମୀ ଫିଲ୍ମ 'OM: Chapter 1 - Udhiram: The Blood Wood' । ଫିଲ୍ମର ରିଲିଜ୍କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ବଢ଼ୁଥିବା ବେଳେ ଧନୁଷ ସେମାନଙ୍କୁ ଏକ ବିଶେଷ ଅପିଲ୍ କରିଛନ୍ତି। ଫିଲ୍ମକୁ ନେଇ ଉତ୍ସବ ପାଳନ କରିବା ସମୟରେ ସମସ୍ତେ ଦାୟିତ୍ୱବାନ ଓ ସତର୍କ ରହିବା ସହ ଅନ୍ୟମାନଙ୍କୁ କୌଣସି ପ୍ରକାର ଅସୁବିଧାରେ ନପକାଇବାକୁ ସେ ଅନୁରୋଧ କରିଛନ୍ତି। ଏହା ସହିତ ଫିଲ୍ମର ସକାଳ ୬ଟା ଶୋ' ପାଇଁ ଅନୁମତି ଦେଇଥିବାରୁ ଧନୁଷ ତାମିଲନାଡୁ ସରକାର ଏବଂ ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସୋସିଆଲ ମିଡିଆରେ ଏକ ବିବୃତି ସେୟାର କରି ଧନୁଷ କହିଛନ୍ତି ଯେ, ଗୋଟିଏ ଫିଲ୍ମର ସଫଳତା ପଛରେ ବିଭିନ୍ନ ବିଭାଗର ଅନେକ ଲୋକଙ୍କ ପରିଶ୍ରମ, ନିଷ୍ଠା ଓ ସାମୂହିକ ଉଦ୍ୟମ ରହିଥାଏ। ତେଣୁ ଫିଲ୍ମ ଇଣ୍ଡଷ୍ଟ୍ରିର ସମସ୍ତଙ୍କୁ ସବୁଠାରୁ ବଡ଼ ସମର୍ଥନ ହେଉଛି ସିନେମା ହଲ୍କୁ ଯାଇ ଫିଲ୍ମ ଦେଖିବା। ଏହାଦ୍ୱାରା ଚଳଚ୍ଚିତ୍ର ଶିଳ୍ପର ବିକାଶରେ ଯୋଗଦାନ ରହିଥାଏ ବୋଲି ସେ ଉଲ୍ଲେଖ କରିଛନ୍ତି।

ଫିଲ୍ମର ସକାଳ ୬ଟା ଶୋ' ପାଇଁ ଅନୁମତି ମିଳିଥିବାରୁ ତାମିଲନାଡୁ ସରକାର ଏବଂ ମୁଖ୍ୟମନ୍ତ୍ରୀ ବିଜୟଙ୍କ ପ୍ରତି କୃତଜ୍ଞତା ଜଣାଇ ଧନୁଷ କହିଛନ୍ତି, ନଭେମ୍ବର ୨୦ରେ ମୁକ୍ତିଲାଭ କରିବାକୁ ଥିବା 'ଓମ୍' ଫିଲ୍ମର ସକାଳ ୬ଟା ଶୋ' ପାଇଁ ଅନୁମତି ଦେଇଥିବାରୁ ତାମିଲନାଡୁ ସରକାର ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ମୋର ହୃଦୟରୁ ଧନ୍ୟବାଦ।

ସେହିପରି ସକାଳର ପ୍ରଥମ ଶୋ' ଦେଖିବାକୁ ଯାଉଥିବା ପ୍ରଶଂସକଙ୍କୁ ମଧ୍ୟ ଧନୁଷ ବିଶେଷ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ସମସ୍ତ ପ୍ରଶଂସକ ସୁରକ୍ଷିତ ଓ ଦାୟିତ୍ୱବାନ ଢଙ୍ଗରେ ଉତ୍ସବ ପାଳନ କରନ୍ତୁ। ଅନ୍ୟମାନଙ୍କୁ କୌଣସି ପ୍ରକାର ଅସୁବିଧା କିମ୍ବା ବାଧା ସୃଷ୍ଟି କରନ୍ତୁ ନାହିଁ। କାରଣ ଫିଲ୍ମ ଦେଖି ତାହାର ଆନନ୍ଦ ନେବା ହିଁ ପ୍ରକୃତ ଉତ୍ସବ।

କ'ଣ ରହିଛି ଫିଲ୍ମର କାହାଣୀ?'ଓମ୍: ଚାପ୍ଟର ୧ - ଉଧିରମ୍: ଦ ବ୍ଲଡ୍ ଉଡ୍' ଏକ ଆକ୍ସନ୍ ଥ୍ରିଲର୍ ଫିଲ୍ମ। 'ଅମରନ୍' ଭଳି ସଫଳ ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ରାଜକୁମାର ପେରିୟାସାମୀ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ଚାଲିଥିବା ବେଆଇନ ନାଲି ଚନ୍ଦନ କାଠ ଚୋରା ଚାଲାଣକୁ ନେଇ ଫିଲ୍ମର କାହାଣୀ ଗତିଶୀଳ ହୋଇଛି।

also read- Sharad Kapoor: ସହାୟତା ନାଁରେ ଶରଦ କପୁରଙ୍କ ସହ ସ୍କାମ, ରିଲ୍ କରି ଦାନ ଟଙ୍କା ଫେରାଇ ନେଉଛନ୍ତି ଇନ୍‌ଫ୍ଲୁଏନ୍ସର

ଏଥିରେ ଧନୁଷ ତାମିଲନାଡୁ ସ୍ପେଶାଲ୍ ଟାସ୍କ ଫୋର୍ସର ଜଣେ ଅଧିକାରୀ ଭାବେ ନଜର ଆସିବେ। ସେ ଜଣେ କାଠ କଟାଳିର ଛଦ୍ମବେଶ ଧାରଣ କରି ଚନ୍ଦନ କାଠ ଚୋରା ଚାଲାଣ କରୁଥିବା ଏକ ବଡ଼ ଗ୍ୟାଙ୍ଗ୍ରେ ପ୍ରବେଶ କରିବେ। ଏହି ଗ୍ୟାଙ୍ଗ୍ର କାର୍ଯ୍ୟକଳାପର ପର୍ଦ୍ଦାଫାସ କରିବା ହେଉଛି ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ।

ଫିଲ୍ମରେ ସାଇ ପଲ୍ଲବୀ ଜଣେ ଆଇପିଏସ୍ ଅଧିକାରୀଙ୍କ ଭୂମିକାରେ ଅଭିନୟ କରିଛନ୍ତି, ଯିଏ ଏହି ମାମଲାର ତଦନ୍ତର ନେତୃତ୍ୱ ନେଉଛନ୍ତି। ସେହିପରି ମାମୁଟି ଏକ ପ୍ରଭାବଶାଳୀ ତଥା ନକାରାତ୍ମକ ଛାୟାଯୁକ୍ତ ଚରିତ୍ରରେ ନଜର ଆସିବେ। ଫିଲ୍ମରେ ସେ ବେଆଇନ କାଠ ଚୋରା ଚାଲାଣ ବ୍ୟବସାୟକୁ ନିୟନ୍ତ୍ରଣ କରୁଥିବା ଜଣେ ଶକ୍ତିଶାଳୀ ବ୍ୟକ୍ତିଙ୍କ ଭୂମିକାରେ ଅଛନ୍ତି। ଧନୁଷଙ୍କ ଏହି ଅପିଲ୍ ପରେ ଫିଲ୍ମର ପ୍ରଥମ ଦିନର ପ୍ରଥମ ଶୋ'କୁ ନେଇ ପ୍ରଶଂସକଙ୍କ ଉତ୍ସାହ ସହିତ ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ସିନେମା ଦେଖିବାର ବାର୍ତ୍ତା ମଧ୍ୟ ଚର୍ଚ୍ଚାକୁ ଆସିଛି।