IPL 2026 GT vs RR: ଓପନରଙ୍କ ଦମଦାର ବ୍ୟାଟିଂ ପରେ ରଶିଦ ଖାନଙ୍କ ଶାଣିତ ବୋଲିଂ। ଆଇପିଏଲ୍ ୨୦୨୬ର ୫୨ତମ ମ୍ୟାଚରେ ଗୁଜରାଟ ଟାଇଟନ୍ସ ରାଜସ୍ଥାନ ରୟାଲ୍ସକୁ ୭୭ ରନରେ ହରାଇଛି। ଲଗାତାର ଚତୁର୍ଥ ଏବଂ ସପ୍ତମ ବିଜୟ ସହ ଗୁଜରାଟ ପଏଣ୍ଟ ଟେବୁଲର ଦ୍ଵିତୀୟ ସ୍ଥାନକୁ ଉଠି ପ୍ଲେ ଅଫର ନିକଟତର ହୋଇଛି। ଅନ୍ୟପଟେ ରାଜସ୍ଥାନ ଜୟପୁରରେ ନିଜର ଘରୋଇ ମାଟିରେ ମ୍ୟାଚ୍ ହାରି ପଞ୍ଚମ ସ୍ଥାନକୁ ଖସି ଆସିଛି। ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ଶୁଭମନ ଗିଲଙ୍କ ୮୪ ରନ ଓ ସାଇ ସୁଦର୍ଶନଙ୍କ ୫୫ ରନ ବଳରେ ୪ ଓ୍ଵିକେଟ୍ ହରାଇ ୨୨୯ ରନର ବିଶାଳ ସ୍କୋର କରିଥିଲା। ଜବାବରେ ରାଜସ୍ଥାନ ୧୬.୩ ଓଭରରେ ୧୫୨ ରନରେ ଅଲଆଉଟ୍ ହୋଇଛି। କୌଣସି ବ୍ୟାଟର ବଡ଼ ଇନିଂସ ଖେଳିବାରେ ବିଫଳ ହୋଇଥିଲେ। ବୋଲିଂରେ ଗୁଜରାଟ ପକ୍ଷରୁ ରଶିଦ ଖାନ ୪ ଓ୍ଵିକେଟ୍ ନେଇ ଦଳ ବିଜୟରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।

୨୩୦ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ରାଜସ୍ଥାନ ରୟାଲ୍ସକୁ ବୈଭବ ସୂର୍ଯ୍ୟବଂଶୀଙ୍କ ରୂପେ ପ୍ରଥମ ଝଟକା ଲାଗିଥିଲା। ସୂର୍ଯ୍ୟବଂଶୀ ମାତ୍ର ୧୬ ବଲରୁ ୩୬ ରନ କରି ନିଜର କାମ କରିଥିଲେ। ଯଶସ୍ଵୀ  ଜୟସ୍ଵାଲ ମାତ୍ର ୩ ରନ କରି ଆଉଟ୍ ହୋଇଥିଲେ। ମଧ୍ୟକ୍ରମ ବହୁତ ନିରାଶ କରିଥିଲେ। ଧ୍ରୁବ ଜୁରେଲ ୧୦ ବଲରୁ ଦ୍ରୁତ ୨୪ ରନ କରିଥିଲେ ମଧ୍ୟ ଇନିଂସକୁ ବଡ଼ କରି ପାରି ନ ଥିଲେ। ପୂରା ସିଜିନରେ ଏ ପର୍ଯ୍ୟନ୍ତ ଖରାପ ଫର୍ମ ଦେଇ ଗତି କରୁଥିବା ସିମରନ ହେଟମାୟର(୬ ରନ) ପୁଣି ଥରେ ନିରାଶ କରିଛନ୍ତି।

Also Read: ​​​​​​​ଯଶସ୍ୱୀ ଜୟସ୍ୱାଲଙ୍କ ପାଇଁ ବଢ଼ିଲା ସମସ୍ୟା, ନୋଟିସ ଜାରି କଲା NADA, ବର୍ତ୍ତିବେନି ଶେଫାଳି ବର୍ମା

ରବୀନ୍ଦ୍ର ଜାଡ଼େଜା ୨୫ ବଲରୁ ୩୮ ରନ କରି କିଛି ସମୟ କ୍ରିଜରେ ଦଳର ଇନିଂସ ସମ୍ଭାଳିଥିଲେ। ବାକି ବ୍ୟାଟର କ୍ରିଜରେ ତିଷ୍ଠି ପାରି ନ ଥିଲେ। ଡୋନୋଭାନ ଫେରିଆ ୪ ରନ, ଶୁଭମ ଦୁବେ ୧୫ ରନ ଓ ଦାସୁନ ଶନାକା ୧୬ ରନ କରିଥିଲେ। ରାଜସ୍ଥାନର ପୂରା ଇନିଂସରେ ଓ୍ଵିକେଟ୍ ପତନ ନିୟମିତ ବ୍ୟବଧାନରେ ହେବାରୁ ଦଳ ବିଜୟ ଲକ୍ଷ୍ୟଠୁ ପଛେଇ ଯାଇଥିଲା। ଶେଷରେ ଦଳ ୧୬.୩ ଓଭରରେ ୧୫୨ ରନରେ ଅଲଆଉଟ୍ ହୋଇଛି। ରଶିଦ୍ ଖାନ ମାତ୍ର ୩୩ ରନ୍ ଦେଇ ୪ଟି ଗୁରୁତ୍ୱପୂର୍ଣ୍ଣ ଓ୍ଵିକେଟ୍ ନେଇଥିଲେ।

ଗୁଜରାଟର ବିଶାଳ ସ୍କୋର: ଗିଲ୍-ସୁଦର୍ଶନଙ୍କ ରେକର୍ଡ

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ଟାଇଟନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ୍ ହରାଇ ୨୨୯ ରନ୍‌ର ଏକ ବିଶାଳ ସ୍କୋର ଛିଡ଼ା କରିଥିଲା। ଦଳ ପକ୍ଷରୁ ଅଧିନାୟକ ଶୁଭମନ ଗିଲ୍ ୪୪ ବଲ୍‌ରୁ ୮୪ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିବା ବେଳେ ସାଇ ସୁଦର୍ଶନ ୫୫ ରନ୍‌ କରିଥିଲେ। ଏହି ଓପନିଂ ଯୋଡ଼ି ଆଇପିଏଲ୍ ଇତିହାସରେ ସର୍ବାଧିକ (୬ଟି) ଶତକୀୟ ଭାଗିଦାରୀର ରେକର୍ଡ ମଧ୍ୟ ସମାନ କରିଛନ୍ତି। ଶେଷ ଆଡ଼କୁ ରାହୁଲ ତେୱାତିଆ ମାତ୍ର ୪ ବଲ୍‌ରୁ ୧୪ ରନ୍ ସଂଗ୍ରହ କରି ଦଳୀୟ ସ୍କୋରକୁ ୨୦୦ ପାର୍ କରାଇଥିଲେ।