ନୂଆଦିଲ୍ଲୀ: ଗୁଜରାଟ ଟାଇଟାନ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯାଇଥିବା IPLର ୨୫ ତମ ମ୍ୟାଚରେ ବାଜି ମାରିଛି ଜିଟି। ଶୁକ୍ରବାର ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଗୁଜୁରାଟ ଟାଇଟାନ୍ସ ୫ ୱିକେଟରେ ବିଜୟୀ ହୋଇଛି। ଦଳ ୧୮୧ ରନର ଲକ୍ଷ୍ୟକୁ ପିଛା କରି ୨୦ତମ ଓଭରରେ ମ୍ୟାଚ ଜିତି ନେଇଛି। ଏହା ଗୁଜରାଟ ଟାଇଟାନ୍ସର ଲଗାତାର ତୃତୀୟ ବିଜୟ ହୋଇଥିବା ବେଳେ, ଶୁକ୍ରବାର ମ୍ୟାଚରେ ଅଧିନାୟକ ଶୁଭମନ ଗିଲଙ୍କ ଚମତ୍କାର ୮୬ ରନ ଦଳ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ରହିଥିଲା। ଅନ୍ୟପଟେ କୋଲକାତା ନାଇଟ୍ ରାଇଡର୍ସ ଏପର୍ଯ୍ୟନ୍ତ ବିଜୟୀ ହୋଇପାରନାହିଁ।

ଏଭଳି ଥିଲା ମ୍ୟାଚ୍

୧୮୧ ରନ୍ ଲକ୍ଷ୍ୟରେ ଗୁଜରାଟ ଟାଇଟାନ୍ସ ଆରମ୍ଭରୁ ହିଁ ଭଲ ପ୍ରଦର୍ଶନ କରିଥିଲା। ସାଇ ସୁଦର୍ଶନ ଏବଂ ଅଧିନାୟକ ଶୁଭମନ ଗିଲଙ୍କ ପାର୍ଟନରସିପ୍ରୁ ୫୭ ରନ୍ ଆସିଥିଲା। ତେବେ ଏହି ସମୟରେ ସୁଦର୍ଶନଙ୍କୁ ସୁନୀଲ ନାରିନ ୨୨ ରନ କରି ଆଉଟ କରିଥିଲ। ଏହା ପରେ ଶୁଭମନ ଜସ୍ ବଟଲରଙ୍କ ସହିତ ୩୮ ରନର ପାର୍ଟନରସିପ୍ କରିଥିଲ। ବଟଲର ୨୮ ରନ କରି ବରୁଣ ଚକ୍ରବର୍ତ୍ତୀଙ୍କ ଦ୍ୱାରା ଆଉଟ ହୋଇଥିଲେ।

ଏହା ପରେ ୱାଶିଂଟନ ସୁନ୍ଦର ଏବଂ ଶୁଭମନ ଗିଲ ତୃତୀୟ ୱିକେଟ ସୁଦ୍ଧା ୪୬ ରନ ଯୋଡ଼ିଥିଲେ। ତଥାପି, ସୁନ୍ଦର କେବଳ ୧୨ ରନ୍ କରି ବରୁଣ ଚକ୍ରବର୍ତ୍ତୀଙ୍କ ସ୍ପିନ୍ ବଲ୍ରେ କ୍ୟାଚ୍ ଆଉଟ ହୋଇଥିଲେ। ତେବେ ଏହା ପରେ ଶୁଭମନ ଗିଲ୍, ବୈଭବ ଆରୋରାଙ୍କ ବଲରେ କ୍ୟାମେରନ ଗ୍ରୀନଙ୍କ ଦ୍ୱାରା କ୍ୟାଚ୍ ଆଉଟ ହୋଇଥିଲେ। ଶୁଭମନ ୫୦ ବଲରୁ ୮୬ ରନ କରିଥିଲେ। ଯେଉଁଥିରେ ଆଠଟି ଚୌକା ଏବଂ ଚାରିଟି ଛକା ରହିଛି। ତାଙ୍କ ପରେ ଗ୍ଲେନ ଫିଲିପ୍ସ ୧୯ ରନ କରି ରମନଦୀପ ସିଂହଙ୍କ ଦ୍ୱାରା ଆଉଟ ହୋଇଥିଲେ।

କେକେଆରର ମ୍ୟାଚ ପ୍ରଦର୍ଶନ

କୋଲକାତା ନାଇଟ୍ ରାଇଡର୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୮୦ ରନ କରିଥିଲା। କେକେଆରର ଆରମ୍ଭ ଖରାପ ଥିଲା। ପ୍ରଥମ ଓଭରରେ ହିଁ ଅଧିନାୟକ ଅଜିଙ୍କ୍ୟ ରାହାଣେ ଶୂନ ରନ୍ରେ ଓ୍ବିକେଟ ହରାଇଥିଲେ। ସେ ମହମ୍ମଦ ସିରାଜଙ୍କ ଦ୍ୱାରା କ୍ୟାଚ୍ ଆଉଟ ହୋଇଥିଲେ। ଏହା ପରେ ଅଙ୍ଗକ୍ରିଶ ରଘୁବଂଶୀଙ୍କ ୱିକେଟ ଯାଇଥିଲା। ମାତ୍ର ୮ ରନ୍ କରି ସେ ରାବାଡାଙ୍କ ଦ୍ୱାରା ଆଉଟ ହୋଇଥିଲେ। ଏହା ପରେ ପୁଣି ରାବାଡା, ଟିମ୍ ସେଫର୍ଟଙ୍କ ଓ୍ବିକେଟ ନେଇଥିଲେ। ସେଫର୍ଟ ଆଉଟ ହେବା ସମୟରେ କୋଲକାତାର ସ୍କୋର ୩୨/୩ ଥିଲା।

ଏହାପରେ ରୋଭମାନ ପାୱେଲ, ଅନୁକୁଳ ରୟ, ରିଙ୍କୁ ସିଂହ, ରମନଦୀପ ସିଂହ, ସୁନୀଲ ନାରିନ ଏବଂ କାର୍ତ୍ତିକ ତ୍ୟାଗୀ ଏବଂ ଶେଷରେ କ୍ୟାମେରନ ଗ୍ରୀନଙ୍କ ଓ୍ବିକେଟ ଯାଇଥିଲା। ସେ ଇନିଂସର ଶେଷ ବଲରେ ରସିଦ ଖାନଙ୍କ ଦ୍ୱାରା ଆଉଟ୍ ହୋଇଥିଲେ। ଗ୍ରୀନ୍ ୫୫ ବଲରୁ ୭୯ ରନ୍ କରିଥିଲେ, ଯେଉଁଥିରେ ସେ ସାତଟି ଚୌକା ଏବଂ ଚାରିଟି ଛକା ମାରିଥିଲେ। ଗୁଜୁରାଟ ଟାଇଟାନ୍ସ ପକ୍ଷରୁ କାଗିସୋ ରାବାଡା ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ। ମହମ୍ମଦ ସିରାଜ ଏବଂ ଅଶୋକ ଶର୍ମା ପ୍ରତ୍ୟେକେ ଦୁଇଟି ୱିକେଟ୍ ନେଇଥିଲେ।

ଗୁଜୁରାଟ ଟାଇଟାନ୍ସର ପ୍ଲେଇଂ ଇଲେଭେନ: ଶୁଭମନ ଗିଲ (ଅଧିନାୟକ), ସାଇ ସୁଦର୍ଶନ, ଜୋସ୍ ବଟଲର (ୱିକେଟ୍ କିପର), ୱାଶିଂଟନ୍ ସୁନ୍ଦର, ଗ୍ଲେନ୍ ଫିଲିପ୍ସ, ରାହୁଲ ତେବତିଆ, ରସିଦ ଖାନ, କାଗିସୋ ରାବାଡା, ପ୍ରସିଦ୍ଦ କ୍ରିଷ୍ଣା, ମହମ୍ମଦ ସିରାଜ, ଅଶୋକ ଶର୍ମା।

ଇମ୍ପାକ୍ଟ ପ୍ଲେୟର: ଶାହରୁଖ ଖାନ୍

କୋଲକାତା ନାଇଟ୍ ରାଇଡର୍ସର ପ୍ଲେଇଂ ଇଲେଭେନ: ସୁନୀଲ ନାରିନ, ଟିମ୍ ସେଫର୍ଟ, ଅଜିଙ୍କ୍ୟ ରାହାଣେ (ଅଧିନାୟକ), ଅଙ୍ଗକ୍ରିଶ ରଘୁଭାନ୍ସି (ୱିକେଟ୍ କିପର), କ୍ୟାମେରନ୍ ଗ୍ରୀନ୍, ରିଙ୍କୁ ସିଂ, ରୋଭମାନ ପାଓ୍ବେଲ, ରମଣଦୀପ ସିଂ, ଅନୁକୁଳ ରୟ, କାର୍ତ୍ତିକ ତ୍ୟାଗୀ ଏବଂ ବୈଭବ ଅରୋରା।

ଇମ୍ପାକ୍ଟ ପ୍ଲେୟର: ବରୁଣ ଚକ୍ରବର୍ତ୍ତୀ