ଭୁବନେଶ୍ବର ୧୮।୪: ମହିଳା ସଂରକ୍ଷଣକୁ ତ୍ୱରାନ୍ୱିତ କରିବା ପାଇଁ ନୂତନ ଜନଗଣନା ବିନା ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ଶେଷ କରିବାକୁ ଆସିଥିବା ସମ୍ବିଧାନ ସଂଶୋଧନ ବିଲ୍ ଲୋକସଭାରେ କାଟ୍ ଖାଇଛି । ସରକାରଙ୍କୁ ଦୁଇ ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ନ ମିଳିବାରୁ ଏହି ବିଲ୍ ସଂସଦରେ ବିଫଳ ହୋଇଛି । ଯାହାକୁ ନେଇ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି । ଉଭୟ ସରକାର ଓ ବିରୋଧୀ ଦୋଷ ଲଦାଲଦି ହୋଇଛନ୍ତି । ବିଜେପି ବିଧାୟକ ତଥା ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି, ବିରୋଧୀଙ୍କର କୌଣସି ନୀତି ନୈତିକତା କିଛି ନାହିଁ । ସେ ଲୋକଙ୍କ ପାଇଁ ରାଜନୀତି କରୁନାହାନ୍ତି । ଲୋକଙ୍କ ପାଇଁ ରାଜନୀତି କରୁଥିଲେ ମହିଳା ବିଲ୍‌କୁ ସମର୍ଥନ କରୁଥାନ୍ତେ । ମହିଳା ସଂରକ୍ଷଣ ବିଲ୍ ପାସ୍ ହେଲେ ବିରୋଧୀଙ୍କର କ’ଣ ଅସୁବିଧା ହେଉଥିଲା ? ଏଥିରେ ବିରୋଧୀଙ୍କର ବିଜୟ ନୁହେଁ ପରାଜୟ ହେଲା । ନିର୍ବାଚନ ଆସିଲେ ଆମେ ଲୋକଙ୍କ ପାଖରେ ଏ କଥା କହିବୁ । ମହିଳାଙ୍କ ପାଇଁ ବିଜେପି ହିଁ ଚିନ୍ତା କରୁଛି । ଆମ ସମୟରେ ମହିଳା ସଂରକ୍ଷଣ ନହେଲେ ଆଉ ହେବ ନାହିଁ ।

ବିଲ୍ କାଟ୍ ଖାଇବା ନେଇ ବିଜେପି ଉପରେ ପାଲଟା ଦୋଷ ଲଦିଲା ବିଜେଡି । ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, ବିଜେପି ଚାହିଁଲା ବିଲ୍ ପାସ୍ ନହେଉ । ପ୍ରଧାନମନ୍ତ୍ରୀ କହିଲେ ପାସ ହେଲେ କେହି କ୍ରେଡିଟ୍ ନେବେ ନାହିଁ କିନ୍ତୁ ପାସ୍ ନହେଲେ ଆମେ ଫାଇଦା ନେବୁ । ତେଣୁ ବିଜେପି ଜାଣିଶୁଣି ବିଲ୍‌କୁ କାଟ୍ ଖାଇଲା । ପାସ୍ ନକରି ରାଜନୈତିକ ଫାଇଦା ନେବା ଉଦ୍ଦେଶ୍ୟ ଥିଲା । ବିଲ୍ କାଟ୍ ଖାଇବାର ୫ ଘଣ୍ଟା ଭିତରେ ସବୁଠି ଆନ୍ଦୋଳନ ହେଲା । ଏହା ସୁଚିନ୍ତିତ ଯୋଜନା ଥିଲା ବିଜେପିର ।

Also Read:- Puri Chandan Yatra: ପୁରୀ ଚନ୍ଦନ ଯାତ୍ରାକୁ ନେଇ ବଡ଼ ନିଷ୍ପତ୍ତି, ନରେନ୍ଦ୍ର ପୁଷ୍କରିଣୀରେ ଫୁଟିବନି ବାଣ

ବିଲ୍ କାଟ୍ ଖାଇଲେ ବିଜେପି ବିରୋଧୀ ଦଳ ଗୁଡିକ ବିରୋଧରେ ପ୍ରଚାର କରିବ । ବିଲ୍ ପାସ୍ ହେବା ପାଇଁ ଯେଉଁ ଉଦ୍ୟମ ହେବା କଥା କଲେ ନାହିଁ । ବିରୋଧୀଙ୍କୁ ବିଶ୍ଵାସକୁ ନେଲେ ନାହିଁ । ପୂର୍ବରୁ ମହିଳା ସଂରକ୍ଷଣ ବିଲ ପାରିତ ବେଳେ ବିରୋଧୀ ଯଦି ସମର୍ଥନ ଦେଲେ ଏବେ କାହିଁକି ଦେଲେ ନାହିଁ । ସିଟ୍ ୫୪୩ ଅଛି, ୮୫୦ ହେବ । ମହିଳା ବିଲ୍ ପାସ୍ ହୋଇସାରିଛି । କେନ୍ଦ୍ର ସରକାର ଚାହିଁଥିଲେ ପାସ୍ ହୋଇଥିବା ବିଲ୍ ଜରିଆରେ ୮୫୦ରୁ ୩୩ ପ୍ରତିଶତ ସଂରକ୍ଷଣ ଦେଇପାରିଥାନ୍ତେ । ମହିଳାଙ୍କ ବାହାନାରେ ସୀମା ପୁନଃ ନିର୍ଦ୍ଧାରଣ ପାରିତ କରିବାକୁ ଚକ୍ରାନ୍ତ ଥିଲା ଯାହା କାଟ୍ ଖାଇଲା ବୋଲି ଅରୁଣ ସାହୁ କହିଛନ୍ତି ।