ପୁରୀ ୧୮।୪: ଚନ୍ଦନ ଯାତ୍ରାରେ ନରେନ୍ଦ୍ର ପୁଷ୍କରିଣୀରେ ଫୁଟିବନି ବାଣ । ୨୧ ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ସମୟରେ ଫୁଟିବନି ବାଣ । ବାଣ ଫୁଟାଇଲେ ଗ୍ରହଣ କରାଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ପରମ୍ପରା ମୁତାବକ ସମସ୍ତ କାର୍ଯ୍ୟ କରାଯିବ ।

ଆଉ ଦିନକ ପରେ ପବିତ୍ର ଚନ୍ଦନ ଯାତ୍ରା । ଆସନ୍ତା ୨୦ ତାରିଖରେ ଚନ୍ଦନଯାତ୍ରା ଥିବାରୁ ଏହାକୁ ନେଇ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୁରୀ ଏସ୍‌ପି ପ୍ରତୀକ ସିଂଙ୍କ ସୂଚନା ଅନୁଯାୟୀ, ଚଳିତ ବର୍ଷ ନରେନ୍ଦ୍ର ପୁଷ୍କରିଣୀରେ ବାଣଫୁଟା ଉପରେ ସମ୍ପୂର୍ଣ୍ଣ କଟକଣା ଲାଗିଛି । ଯଦି କୌଣସି ଅମାନିଆ ବ୍ୟକ୍ତି ନିୟମ ଉଲ୍ଲଂଘନ କରି ନରେନ୍ଦ୍ର ପୁଷ୍କରିଣୀରେ ବାଣ ଫୁଟାନ୍ତି ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପରମ୍ପରା ମୁତାବକ ଯାହାକିଛି କାର୍ଯ୍ୟ ରହିଛି ତାହା କରାଯିବ ବୋଲି ପୁରୀ ଏସ୍‌ପି କହିଛନ୍ତି । ଗତ ୨୦୨୪ ମସିହାରେ ନରେନ୍ଦ୍ର ପୁଷ୍କରିଣୀରେ ଶ୍ରୀକ୍ଷେତ୍ର ଭଉଁରୀ ଦିନ ବାଣ ବିସ୍ଫୋରଣ ଘଟି ୧୭ ଜଣଙ୍କ ଜୀବନ ଚାଲି ଯାଇଥିଲା ।

Also Read:- ପ୍ରଶାସନର ବଡ଼ ନିଷ୍ପତ୍ତି, ୨୦ରୁ ସବୁ ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି !

ସେହିପରି ଭିଡ଼ ନିୟନ୍ତ୍ରଣ ଓ ଜନସାଧାରଣଙ୍କ ସୁରକ୍ଷାକୁ ପୋଲିସ ପକ୍ଷରୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ନରେନ୍ଦ୍ର ପୁଷ୍କରିଣୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ସମ୍ପୂର୍ଣ୍ଣ ସିସିଟିଭି ବଳୟ ମଧ୍ୟରେ ରହିବ ନରେନ୍ଦ୍ର ପୁଷ୍କରିଣୀ । ସେହିପରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିମାନ ବାହାରି ନରେନ୍ଦ୍ର ପୁଷ୍କରିଣୀ ଆସିବା ସମୟରେ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ସୁରକ୍ଷା ଦାୟିତ୍ବରେ ଜଣେ ଅତିରିକ୍ତ ଏସ୍‌ପିଙ୍କ ସହ ୫ ଡିଏସ୍‌ପି, ୮ ଇନ୍ସପେକ୍ଟର, ୨୦ ଏଏସ୍‌ଆଇ ଏବଂ ଏସ୍‌ଆଇ, ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ଆଣ୍ଟି ସବୋଟାଜ୍ ଚେକିଂ ବ୍ୟବସ୍ଥାକୁ ମଧ୍ୟ ଜୋରଦାର କରାଯିବ ।