ମୁମ୍ବାଇ: ଅଭିନେତା ଗୋବିନ୍ଦା ଓ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ମଧ୍ୟରେ ବିବାଦ ଚରମସୀମାରେ ପହଞ୍ଚିଛି। ନିକଟରେ ସହ-ଅଭିନେତ୍ରୀ କୋମଲ ରାଣୀ ସ୍ୱର୍ଣ୍ଣକରଙ୍କ ସହ ଗୋବିନ୍ଦାଙ୍କ ଉପସ୍ଥିତି ନେଇ ସୁନୀତା ସୁଗାର ଡାଡି(ବାର୍ଦ୍ଧକ୍ୟ ବୟସରେ ଯୌବନର ଇଚ୍ଛା ରଖୁଥିବା ବ୍ୟକ୍ତି) କହି ସମାଲୋଚନା କରିଥିଲେ। ତାଙ୍କର ଏହି ଟିପ୍ପଣୀ ଭାଇରାଲ ହେବା ପରେ ଗୋବିନ୍ଦା ଏହାର ଜବାବ ଦେଇଛନ୍ତି।

ଭାଇରାଲ ଭିଡିଓରେ ଗୋବିନ୍ଦା ସୁନିତାଙ୍କୁ ତାଙ୍କ କାମରେ ହସ୍ତକ୍ଷେପ ନକରିବାକୁ କହିବା ସହ ତାଙ୍କ ଛବି ଖରାପ କରିବାକୁ ଚେଷ୍ଟା କରାଯାଉଥିବା ଅଭିଯୋଗ କରିଛନ୍ତି। ସେ ସୁନିତାଙ୍କୁ କହିଛନ୍ତି, “ଆପଣ ଟିକେ ନିଜ ସୀମା ଭିତରେ ରୁହନ୍ତୁ।” ଭବିଷ୍ୟତରେ ତାଙ୍କୁ ପୁଣି ଗୋବିନ୍ଦାଙ୍କ ସହାୟତା ଆବଶ୍ୟକ ପଡ଼ିପାରେ ବୋଲି ମଧ୍ୟ ସେ ଇଙ୍ଗିତ କରିଛନ୍ତି।

ଏହି ବିବାଦର ଆରମ୍ଭ ଅଗଷ୍ଟ ୧୪ରେ ହୋଇଥିଲା। ମୁମ୍ବାଇରେ ସୁନିତାଙ୍କ ଜଣେ ସାମ୍ବାଦିକଙ୍କୁ ପ୍ରତିକ୍ରିୟା ଦେଇ ଗୋବିନ୍ଦାଙ୍କ ଉପରେ ଏହି ଟିପ୍ପଣୀ କରିଥିଲେ। ଗୋବିନ୍ଦାଙ୍କ ଆଗାମୀ ଫିଲ୍ମ ‘ରୂପା’ର ନାୟିକା କୋମଲଙ୍କ ସହ ତାଙ୍କର ବିମାନବନ୍ଦର ଉପସ୍ଥିତିକୁ ନେଇ ସୁନିତା ପ୍ରଶ୍ନ ଉଠାଇଥିଲେ।

ସୁନିତା କହିଥିଲେ ଯେ ଫିଲ୍ମ ତିଆରି ହେବା ପୂର୍ବରୁ ଏତେ ପ୍ରଚାର କରିବାର ଅର୍ଥ କ’ଣ। ଏହା ସହିତ ସେ ଗୋବିନ୍ଦାଙ୍କ ସହ ଦେଖାଯାଉଥିବା କୋମଲଙ୍କ ବୟସକୁ ନେଇ ମଧ୍ୟ ଟିପ୍ପଣୀ କରିଥିଲେ। ସେ କୋମଲଙ୍କୁ ଗୋବିନ୍ଦାଙ୍କ ଝିଅ ବୟସର ବୋଲି କହିବା ସହ ତାଙ୍କ ପୋଷାକକୁ ନେଇ ମଧ୍ୟ କଟାକ୍ଷ କରିଥିଲେ।

‘କ୍ଲିନ୍-ଅପ୍’ ନେଇ ଗୋବିନ୍ଦାଙ୍କ କଟାକ୍ଷ

ସୁନିତାଙ୍କ ମନ୍ତବ୍ୟର ଜବାବରେ ଗୋବିନ୍ଦା କହିଛନ୍ତି ଯେ ସେ ଏବେ ଏକ ‘କ୍ଲିନ୍-ଅପ୍’ ଅଭିଯାନରେ ବହୁତ ଗମ୍ଭୀର ହୋଇପଡ଼ିଛନ୍ତି। ବ୍ୟଙ୍ଗାତ୍ମକ ଭାବେ ସେ କହିଥିଲେ ଯେ ସୁନିତା ଏତେ ‘କ୍ଲିନ୍-ହାର୍ଟେଡ୍’ ହୋଇଛନ୍ତି ଯେ ଏବେ ସ୍ୱାମୀଙ୍କୁ ହିଁ ‘କ୍ଲିନ୍ ଆଉଟ୍’ କରିବାକୁ ଚାହୁଁଛନ୍ତି। ଗୋବିନ୍ଦା ଆହୁରି କହିଛନ୍ତି ଯେ ତାଙ୍କ କାମ ଘର ବାହାରେ ହୁଏ ଏବଂ ସୁନିତା ସେଥିରେ ହସ୍ତକ୍ଷେପ କରୁଛନ୍ତି। ସେ ସୁନିତାଙ୍କ ନିଜର ଟିଭି କାର୍ଯ୍ୟକ୍ରମ ମା ହୈ ନା ଏବଂ ଲକ ଅପ ସିଜନ-୨ ର ଉଦାହରଣ ଦେଇ କହିଥିଲେ ଯେ ସେହି ସମୟରେ ସୁନିତା ମଧ୍ୟ ତାଙ୍କ ସହାୟତା ନେଇଥିଲେ। ଏଥିପାଇଁ ସେ କେବେ ଆପତ୍ତି କରିନଥିଲେ ବୋଲି ଗୋବିନ୍ଦା କହିଛନ୍ତି।

ବର୍ତ୍ତମାନ ସେ ଏକ ନୂଆ ଫିଲ୍ମ ପ୍ରୋଜେକ୍ଟ ଆରମ୍ଭ କରିଥିବା ବେଳେ ତାଙ୍କ ସାର୍ବଜନୀନ ଛବି ଖରାପ କରିବା ଏବଂ ତାଙ୍କ ବ୍ୟବସାୟିକ କ୍ଷତି କରିବା ପାଇଁ କୌଣସି ସୁଯୋଗ ଛାଡ଼ାଯାଉନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ଗୋବିନ୍ଦା ଏହା ମଧ୍ୟ କହିଛନ୍ତି ଯେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସୁଥିବା ନୂଆ ଏବଂ ସାଧାରଣ ପରିବାରର ଲୋକଙ୍କୁ ଏଭଳି ଭାବେ ଅପମାନିତ କରାଯିବା ଉଚିତ ନୁହେଁ, ଯାହା ଫଳରେ ସେମାନେ ଭୟଭୀତ ହୋଇ ଶିଳ୍ପ ଛାଡ଼ିଦିଅନ୍ତୁ।

ବୟସ ନେଇ ମଧ୍ୟ ଦେଲେ ଜବାବ

ସୁନିତାଙ୍କ ‘ଝିଅ ବୟସର ଝିଅ’ ମନ୍ତବ୍ୟକୁ ନେଇ ମଧ୍ୟ ଗୋବିନ୍ଦା ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ ଦେଶର ଅନେକ ବଡ଼ ଅଭିନେତା ନିଜଠାରୁ କମ୍ ବୟସର ଅଭିନେତ୍ରୀଙ୍କ ସହ କାମ କରିଛନ୍ତି। ଏହା ଫଳରେ ଅଭିନେତ୍ରୀମାନେ ଭଲ ଫିଲ୍ମ, ନାମ ଓ ସମ୍ମାନ ପାଇବାର ସୁଯୋଗ ପାଆନ୍ତି ବୋଲି ସେ କହିଛନ୍ତି। ଏକ ଛୋଟ ପ୍ରସଙ୍ଗକୁ ନେଇ ବଡ଼ ବ୍ୟବସାୟିକ ପ୍ରୋଜେକ୍ଟକୁ କ୍ଷତି ପହଞ୍ଚାଇବା ଉଚିତ ନୁହେଁ ବୋଲି ସେ କହିଛନ୍ତି।

Also Read- Rhea Chakraborty: କରଣଙ୍କ ସାମ୍ନାରେ କାନ୍ଦି କାନ୍ଦି ବଖାଣିଲେ ସବୁ ଯନ୍ତ୍ରଣା, ସୁଶାନ୍ତଙ୍କ ମୃତ୍ୟୁକୁ ନେଇ କହିଲେ ଏମିତି...

‘ଗ୍ୟାଙ୍ଗ୍’ ନେଇ ଗୋବିନ୍ଦାଙ୍କ ଦାବି

ସୁନିତାଙ୍କ ପଛରେ ଏକ ‘ଗ୍ରୁପ୍’ ବା ‘ଗ୍ୟାଙ୍ଗ୍’ ରହିଛି ବୋଲି ମଧ୍ୟ ଗୋବିନ୍ଦା ଦାବି କରିଛନ୍ତି। ସମୟ ଆସିଲେ ଏହା ସମସ୍ତଙ୍କ ସାମ୍ନାକୁ ଆସିବ ଏବଂ ତାହା ସୁନିତାଙ୍କ ପାଇଁ ମଧ୍ୟ ଭଲ ହେବ ନାହିଁ ବୋଲି ସେ କହିଛନ୍ତି। ଭବିଷ୍ୟତରେ ସୁନିତାଙ୍କୁ ପୁଣି ତାଙ୍କ ସହାୟତା ଆବଶ୍ୟକ ହୋଇପାରେ ବୋଲି ଗୋବିନ୍ଦା କହିବା ସହ ସୋସିଆଲ ମିଡିଆ ଓ ପଡ୍କାଷ୍ଟରେ କରାଯାଉଥିବା ମନ୍ତବ୍ୟ ନେଇ ଭାବିବାକୁ କହିଛନ୍ତି।

ଅଶାଳୀନ ଭାଷା ବ୍ୟବହାରକୁ ନେଇ ଆପତ୍ତି

ସୁନିତାଙ୍କ ଦ୍ୱାରା ବ୍ୟବହୃତ ଅଶାଳୀନ ଭାଷାକୁ ନେଇ ମଧ୍ୟ ଗୋବିନ୍ଦା ଆପତ୍ତି ଜଣାଇଛନ୍ତି। ସେ କହିଛନ୍ତି ଯେ ସେ ‘ମାଆ-ଭଉଣୀ’ ସମ୍ପର୍କିତ ଗାଳିଗୁଲଜକୁ ସାଧାରଣ ଭାବେ ବ୍ୟବହାର କରୁଛନ୍ତି। ଏଭଳି ଭାଷାର ପ୍ରଭାବ ଯୁବପିଢ଼ି ଉପରେ ପଡ଼ିପାରେ ବୋଲି ସେ ଚେତାବନୀ ଦେଇଛନ୍ତି। ଗୋବିନ୍ଦା କହିଛନ୍ତି ଯେ ସାର୍ବଜନୀନ ଜୀବନରେ ଥିବା ବ୍ୟକ୍ତିଙ୍କ ଆଚରଣକୁ ଯୁବପିଢ଼ି ଅନୁସରଣ କରିପାରେ। ତେଣୁ ଏଭଳି ଭାଷା ବ୍ୟବହାର ନକରିବାକୁ ସେ ସୁନିତାଙ୍କୁ ଅନୁରୋଧ କରିଛନ୍ତି।

ଏପଟେ ଗୋବିନ୍ଦା ଓ କୋମଲ ରାଣୀ ସ୍ୱର୍ଣ୍ଣକରଙ୍କ ମଧ୍ୟରେ ସମ୍ପର୍କକୁ ନେଇ ଚାଲିଥିବା ଚର୍ଚ୍ଚାକୁ ନେଇ ଉଭୟଙ୍କ ପକ୍ଷରୁ କୌଣସି ପ୍ରକାରର ଡେଟିଂ ସ୍ୱୀକୃତି ମିଳିନାହିଁ। କୋମଲ ଗୋବିନ୍ଦାଙ୍କ ଆଗାମୀ ଫିଲ୍ମ ରୂପାରେ ତାଙ୍କ ସହ ଅଭିନୟ କରିବାକୁ ଯାଉଛନ୍ତି। ଗୋବିନ୍ଦା ରୂପା ସହ ଦୁନିଆଦାରୀ ମାଧ୍ୟମରେ ପୁଣି ବଡ଼ ପରଦାକୁ ଫେରିବା ଘୋଷଣା କରିଛନ୍ତି ଏବଂ ଏହି ପ୍ରୋଜେକ୍ଟଗୁଡ଼ିକରେ ସେ ପ୍ରଯୋଜକ ମଧ୍ୟ ଅଛନ୍ତି।