ନୂଆଦିଲ୍ଲୀ: କେନ୍ଦ୍ର ସରକାର ବୀମା ଅର୍ଥାତ ଇନସ୍ୟୁରାନ୍ସ ସେକ୍ଟରର ଛବି ବଦଳାଇବା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏବେ ଦେଶର ବୀମା କ୍ଷେତ୍ରକୁ ୧୦୦ ପ୍ରତିଶତ ବିଦେଶୀ ନିବେଶ (ଏଫଡିଆଇ) ଆସିବାର ରାସ୍ତା ସଫା ହୋଇଯାଇଛି। ସରକାର ଏହାକୁ ଶନିବାର ଅଟୋମେଟିକ୍ ରୁଟ୍ ରେ ମଞ୍ଜୁରୀ ଦେଇଛନ୍ତି। ଅର୍ଥାତ ବିଦେଶୀ କମ୍ପାନୀଙ୍କ ଲାଗି ଭାରତର ବୀମା ବଜାର ନିବେଶ କରିବା ଓ ବାଣିଜ୍ୟ କରିବା ଏବେ ସହଜ ହେବ। ସରକାରଙ୍କ ଏହି ନିଷ୍ପତ୍ତିର ସିଧା ଲାଭ ଏବେ ଗ୍ରାହକଙ୍କୁ ମିଳିବ।

ଡିସେମ୍ବର ୨୦୨୫ରେ ସଂସଦ ବୀମା କ୍ଷେତ୍ରରେ ଏଫଡିଆଇ ସୀମାକୁ ୭୪%ରୁ ବଢାଇ ୧୦୦% କରିବା ପାଇଁ ବିଲ୍ ଗୃହୀତ କରିଥିଲେ। ଏହା ଫେବୃଆରୀ ୨୦୨୬ରେ ଡିପିଆଇଆଇ ନୋଟିଫିକେସନ ପରେ ଆଇନରେ ପରିବର୍ତ୍ତିତ ହୋଇ ସାରିଛି। ସାଧାରଣ ଲୋକଙ୍କ ଦୃଷ୍ଟିରେ ଦେଖିଲେ ଯେତେବେଳେ ବିଦେଶୀ କମ୍ପାନୀ ବ୍ୟବସାୟ ଲାଗି ଭାରତ ଆସିବେ ଗ୍ରାହକଙ୍କୁ ଲୋଭାଇବା ପାଇଁ ଆକର୍ଷକ ପଦକ୍ଷେପ ନେବେ। ପ୍ରତିଯୋଗୀତା ବଢିବା ଯୋଗୁ ଇନସ୍ୟୁରାନ୍ସର ପହଞ୍ଚ ବଢିବ। ଏଣୁ ପଲିସି ପ୍ରିମିୟମ ଶସ୍ତା ହେବ। ଏହା ଛଡା ଦେଶର ଯୁବବର୍ଗଙ୍କ ଲାଗି ରୋଜଗାରର ନୂଆ ଅବସର ସୃଷ୍ଟି ହେବ।

ଯଦିଓ ପୁରା ସେକ୍ଟର ଲାଗି ସରକାର ଦ୍ୱାର ଉନ୍ମୁକ୍ତ କରିଦେଇଛନ୍ତି ତେବେ ଦେଶର ସର୍ବ ବୃହତ୍ତ ଓ ନିର୍ଭରଯୋଗ୍ୟ ବୀମା କମ୍ପାନୀ ଭାରତୀୟ ଜୀବନ ବୀମା ନିଗମ(ଏଲଆଇସି) ପାଇଁ ଅଲଗା ନିୟମ କରାଯାଇଛି। ଏଥିରେ ଏଲଆଇସିରେ ବିଦେଶୀ ନିବେଶ ସୀମା ୨୦% ଧାର୍ଯ୍ୟ କରାଯାଇଛି। ଏହାର କାରଣ ହେଉଛି ଏଲଆଇସି ସଞ୍ଚାଳନ ଆକ୍ଟ ୧୯୫୬ ଅନୁସାରେ ହେଉଛି। ଏଣୁ ସରକାର ଫରେନ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ ରୁଲସ୍ ୨୦୨୬ ସଂଶୋଧନ କରି ଏହା ସ୍ପଷ୍ଟ କରିଦେଇଛନ୍ତି ଯେ ଏହି ସରକାରୀ କମ୍ପାନୀରେ ବିଦେଶୀ ଦଖଲ ଏକ ସୀମିତ ସୀମାରେ ରହିବ।

ତେବେ ବୀମା କ୍ଷେତ୍ର ଲାଗି ଭାରତ ସରକାରଙ୍କ ନୂଆ ନିଷ୍ପତ୍ତି ଯୋଗୁ ଚୀନ୍ ଓ ହଂକଂଭଳି ଦେଶମାନଙ୍କରୁ ଆସିବାକୁ ଥିବା ନିବେଶ ଉପରେ ନିୟମ କୋହଳ କରାଯାଇଛି। ପୂର୍ବରୁ ନିୟମ ଥିଲା ଯେ କୌଣସି ବିଦେଶୀ କମ୍ପାନୀରେ ଭାରତ ସୀମାକୁ ଲାଗି ରହିଥିବା ଦେଶଙ୍କ ଯଦି ଜଣେ ବି ସେୟାର ହୋଲ୍ଡର ଥିବେ ତେବେ ତାଙ୍କୁ ସରକାରଙ୍କ ମଞ୍ଜୁରୀ ନେବାକୁ ପଡିବ। ହେଲେ ଏବେ ସରକାର ଚୀନ୍ ଅଥବା ହଂକଂର କୌଣସି କମ୍ପାନୀରେ ୧୦% ପର୍ଯ୍ୟନ୍ତ ଭାଗିଦାରୀ ଥିଲେ ସେମାନେ ସର୍ତ୍ତ ପାଳନ କରି ଅଟୋମେଟେଡ ରୁଟରେ ନିବେଶ କରିପାରିବେ। ତେବେ ସରକାରଙ୍କ ନଜର ନିବେଶର ଅସଲ ମାଲିକ (ବେନିଫିସିଆଲ ଓନର)ଙ୍କ ଉପରେ ରହିବ। ଏଥିରେ ତାଙ୍କୁ କୌଣସି ପ୍ରକାରର ରିହାତି ଦିଆଯିବନି।

ଯଦି ଆପଣ ଭାବୁଥାନ୍ତି ୧୦୦% ବିଦେଶୀ ନିବେଶ ବାଦେ କମ୍ପାନୀ ଏକଚାଟିଆ ବ୍ୟବହାର କରିବେ,ତେବେ ଏହା ସମ୍ପୂର୍ଣ୍ଣ ଭୁଲ। ସରକାର କହିଛନ୍ତି ଯଦିଓ ନିବେଶ ଅଟୋମେଟେଡ ରୁଟରେ ହୋଇଥାଏ ତଥାପି କମ୍ପାନୀମାନଙ୍କୁ ଇନସ୍ୟୁରାନ୍ସ ବ୍ୟବସାୟ କରିବା ପାଇଁ ଭାରତୀୟ ବୀମା ବିନିୟାମକ ଓ ବିକାଶ ପ୍ରାଧିକରଣ (ଆଇଆରଡିଏଆଇ)ର କଡ଼ା ଯାଞ୍ଚ ଓ ଲାଇସେନ୍ସିଂ ପ୍ରକ୍ରିୟା ଦେଇ ଯିବାକୁ ହେବ। ଇନସ୍ୟୁରାନ୍ସ ଆକ୍ଟ ୧୯୩୮ ଅନୁସାରେ ଗ୍ରାହକଙ୍କ ସ୍ୱାର୍ଥ ରକ୍ଷା ନିମନ୍ତେ ରେଗୁଲେଟରଙ୍କ ନିୟନ୍ତ୍ରଣ ଏହି କମ୍ପାନୀଙ୍କ ଉପରେ ରହିବ।